ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ନେଲା ଅଭିନବ ପଦକ୍ଷେପ 

0
  • ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ରହିଥିବା ଡ୍ରପ ଆଉଟ ହାର ହ୍ରାସ କରିବା ପାଇଁ ପ୍ରୋତ୍ସାହନ ଓ ଉଚ୍ଚଶିକ୍ଷା ପାଇଁ ବୃତ୍ତି 

  • ପ୍ରତିବର୍ଷ ଖର୍ଚ ହେବ ୨୨ କୋଟି, ଉପକୃତ ହେବେ ୫୦୦୦୦ ଛାତ୍ରଛାତ୍ରୀ

  • ଏହି ସୁବିଧାରେ ସାମିଲ ଦେବା ପାଇଁ ଅଗଷ୍ଟ ୧୪ ତାରିଖ ଭିତରେ ନାମ ପଞ୍ଜିକରଣ 

କେନ୍ଦୁଝର (ଶାସକ ପ୍ରଶାସକ ) :  ତଫସିଲଭୁକ୍ତ ଜାତି ଓ ଜନଜାତି ବହୁଳ ଖଣିଜ ଜିଲ୍ଲା କେନ୍ଦୁଝରରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଦେଖାଦେଇଥିବା ଡ୍ରପ ଆଉଟ ହାର ହ୍ରାସ କରିବା ତଥା ଉଚ୍ଚତର ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଆଶିଷ ଠାକରେଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ଖଣିଜ ପାଣ୍ଠି ଆର୍ଥିକ ସହାୟତାରେ ଜିଲ୍ଲା ପ୍ରଶାସନ ନେଇଛି ଏକ ଗୁରୁତ୍ୱପୂର୍ଣ୍ଣ ତଥା ସମୟୋପଯୋଗୀ ପଦକ୍ଷେପ | ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ସ୍କୁଲକୁ ଆସିବା ସକାଶେ ପ୍ରୋତ୍ସାହିତ କରିବା ସହିତ ଉଚ୍ଚ ଶିକ୍ଷା ପାଇଁ ଉତ୍ସାହିତ କରିବ | ଜିଲ୍ଲାପାଳ ତଥା ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଟ୍ରଷ୍ଟି, ଡିଏମ୍ଏଫ୍  ଆଶିଷ ଠାକରେ ଦରବାର ହଲ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ଏହି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର  ଶୁଭାରମ୍ଭ କରିଛନ୍ତି | 

ଜିଲ୍ଲାର ସରକାରୀ ଏବଂ ଏଡେଡ଼  ସ୍କୁଲରେ ପାଠ ପଢ଼ୁଥିବା ସମସ୍ତ ନବମ ଏବଂ ଦଶମ  ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନେ ଏହି ଶିକ୍ଷାବର୍ଷରୁ ଆସନ୍ତା ପ୍ରତ୍ୟେକ ବର୍ଷ ଜିଲ୍ଲା ଖଣିଜ ପାଣ୍ଠି  ଅଧୀନରେ ମାଗଣା ପାଠ୍ୟ ପୁସ୍ତକ,  ୟୁନିଫର୍ମ ଏବଂ ମଧ୍ୟାହ୍ନ ଭୋଜନ ପାଇବେ। ଅଧିକନ୍ତୁ,ମାଟ୍ରିକ (ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ) ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଥିବା  ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରାପ୍ତ ମାର୍କ ଆଧାରରେ ୧୦,୦୦୦  ରୁ ୪୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଛାତ୍ର ବୃତ୍ତି ପ୍ରଦାନ କରାଯିବ  | 

ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ପରେ ଛାତ୍ର ଛାତ୍ରୀମାନଙ୍କ ଡ୍ରପଆଉଟ୍ ରୋକିବା, କିଶୋରାବସ୍ଥାରେ ସେମାନଙ୍କର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା, ସେମାନଙ୍କୁ ସେମାନଙ୍କର ବିଦ୍ୟାଳୟପାଠ ପଢାକୁ  ସଫଳତାର ସହିତ ସମାପ୍ତ କରିବାକୁ ଉତ୍ସାହିତ କରିବା ଏବଂ ସର୍ବୋପରି ଦଶମ ଶ୍ରେଣୀ ପରେ  ଉଚ୍ଚତର  ଅଧ୍ୟୟନ ପାଇଁ ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ସହାୟତା କରିବା ଏହି ପଦକ୍ଷେପର ମୂଳ ତଥା ମହତ ଉଦ୍ଦେଶ୍ୟ | 

ପ୍ରଶାସନ ନିକଟରେ ଥିବା ତଥ୍ୟ ଅନୁଯାୟୀ  ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ପ୍ରତି ୧୦୦ ପିଲାଙ୍କ ମଧ୍ୟରୁ  ୬୦ରୁ କମ୍ ପିଲା ଦଶମ  ଶ୍ରେଣୀରୁ ଅଧିକ ଅଧ୍ୟୟନ ଜାରି ରଖିବାରେ ସଫଳ ହୁଅନ୍ତି |  ଅଷ୍ଟମ ଶ୍ରେଣୀ ପରେ ମାଗଣା ପାଠ୍ୟପୁସ୍ତକ, ୟୁନିଫର୍ମ ଏବଂ  ମଧ୍ୟାହ୍ନ ଭୋଜନ ଆକାରରେ ଛାତ୍ରମାନଙ୍କୁ ପ୍ରଦାନ କରାଯାଇଥିବା ସହାୟତା ହଠାତ ବନ୍ଦ ହୋଇଯିବା କେତେକାଂଶରେ ଏଥିପାଇଁ ଦାୟୀ ବୋଲି ପ୍ରଶାସନ ହୃଦବୋଧ କରିଛି | 

କେନ୍ଦୁଝର  ପରି ଏକ ସାମାଜିକ ଓ ଅର୍ଥନୈତିକ ପଛୁଆ ଜିଲ୍ଲାରେ, ଯେଉଁଠାରେ ୫୫%  ରୁ ଅଧିକ ଜନସଂଖ୍ୟା ଅନୁସୂଚିତ ଜାତି ଏବଂଅନୁସୂଚିତ ଜନଜାତି ସମୁଦାୟର  ଅଟନ୍ତି, ଏହି ପଦକ୍ଷେପ ଆସନ୍ତା ବର୍ଷରେ ଜିଲ୍ଲାର ମାଧ୍ୟମିକ ଶିକ୍ଷାକୁ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି |

ଡିଏମଏଫ୍ ଅଧୀନରେ ବାର୍ଷିକ ୨୨ କୋଟି  ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହେବ ଏହି ଯୋଜନା | ଜାତୀୟ ଶିକ୍ଷା ନୀତି  (ଚିଠା), ୨୦୧୯  ର ସୁପାରିଶ ସହିତ ଖାପ ଖୁଆଇ କାର୍ଯ୍ୟକାରୀ କାର୍ଯ୍ୟକାରୀ କରାଯାଉଥିବା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ  ପ୍ରତିବର୍ଷ ଜିଲ୍ଲାର ନବମ  ଏବଂ ଦଶମ ଶ୍ରେଣୀର ପ୍ରାୟ ୫୦,୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି | ଏହି ସୁବିଧାରେ ସାମିଲ ଦେବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ଅଗଷ୍ଟ ୧୪ ତାରିଖ ଭିତରେ ନିକଟସ୍ଥ ଉଚ୍ଚ ବିଦ୍ୟାଳୟରେ ନିଜ ନାମ ପଞ୍ଜିକରଣ କରାଇନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି | 

Leave A Reply

Your email address will not be published.