ବଢିଆ କାମ, ସାବାସ : ୟାକୁ ହିଁ କହନ୍ତି ଅସଲି ନାରୀ ସଶକ୍ତିକରଣ

0 1

ପ୍ରଶାସନ ଓ ମନ୍ତ୍ରୀ ନିରାଶ କଲେ, ମାତ୍ର ସହାୟତାର ହାତ ବଢ଼ାଇଲେ ମହିଳା ସଂଗଠନ। 

ଝାରସୁଗୁଡ଼ା 🙁 ସୁଭାଷ ସହାରେ): ଝାରସୁଗୁଡ଼ା ନିକଟସ୍ଥ ଗୁଡ଼ିଗାଁର ଏକ ଗରିବ ପରିବାର କିଶୋର ସୁନାନୀ ଓ ଝରଣା ସୁନାନୀଙ୍କର ଝିଅ ରଶ୍ମିତା ସୁନାନୀ ଏକ ଅଜଣା ରୋଗରେ ପୀଡ଼ିତ ଅଟନ୍ତି। ଛୋଟ ସମୟରୁ ନାଭିରୁ ପରିସ୍ରା ନିର୍ଗତ ହୋଇ ବର୍ତ୍ତମାନ ଜଟିଳ ପରିସ୍ଥିତିର ଶୀକାର ହୋଇଛନ୍ତି ରଶ୍ମିତା। ଦୀର୍ଘଦିନ ଧରି ଚିକିତ୍ସା ପରେ ଅସ୍ତ୍ରୋପଚାର  ହିଁ ସର୍ବଶେଷ ପନ୍ଥା ବୋଲି ଡାକ୍ତର କହିଛନ୍ତି। ମାତ୍ର ଚିକିତ୍ସାରେ ହେବାକୁ ଥିବା ଖର୍ଚ୍ଚ ତୁଲାଇବା ଗରିବ ପରିବାର ପାଇଁ ସମ୍ଭବ ନୁହେଁ। ପ୍ରଶାସନ ଓ ସ୍ବୟଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିଜର ଦୁଃଖ ଶୁଣାଇବା ପରେ ସାମାନ୍ୟ ଆର୍ଥିକ ସହାୟତା ଦେଇ ନିଜ ନିଜର ଦାୟିତ୍ୱ ସାରି ଦେଇଛନ୍ତି ସମସ୍ତେ। ଏହି ସମୟରେ ସହାୟତାର ହାତ ବଢ଼ାଇଛନ୍ତି  ସମାଜ ସେବିକା ମହିଳା ସଂଗଠନ। 

ସୂଚନା ଅନୁସାରେ, ୨୦ ବର୍ଷ ବୟସ୍କା ରଶ୍ମିତାଙ୍କ ପରିବାର ଜିଲ୍ଲାପାଳଙ୍କ ତାଙ୍କ ଗ୍ରାମକୁ ଗସ୍ତ ବେଳେ ନିଜର ଦୁଃଖର କାହାଣୀ କହିବାରୁ କେବଳ ଦୁଇ ହଜାର ଟଙ୍କା ଦେଇଥିଲେ ଜିଲ୍ଲାପାଳ। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପାଖକୁ ଯାଇ ଗୁହାରି କରିବାରୁ ସେ ମଧ୍ୟ କେବଳ ତିନି ହଜାର ଟଙ୍କା ଦେଇ ଦାୟିତ୍ବ ସାରି ଦେଇଥିଲେ। ପରିବାରର ଏହିପରି ମାର୍ମିକ କାହାଣୀ ଶୁଣି  ସମାଜ ସେବିକା ମହିଳା ସଙ୍ଗଠନର ସଭାପତି ରଜନୀ ଭୋଇ ଓ ଅନ୍ୟାନ୍ୟ ସଦସ୍ୟ କୋଡ଼ିଏ ହଜାର ଟଙ୍କା ସଂଗ୍ରହ କରି ପରିବାରକୁ ଦେଇଥିଲେ। ଏବଂ ପରବର୍ତ୍ତୀ ସମୟରେ ଦରକାର ହେଲେ ଆହୁରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀମତୀ ଭୋଇ। 

ହେଲେ ପ୍ରଶାସନ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହିପରି କାର୍ଯ୍ୟକୁ କ୍ଷୋଭର ସହିତ ନିନ୍ଦା କରିଛନ୍ତି ରଜନୀ ଭୋଇ। ଏହିପରି ଏକ ଘଟଣାକୁ ସମ୍ବେଦନଶୀଳ ଭାବରେ ଗ୍ରହଣ କରି ଅଧିକ ସହାୟତା କରିବା ଉଚିତ୍ ଥିଲା ବୋଲି ସେ କହିଛନ୍ତି। ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ପ୍ରଶାସନ ଓ ସ୍ବାସ୍ଥ୍ୟମନ୍ତ୍ରୀ କିପରି ପଦକ୍ଷେପ ନେଉଛନ୍ତି।

ଖାଲି ମାଛଚାଷ କରିଦେଲେ ହେବନି, ଛତୁଆ ଯୋଗାଣ, ମାସ୍କ ଯୋଗାଣ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେଇ ସ୍ୱୟଂ ବା ନିଜ ପରିବାରର ଆର୍ଥିକ ଲାଭ କରି ଦେଲେ ହେବନି | ଏହାଦ୍ୱାରା ପରିବାର ସଶକ୍ତ ହୁଏ ନିଃସନ୍ଦେହ | ହେଲେ ଯେଉଁଦିନ ମହିଳା ବା ମହିଳା ସଂଗଠନ ନିଜକୁ ସ୍ୱାବଲମ୍ବୀ କରିବା ସହ ମାନସିକ ସ୍ତରରେ ସଶକ୍ତ ହୋଇ  ସମାଜର କାମରେ ଆସିପାରିବେ ବା କାହାକୁ ସହାୟତା ପାଇଁ ଅଂଟାଭିଡି ଆଗେଇ ଆସିପାରିବେ, ତାହା ହିଁ ବାସ୍ତବିକ ସଶକ୍ତିକରଣ ବୋଲି କହିବା | ଆଉ ଏଭଳି କାମ କରିବାକୁ ଅଂଟାଭିଡି ବାହାରିଛନ୍ତି ଏହି ସଶକ୍ତ ମା ଭଉଣୀ ମାନେ | କାମ ଛୋଟିଆ ହେଲେ ବି ସେମାନେ ପ୍ରମାଣିତ କରିଛତି ଯେ ପ୍ରଶାସନ ବା ରାଜନେତା ଯାହା କରି ନପାରିବେ, କିଛି ମହିଳା ତାହା କରିବା ପାଇଁ ଅଂଟାଭିଡି ଆଗେଇ ଆସିପାରିବେ | 

Leave A Reply

Your email address will not be published.