ବାପରେ …କି ଜଘନ୍ୟ ଷଡଯନ୍ତ୍ର 

0

ପର୍ଦ୍ଦାଫାସ ହେଲା ବ୍ରଜରାଜନଗର ଦମ୍ପତ୍ତି ପୋଡ଼ି ମାମଲା। 

ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟା କରିଥିଲେ ନିଜ ପୁତୁରା ଓ ଝିଆରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ରାମପୁର ଫାଣ୍ଡି ଅନ୍ତର୍ଗତ ପଞ୍ଜାବୀ ଧଉଡ଼ାରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଦମ୍ପତ୍ତିଙ୍କ ମୃତ୍ୟୁର ପ୍ରକୃତ କାରଣ ଆଜି ପୋଲିସ ତଦନ୍ତରୁ ଲୋକଲୋଚନକୁ ଆସିଛି। ମୃତକଙ୍କ ନିଜ ପୁତୁରା ଓ ଝିଆରୀ ଏହି ହତ୍ୟାକାଣ୍ଡ ଭିଆଇପି ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ଜଣାପଡ଼ିବା ପରେ ପୋଲିସ ଏ ସଂକ୍ରାନ୍ତରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। 

ମିଳିଥିବା ସୂଚନା ଅନୁଯାୟୀ, ଟଙ୍କା ଭାଗବଣ୍ଟାକୁ ନେଇ ତିକ୍ତତାରୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡର ଯୋଜନା କରି ଏହାକୁ କାର୍ଯ୍ୟକାରୀ କରିଥିଲେ ମୃତ ଗିରିବର ଦାସଙ୍କ ନିଜ ପୁତୁରା ଓ ଝିଆରୀମାନେ। ପୁତୁରା ଦୀପକ ଦାସ ପେନେକା, ରାହୁଲ ଦାସ ପେନେକା, ଝିଆରି ମିରନ ଦାସ ପେନେକା, ସୁନିତା ଦାସ ପେନେକା, ସୁପ୍ରିୟା ଦାସ ପେନେକା କାକା ଖୁଡିଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ ଆଗରେ ସ୍ବୀକାରୋକ୍ତି ଦେଇଛନ୍ତି। 

ପ୍ରାଥମିକ ତଦନ୍ତ ପରେ ପ୍ରଥମେ ଗିରିବର ଦାସ ଓ ତାଙ୍କ ପତ୍ନୀ ଗୀତା ଦାସ କୋଇଲା ଚୁଲିରୁ ନିଆଁ ଲାଗି ମୃତ୍ୟୁ ବରଣ କରିଥିଲେ ବୋଲି ମନେ ହେଉଥିଲା। ମାତ୍ର ଘଟଣାସ୍ଥଳରେ ରକ୍ତ ପଡ଼ିଥିବା ଦେଖି ତଦନ୍ତକାରୀ ଦଳ ମନରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମନେ ହେବାରୁ ମୃତକଙ୍କ ପୁତୁରା ଓ ଝିଆରୀଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା କରିଥିଲେ ପୋଲିସ। ଶେଷରେ ଅଭିଯୁକ୍ତମାନେ ସମସ୍ତ ଦୋଷ ସ୍ୱୀକାର କରି ସତ୍ୟ ଘଟଣାକୁ ପ୍ରକାଶ କରିଥିଲେ। ସେମାନଙ୍କ ସ୍ବୀକାରୋକ୍ତି ଅନୁସାରେ ମୃତ ଗୀତା ଦାସ ଶୌଚ ପାଇଁ  ଓ ତାଙ୍କ ପୁଅ ଝିଅ ଟିଉସନ ଯାଇଥିବା ବେଳେ ଗିରିବର ଦାସ  ଦୋକାନରୁ ଘରକୁ ଆସିଥିଲେ। ସେହି ସମୟରେ ପୂର୍ବରୁ ଘରେ  ଲୁଚି ରହିଥିବା ତାଙ୍କର ପୁତୁରା ଓ ଝିଆରୀ ଲୁହାଛଡ଼ ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଏବଂ ପରେ ତଣ୍ଟି ଚିପି ମାରି ଦେଇଥିଲେ।  ଗୀତା ଶୌଚରୁ ଫେରିବା ପରେ ପୁତୁରା ରାହୁଲ ଦାସ ପେନେକା ‘କାକାକୁ ପାଗଳ କୁକୁର କାମୁଡ଼ି ଦେଇଛି ଓ ସେ ଘରେ ଅଛି’ କହି ଘର ଭିତରକୁ ଡାକି ନେଇ ଯାଇଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଅନ୍ୟ ଅଭିଯୁକ୍ତମାନେ ଗୀତାଙ୍କ ଉପରେ ମଧ୍ୟ ଲୁହା ପାଇପ ଓ ଟାଙ୍ଗିଆରେ ଆକ୍ରମଣ କରି ମାରି ଦେଇଥିଲେ ।ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ମୃତକଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚୁଲିରୁ ନିଆଁ ଲାଗି ସେମାନଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇବାକୁ ଯାଇ ସେମାନେ କୋଇଲା ଚୁଲିରେ ନିଆଁ ମଧ୍ୟ ଲଗାଇ ଦେଇ କବାଟ ବନ୍ଦ କରି ଚାଲି ଯାଇଥିଲେ। ଏହାପରେ ମୃତକଙ୍କ ପୁଅଝିଅ ଫେରି ମା ଓ ବାପାଙ୍କ ଦେହରେ ନିଆଁ ଲାଗିବା ଦେଖି ପଡ଼ୋଶୀଙ୍କୁ ପାଟି କରି ଡାକିଥିଲେ। ଅଭିଯୁକ୍ତମାନେ ମଧ୍ୟ ଛଳନା କରି ତାଙ୍କ କାକା ଓ କାକିଙ୍କୁ ବଞ୍ଚାଇବା ପାଇଁ ଲୋକଙ୍କୁ ଚିତ୍କାର କରି ଡାକିଥିଲେ। ନିଆଁ ଲିଭାଇବା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ। ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ, ଥାନା ଅଧିକାରୀ ଲଳିତା ମୋଦୀ, ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରା, ପୁଲିସ ଦଳ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପାଖ ପଡ଼ୋଶୀ ଓ ସଂପର୍କୀୟଙ୍କୁ ପଚରାଉଚରା କରିବା ପରେ ପୋଲିସର ସନ୍ଦେହ ମୃତକଙ୍କ ସଂପର୍କୀୟଙ୍କ ଉପରେ ହୋଇଥିଲା। 

ଏହି ଘଟଣାରେ ସଂପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.