ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର

0

ଗଙ୍ଗାଧର ମେହେର ଜୟନ୍ତୀରେ ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନାଚକ୍ର

ପଦ୍ମପୁର- ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶା କମ୍ୟୁନିଟି ତରଫରୁ ଭରଚୁଆଲ  ଭାବରେ ପାଳିତ ଏହି ଜୟନ୍ତୀ ଆପାତତଃ ଆନ୍ତର୍ଜାତୀକ ସ୍ତରରେ ପ୍ରଥମ ୱେବନିଅର ବୋଲି ଜଣାଯାଇଛି । ସଂଧ୍ୟା ୭ଟାରେ ଏବଂ ଭାରତୀୟ ସମୟ ୮.୩୦ ମିନିଟରେ ଜୁମ ୱେବ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଫେସବୁକ ଲାଇଭରେ ପ୍ରସାରିତ ହୋଇଥିଲା । ଦୁବାଇ ସ୍ଥିତ କବି ପ୍ରଶାନ୍ତ ମେହେର ଏବଂ ପ୍ରତୀକ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବରେ ବିଶିଷ୍ଟ ଲେଖକ ତଥା ଦହିତା ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ ମିଶ୍ର ଏବଂ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପ୍ରଫେସର ଶୁକମୁନି ମେହେର ଆଲୋଚକ ଭାବରେ ଯୋଗଦାନ କରିଥିଲେ । ସ୍ଵଭାବ କବି ଗଙ୍ଗାଧରଙ୍କ ଆଚରଣ ଓ ଉଚ୍ଚାରଣ, କବିତ୍ଵ ଓ ମାନବତ୍ ମଧ୍ୟରେ ଥିବା ସାମଞ୍ଜସ୍ୟତା, ତାଙ୍କ ଆତ୍ମିକ ଓ ବାହ୍ୟିକ  ପ୍ରକୃତିର ଏକାଗ୍ରତା ତଥା ମନ୍ତ୍ର ସିଦ୍ଧ ଶାବ୍ଦିକ  ପ୍ରୟୋଗ ତାଙ୍କୁ ଜଣେ ବିଶ୍ୱ-ସଂଦେଶୀ, ଦାର୍ଶନୀକ ତଥା କାଳଜୟୀ ସୃଷ୍ଠା ଭାବରେ ପ୍ରମାଣିତ କରିଛି ବୋଲି ଅଧ୍ୟାପକ ମିଶ୍ର ତାଙ୍କ ଆଲୋଚନା ମାଧ୍ୟମରେ ମତ ପ୍ରକାଶ କରିଥିଲେ । ସେହିପରି ଭାରତୀୟ ସାହିତ୍ୟର ଏହି ଅନନ୍ୟ ଋଷି କବିଙ୍କ ପ୍ରଚଣ୍ଡ ପ୍ରତୀଭା ପାଇଁ ସେ ସାହିତ୍ୟ ଜଗତରେ ଅମର ରହିଛନ୍ତି । ସଂସାର ଭିତରେ ସନ୍ୟାସୀ, ମାୟାର ପରିଧିରେ ଅମାୟିକ ରହି ନିର୍ବିକାର ଓ ନିର୍ଲିପ୍ତ ମଣିଷ ପଣିଆ ସହିତ ପୂର୍ଣ୍ଣାଙ୍ଗ ସାହିତ୍ୟ ସ୍ବଳନ କରିଛନ୍ତି, ଯାହାକି ସାଂପ୍ରତିକ ସମୟରେ ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି ଆଲୋଚକ ଡ.ମେହେର ବକ୍ତବ୍ୟ ମାଧ୍ୟମରେ କହିଥିଲେ । ସେହିପରି ଦୁବାଇରୁ ମନୋଜ ମେହେର, ପ୍ରିୟଦର୍ଶୀ ପାଣିଗ୍ରାହୀ, ବିଜୟ ତ୍ରିପାଠି, ଅବନି ମେହେର, ସୁବ୍ରତ ବଡପଣ୍ଡା, ଆବୁଧାବୀରୁ ପ୍ରଦୀପ ରଥ, ବାହିନୀ ପ୍ରଭା, ଦୀଲିରୁ ଭବାନୀ ଦୀକ୍ଷିତଙ୍କ ସମେତ ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ସାହିତ୍ୟପ୍ରେମୀ ତଥା ବୁଦ୍ଧିଜିବୀ ଅଂଶ ଗ୍ରହଣ କରିଥିଲେ । ଗଙ୍ଗାଧର ସାହିତ୍ୟର ବ୍ୟାପକ ପ୍ରଚାର ପ୍ରସାର ପାଇଁ କିଭଳି ଭାବରେ ଆଗକୁ ବିଭିନ୍ନ ପଦେକ୍ଷପ ଗ୍ରହଣ କରାଯିବ ଏବଂ ତାଙ୍କ ସାହିତ୍ୟକୁ ବିଶ୍ବବ୍ୟାପି ପ୍ରଚାର କରାଯିବ ସେ ସଂକ୍ରାନ୍ତରେ ବିଭିନ୍ନ ପରିକଳ୍ପନା ସହିତ ଏହାର ସଫଳ ରୂପାୟନ ନିମନ୍ତେ ଆଲୋଚନାରେ ଅଂଶ ଗ୍ରହଣ କରି ଆୟୋଜକମାନେ ମତପ୍ରକାଶ କରିଥିଲେ । ଶେଷରେ ଚନ୍ଦ୍ରଶେଖର ଖୁଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.