କରୋନା କଟକଣା ଚୁଲିକୁ : ସଟଡାଉନ୍‌ରେ ମଧ୍ୟ ବାଲିଡିହା ଡ୍ୟାମ୍‌ରେ ଜମୁଛି ଭିଡ଼

0

କେବେ ଚେତା ପଶିବ, ଜିଲ୍ଲାରେ ଅଥୟ କଲାଣି କରୋନା

ଶ୍ୟାମାଖୁଣ୍ଟା/ ଦିଲ୍ଲୀପ ମହାନ୍ତି :  ଜିଲ୍ଲାକୁ ଅଥୟ କଲାଣି କରୋନା। ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି ମହାମାରୀ। ଆଜି କେବଳ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଏହାର କୌଣସି ପ୍ରଭାବ ଯେପରି କିଛି ଲୋକଙ୍କ ଉପରେ ପଡ଼ୁନଥିବା ପରିଲକ୍ଷିତ ହୋଇଛି। କରୋନାକୁ ମୁକାବିଲା କରିବା ନିମନ୍ତେ ଜିଲ୍ଲାରେ ଦୁଇଦିନିଆ ସପ୍ତାହାନ୍ତ ସଟ୍‌ଡାଉନ ଚାଲିଛି। ମାତ୍ର ଏହାକୁ ମଧ୍ୟ ମାନିବାକୁ ନାରାଜ କିଛି ଅମାନିଆ। ସଟଡାଉନ୍‌ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ନିୟମକୁ ଲୋକମାନେ ଖୁଲମଖୁଲା ବେଖାତିର କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ୍‌ରେ ଥିବା ବାଲିଡିହା ଡ୍ୟାମରେ ଆଜି ସଟଡାଉନ୍‌ ଥିବା ସତ୍ତ୍ବେ ପ୍ରବଳ ଗହଳି ଜମିଥିଲା। ଶହଶହ ଲୋକ ଏକାଠି ହୋଇ ଡ୍ୟାମ୍‌ରେ ଗାଧୋଇବା ସହିତ ମଜା କରୁଥିବା ଦେଖିବାକୁ ମିଳିଥିଲା। ଏପରିକି କୋଭିଡ୍‌ ଦାୟିତ୍ବରେ ଥିବା ଷ୍ଟିକର୍‌ ଲାଗିଥିବା ଗାଡି ମଧ୍ୟ ଡ୍ୟାମ୍‌ ନିକଟରେ ଥିଲା। ମହାମାରୀକୁ ପ୍ରତିହତ କରିବାକୁ ଯେଉଁଠି ପ୍ରଶାସନ ଜନଗହଳି ହେବା ଭଳି ସମସ୍ତ କାର୍ଯ୍ୟକ୍ରମକୁ  ବନ୍ଦ କରିଛି ଏବଂ ଏହାକୁ ଆହୁରି ଫଳପ୍ରଦ କରିବା ପାଇଁ ପ୍ରତ୍ୟେକ ସପ୍ତାହରେ ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରିଛି। ମାତ୍ର ପ୍ରଶାସନର ଆଢ଼ୁହାଳରେ ସଟଡାଉନ୍‌କୁ ଉଲଂଘନ କରି କିପରି ଏଠାରେ ଏତେ ପରିମାଣର ଲୋକଙ୍କ ଭିଡ଼ ଜମୁଛି ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାଞ୍ଚରୁ ଅଧିକ ଲୋକ ଏକଜୁଟ ନହେବାକୁ ପ୍ରଶାସନ ନିୟମ କରିଥିବା ବେଳେ ମାଳମାଳ ଲୋକଙ୍କ ଭିଡ ଜମୁଛି। ବିଡମ୍ବନାର ବିଷୟ ବାଲିଡିହା ଡ୍ୟାମ ଠାରୁ କିଛି ମାତ୍ର ଦୂରତାରେ ଏକ ପୁଲିସ୍‌ ତନଖି ସ୍ଥାନ ଥିବା ବେଳେ ମଧ୍ୟ କିଛି ପ୍ରଭାବ ପଡ଼ୁନି। ସେହିପରି ସ୍ଥାନୀୟ ପ୍ରଶାସନ ମଧ୍ୟ ଏନେଇକୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଦେଖାଦେଇଛି। ତେବେ ମୟୁରଭଞ୍ଜରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଲୋକମାନେ କରୋନା କଟକଣାକୁ ଭାଙ୍ଗି ଚାଲିଛନ୍ତି। ଯାହାକି କରୋନା ସହିତ ଲଢ଼େଇରେ ଏକ ବିରାଟ ଭୁଲ୍‌। ଏନେଇ ସମସ୍ତେ ଚେତିବାକୁ ମତପ୍ରକାଶ ପାଇଛି। ସେହିପରି ପୁଲିସ୍‌ ଏବଂ ପ୍ରଶାସନ ମଧ୍ୟ ଏପରି ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Leave A Reply

Your email address will not be published.