ଅନ୍ତରୀକ୍ଷ ଯାତ୍ରା କରିବେ ବଲାଙ୍ଗୀର ମାଟିର ସୁଯୋଗ୍ୟ ସନ୍ତାନ 

0

ବଲାଙ୍ଗୀର(ନିରୋଜ ମିଶ୍ର)  :   ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ‘ଗଗନଯାନ’ ପାଇଁ ବଲାଙ୍ଗୀରର ସୁପୁତ୍ର ଓ୍ବିଙ୍ଗସ୍‌ କମାଣ୍ଡର ନିଖିଲ ରଥ ମନୋନୀତ ହୋଇଥିବା ଜଣାପଡ଼ିଛି। ଏହି ମିଶନ୍‌ ପାଇଁ ତାଙ୍କ ନାମ ଶର୍ଟଲିଷ୍ଟ ହୋଇଥିବା ଜାଣିବା ପରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  ଟୁଇଟ୍‌ କରି ନିଖିଲଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ବହୁପ୍ରତୀକ୍ଷିତ ମିଶନ୍‌ ପାଇଁ ମନୋନୀତ ୪ ପାଇଲଟ୍‌ଙ୍କ ମଧ୍ୟରେ ନିଖିଲ ରହିଛନ୍ତି। ୨୦୨୨ ମସିହାରେ ଭାରତବର୍ଷ ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ‘ଗଗନଯାନ’ରେ ଅନ୍ତରୀକ୍ଷକୁ ମାନବ ପଠାଇବ। ଓ୍ବିଙ୍ଗସ୍‌ କମାଣ୍ଡର ନିଖିଲ ଆଗକୁ ଆଉ ବର୍ଷେ କାଳ ଋଷିଆ ତାଲିମ ଗ୍ରହଣ କରିବେ ବୋଲି ରାଜ୍ୟପାଳ ଟୁଇଟ୍‌ କରି ଜଣାଇଛନ୍ତି। ଏହା ସହିତ ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଧ୍ୟ ନିଖିଲଙ୍କୁ ମିଶନ ‘ଗଗନଯାନ’ ପାଇଁ ମନୋନୀତ ହେବା ଖବରକୁ ନେଇ ଟୁଇଟ୍‌ କରି ନିଖିଲ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସାରା ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି। ଭାରତୀୟ ବାୟୁସେନାରେ ଓ୍ବିଙ୍ଗସ୍‌ କମାଣ୍ଡର ଭାବେ କାର୍ଯ୍ୟରତ ନିଖିଲ ରଥ ହେଉଛନ୍ତି ବଲାଙ୍ଗୀର ସହରର ଆଡଭୋକେଟ୍‌ ତଥା ରାଜନେତା ଅଶୋକ ରଥ ଏବଂ ମହିଳା କମିଶନ୍‌ ସଦସ୍ୟା କୁସୁମ ରଥଙ୍କ ସୁପୁତ୍ର।

Leave A Reply

Your email address will not be published.