କୃଷି ବିଲକୁ ବିରୋଧ କଲେ କୃଷକ ସଂଗଠନ,ବିଲକୁ ସମର୍ଥନ କରି ଚାଷୀଙ୍କ ପାଖକୁ ଯିବେ ବିଜେପି ନେତା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶରେ ନୂତନ କୃଷି ବିଲକୁ ନେଇ ଝଡ଼ ଥମିବାର ନାମ ନେଉ ନାହିଁ। ସାରା ଦେଶରେ ଏହାକୁ ନେଇ କୃଷକମାନଙ୍କ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି। ଗୋଟିଏ ପଟେ ଅନ୍ନଦାତା ଏହାକୁ ନେଇ ସରକାରଙ୍କ ନିଦ ହଜାଇ ଦେଇଛନ୍ତି ତ ଅନ୍ୟ ପଟେ କେନ୍ଦ୍ରର ବିଜେପି ସରକାର ନିଜର ପୁରୁଣା ନୀତି ଅବଲମ୍ବନ କରି ଏହାର ସ୍ଥାନୀୟ ନେତା ମାନଙ୍କୁ ଚାଷୀଙ୍କ ପାଖକୁ ଯାଇ ବିଲ ବିଷୟରେ ବୁଝାଇବାକୁ ଅଣ୍ଟା ଭିଡ଼ିଛି। ମାତ୍ର ଏହାର ଫଳାଫଳ କ’ଣ ହେବ ଏହା ଆଗାମୀ ସମୟ ହିଁ କହିବ। 

ଝାରସୁଗୁଡ଼ାରେ ମଧ୍ୟ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ତରଫରୁ  ଡାକରା ହୋଇଥିବା ନୂତନ ହୋଇ ଗୃହୀତ ହୋଇଥିବା କୃଷି ବିଲ ବିରୋଧରେ ଗଣଧାରଣାର ନେତୃତ୍ୱ ନେଇଥିଲେ ଝାରସୁଗୁଡ଼ା ଜିଲ୍ଲା  କୃଷକ ସଂଗଠନ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିଲ ବିରୋଧରେ ଆଜି ପ୍ରବଳ ବିରୋଧ କରାଯାଇଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିବା ଏହି ତିନୋଟି ଯାକ ବିଲ କୃଷକ ପାଇଁ ମରଣର ଯନ୍ତା ତଥା ସାଧାରଣ ଜନତାଙ୍କ ସ୍ବାର୍ଥର ପରିପନ୍ଥୀ ବୋଲି କୃଷକମାନେ କହିଛନ୍ତି। କୃଷିଜାତ ସାମଗ୍ରୀର ବିପଣନ ଓ କାରବାର ବିଧେୟକ ୨୦୨୦ , କୃଷକ ରାଜିନାମା ସଂକ୍ରାନ୍ତ ମୁଲ୍ୟ ସୁନିଶ୍ଚିତତା କୃଷି ସେବା ବିଲ ୨୦୨୦ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୫୫ (ସଂଶୋଧିତ) ବିଧେୟକ ବିଲ ୨୦୨୦, ଗୃହୀତ ହୋଇଥିବା ଏହି ତିନୋଟି ଯାକ ବିଲ ଦେଶର କୃଷକମାନଙ୍କଠାରୁ ସେମାନଙ୍କ ଜମି ଛଡ଼ାଇ ନେଇ କର୍ପୋରେଟ ହାତରେ ଟେକିଦେବା ପାଇଁ ହୋଇଛି ଏବଂ କୃଷକମାନଙ୍କୁ ନିଜ ଜମିରେ ଗୋଲାମିର କରିଦେବାର ରାସ୍ତା ଖୋଲିଦେବ ବୋଲି ସେମାନେ ମତ ଦେଇଛନ୍ତି। 

 ଆନ୍ଦୋଳନକାରୀମାନେ ଚୁକ୍ତି ଭିତ୍ତିକ କୃଷି ଆଇନ ୨୦୨୦, ୧୯୫୫ ମସିହା ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ୨୦୨୦, ପ୍ରାଇଭେଟ ମଣ୍ଡି ଆଇନ ୨୦୨୦କୁ ବାତିଲ କରିବା ସହ କୃଷି ଓ କୃଷକ ବିରୋଧୀ କୃଷି ବିଲ କୁ ପ୍ରତ୍ୟାହାର କରିବା  ପାଇଁ ଦାବି କରିଛନ୍ତି। କୃଷିକ୍ଷେତ୍ରକୁ କର୍ପୋରେଟ ହାତରେ ଟେକି ଦେବାକୁ ବନ୍ଦ କରିବା,  କମ୍ପାନୀ ଦ୍ୱାରା ଠିକାଚାଷ ବ୍ୟବସ୍ଥା ବାତିଲ କରିବା , ପାରମ୍ପାରିକ ଭାଗ ଚାଷି ମାନଙ୍କୁ ଚାଷିର ମାନ୍ୟତା ଦେବା, କୃଷି ଓ କୃଷକ ମାରଣ ନୀତି ବନ୍ଦ କରବା ତଥା ରାଜ୍ୟରେ ସ୍ୱାମୀନାଥନ କମିଶନ ସୁପାରିଶ ଶୀଘ୍ର ଲାଗୁ କରିବା ପାଇଁ ମଧ୍ୟ ଦାବି କରାଯାଇଛି । 

ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ହୋଇଥିବା ଏହି ବିଲ ପାଇଁ କୃଷକ ସମର୍ଥନ ଯୋଗାଡ଼ କରିବାକୁ କୃଷକଙ୍କ ପାଖକୁ ଯିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ବିଜେପି ନେତା। ଏଥିପାଇଁ ଆଜି ଝାରସୁଗୁଡ଼ାରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ କରି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ ବିରୋଧୀ ମାନେ କୃଷକ ମାନଙ୍କୁ ଭୁଆଁ ବୁଲେଇ ସରକାରଙ୍କୁ ବଦନାମ କରୁଛନ୍ତି। ତେଣୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଜେପି ଛୋଟ ଛୋଟ ସଭା ସମିତି ଓ ଭର୍ଚୁଆଲ ସଭା ମାଧ୍ୟମରେ ଚାଷୀମାନଙ୍କୁ ପ୍ରକୃତ ତଥ୍ୟ ଅବଗତ କରାଇବ। 

ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ଏହି ତିନୋଟି ବିଲକୁ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପ୍ରେରଣ କରିଛନ୍ତି।

Leave A Reply

Your email address will not be published.