ପ୍ଲାଜମା ଦାନ ପାଇଁ ଝାରସୁଗୁଡ଼ାର ୪ ଜଣ ଗଲେ ରାଉରକେଲା।

0

ଝାରସୁଗୁଡ଼ା :(ସୁଭାଷ ସହାରେ)ବର୍ତ୍ତମାନ ସାରା ଦେଶରେ କୋରୋନା ବିପତ୍ତିର ସାମନା କରିବାର ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ବେଳେ  ଦିଲ୍ଲୀ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ପ୍ଲାଜମା ଥେରାପି ଏକ ଅନନ୍ୟ ଉପାୟ ଭାବରେ ଗ୍ରହଣୀୟ ହୋଇଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ ମଧ୍ୟ ପ୍ଲାଜମା ଟ୍ରାନ୍ସପ୍ଲାଣ୍ଟକୁ ଏକ ବିକଳ୍ପ ବ୍ୟବସ୍ଥା ଭାବରେ ଗ୍ରହଣ କରାଯାଇଛି। ଆଜି ଝାରସୁଗୁଡ଼ା ଜିଲ୍ଲାରୁ ଚାରି ଜଣ ପ୍ଲାଜମା ଦାନ କରିବା ପାଇଁ ରାଉରକେଲା ଗମନ କରିଛନ୍ତି। ଏ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହି ଚାରି ଜଣ ବ୍ୟକ୍ତିଙ୍କ ରାଉରକେଲା ଯିବାର ସମସ୍ତ ବନ୍ଦୋବସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ ପରୀକ୍ଷା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ପରୀକ୍ଷା କରାଯିବା ପରେ ପ୍ଲାଜମା ଦାନ କରିବେ ବୋଲି ଜଣାଯାଇଛି।

ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ଦେଇଥିବା ସୂଚନା ମୁତାବକ ଭବିଷ୍ୟତରେ ଲୋକେ ବୁର୍ଲା ସ୍ଥିତ ଭୀମସାର ମେଡିକାଲକୁ ଯାଇ ଯେପରି ପ୍ଲାଜମା ଦାନ କରି ପାରିବେ ସେ ନେଇ ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଏଥିପାଇଁ କେବଳ ରାଉରକେଲାର ଆଇଜିଏଚକୁ ସ୍ବେଛାସେବୀଙ୍କୁ ପଠାଯାଉଛି।ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୩୦ ଜଣ କୋରୋନା ରୋଗୀ ପ୍ଲାଜମା ଦାନ ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ଏ ନେଇ ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନରେ ୮୦ ପ୍ରତିଶତ ସୁସ୍ଥ କୋରୋନା ରୋଗୀ ପ୍ଲାଜମା ଦାନ କରିବାକୁ ରାଜି ହେଵେ ।ମାତ୍ର ପ୍ରଶାସନ ଶତ ପ୍ରତିଶତ ସୁସ୍ଥ ଲାଭ କରିଥିବା ଲୋକଙ୍କୁ ଏଥିପାଇଁ ଅନୁରୋଧ କରିବ। ଝାରସୁଗୁଡ଼ାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଏଥିପାଇଁ ଏହାକୁ ଏକ ମିଶନ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.