ସୋହେଲା ବ୍ଲକରେ ପ୍ରଥମ କରୋନା ରୋଗୀ ଚିହ୍ନଟ 

0

ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମରେ ଆଜି ବ୍ଲକର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ତ୍ରିପୁରାରେ କାମ କରୁଥିବା ଜଣେ ସୁରକ୍ଷା କର୍ମୀ । ସେ ୬ ତାରିଖ ଦିନ ଫ୍ଲାଇଟରେ ଅଗରତାଲାରୁ କୋଲକତା ଓ କୋଲକତାରୁ ଝାରସୁଗୁଡା ଆସି ଏକ ଗାଡି ଭଡା କରି ଗତ ୮ତାରିଖ ସୋହେଲା ପହଂଚି କ୍ୱାରେନଟାଇନ ସେଂଟରରେ ରହିଥିଲେ । ୧୧ ତାରିଖରେ ଉକ୍ତ ସୁରକ୍ଷାକର୍ମୀଙ୍କ ସମେତ କ୍ୱାରେନଟାଇନ ସେଂଟରରେ ରହୁଥିବା ୫ଜଣଙ୍କ ସ୍ୱାବ ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ୭ ଦିନ କ୍ୱାରେନଟାଇନରେ ରହିବା ଅବଧି ସରିଯିବା ପରେ ଗତ୧୮ତାରିଖରେ ହୋମ କ୍ୱାରେନଟାଇନରେ ରହିବା ପାଇଁ ଆବଶ୍ୟକ ପରାମର୍ଶ ଦେଇ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ୧୯ ତାରିଖରେ ସମସ୍ତଙ୍କ ଟେଷ୍ଟ ରିପୋର୍ଟର ଫଳାଫଳ ଆସିଥିଲା । ସେଥିରେ କେବଳ ସୁରକ୍ଷାକର୍ମୀଙ୍କ ରିପୋର୍ଟ ପୋଜିଟିଭ ଆସିଥିଲା । ଏହା ଜଣାପଡିବା ପରେ ସୋହେଲା ବିଡିଓ ବିଶ୍ୱରଂଜନ କର ମେଡିକାଲ ଟିମ ସହିତ ଯାଇ ସଂକ୍ରମିତ ଯୁବକଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରିଥିଲେ । ମେଡିକାଲ ଟିମ ସୁରକ୍ଷାକର୍ମୀଙ୍କ ଘର ତଥା ରହୁଥିବା ପଡାର ଘରକୁ ଘର ଯାଇ ପଚରାଉଚୁରା କରି କଂଟାକ୍ଟ ଟ୍ରେସିଂ କରିଥିଲେ । ସଂକ୍ରମଣକୁ ରୋକିବା ପାଇଁ ସୁରକ୍ଷା କର୍ମୀଙ୍କ ପତ୍ନୀଙ୍କ  ସମେତ ପରିବାରର ୧୦ଜଣ ଓ ସେ ମିଳାମିଶା କରିଥିବା ଅନ୍ୟ ୯ଜଣଙ୍କୁ ଗାଁରେ ଥିବା କ୍ୱାରେନଟାଇନ ସେଂଟର ରଖାଯାଇଥିଲା । ଆଜି ସୁରକ୍ଷା କର୍ମୀଙ୍କ ପତ୍ନୀ  ଓ ତାମିଲନାଡୁ ଫେରନ୍ତା ଜଣେ ଯୁବକଙ୍କ ସମେତ ସୋହେଲା କ୍ୱାରେନଟାଇନ ସେଂଟରରେ ରହୁଥିବା ୨୮ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବା ସୋହେଲା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ପିଏଚଇଓ ସୁଦାମ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଆଜି ପଦ୍ମପୁର ଉପଜିଲାପାଳ ତନ୍ମୟ ଦରୱାନ, ବିଡିଓ ବିଶ୍ୱରଂଜନ କର, ତହସିଲଦାର ମାନସ ରଂଜନ ସ୍ୱାଇଁ, ସହକାରୀ ଯନ୍ତ୍ରୀ ନରେଶ କୁମାର  ଅଗ୍ରୱାଲ,ମେଲଛାମୁଣ୍ଡା ଥାନା ଅଧିକାରିଣୀ ସ୍ୱପ୍ନାରାଣୀ ଗୋଛାୟତ ପ୍ରମୁଖ ଅଧିକାରୀ ମେଡିକାଲ ଅଫିସରଙ୍କ ସହିତ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରି ସ୍ଥିତି ଅନୁଧ୍ୟାନ କରିଥିଲେ ।  ସୋହେଲାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗାଁକୁ ବିଶୋଧନ କରିଥିଲେ । ସୋହେଲା ବ୍ଲକରେ କରୋନାରେ ଆକ୍ରାନ୍ତ ହେବା ଘଟଣା ପ୍ରଥମ ହୋଇଥିବାରୁ ଲୋକଙ୍କ ମନରେ ଭୟ ସଂଚାର ହୋଇଛି । ପ୍ରଶାସନ ପକ୍ଷରୁ ପେଟୁପାଲି ଗାଁକୁ ସଟଡାଉନ କରାଯାଇଛି । ଗାଁରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ଗାଁରେ ଉତେଜନା ପ୍ରକାଶ ପାଇଥିଲା । 

Leave A Reply

Your email address will not be published.