ଆଇନଗତ ଦାୟିତ୍ୱକୁ ଭୁଲିଗଲା କେମିତି ପୋଲିସ !!!

0 2
  • ଟ୍ରଲିରେ ବୁହା ହୋଇ ଜଙ୍ଗଲରେ ପୋତା ହେବାକୁ ଯାଉଥିଲା ଶବ ।

  • ମୃତ୍ୟୁ ପରେ କାନ୍ଧ ଦେବାକୁ ନଥିଲେ ଆତ୍ମୀୟ ପରିଜନ

  • ଶବ ଜବତ ପରେ ପୋଷ୍ଟମର୍ଟମ ନକରି ଶେଷକୃତ୍ୟ ପାଇଁ ପଠାଇବା ସନ୍ଦେହରେ 

  • ମିଡ଼ିଆ ହସ୍ତକ୍ଷେପ ପରେ ଘରୋଇ ଆମୁଲାନ୍ସରେ ଶ୍ମଶାନ କୁ ଦାହ ପାଇଁ ଗଲା

ବାରିପଦା(ଦିଲ୍ଲୀପ ମହାନ୍ତି )-  ସାଧାରଣତଃ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ ଅଥବା ସହିପଡ଼ିଶା କାନ୍ଧ ଦେଇ ଶ୍ମଶାନକୁ ଦାହ ନିମନ୍ତେ ନେଇଥାନ୍ତି । ମାତ୍ର ବାରିପଦା ସହରରେ ଏହାର ବିପରୀତ ଦେଖିବାକୁ ମିଳିଥିଲା । ଆଜି ୩ ଜଣ ଲୋକ ଏକ ଟ୍ରଲିରେ ଗୋଟାଏ ଶବକୁ ବୋହି ମେଞ୍ଚାବନ୍ଧା ଜଙ୍ଗଲରେ ପୋତିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ବାଧା ଦେଇଥିଲେ । ଫଳରେ ସେମାନେ ପୁଣି ଟ୍ରଲିରେ ଶବକୁ ପକାଇ ଫେରି ଆସୁଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥରେ କେତେକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ନଜରକୁ ଆସିଥିଲା | ଏବିଷୟରେ ବାରିପଦା ଥାନକୁ ଜଣାଇବା ପରେ ପୁଲିସ ଏକ ଘରୋଇ ଆମ୍ବୁଲାନ୍ସ ପଠାଇ ଶବକୁ ଦାହ ନିମନ୍ତେ ଶ୍ମଶାନକୁ ପଠାଇଥିଲେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଵାରିପଦା ସହରର ପାଲବଣି ଅଞ୍ଚଳରେ। ସୂଚନା ମୁତାବକ,  ମୃତ ବ୍ୟକ୍ତି ଜଣକ ଭୂତ ଓରଫ ଧନୁ ସିଂ ବୋଲି  ଜଣାପଡ଼ିଥିବା ବେଳେ ତାର ଠିକଣା କାହାକୁ ଜଣା ନ ଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଧନୁ ସିଂ ଆଜକୁ ୬/୭ ବର୍ଷ ହେବ ପାଲବଣି ଅଞ୍ଚଳରେ ରହି ମୁଟିଆ କାମ କରୁଥିଲେ। ତେଣୁ ତାଙ୍କର ଘର ଓ ପରିବାର ସମ୍ପର୍କରେ କାହାକୁ କିଛି ଜଣା ନ ଥିଲା ।  ଏପରିକି ଧନୁ ସିଂ ମଧ୍ୟ  ନିଜର ଘର ପରିବାର ବାବଦରେ କାହାକୁ କେବେ କିଛି କହିନଥିଲେ ।  ଭୂତ ଓରଫ ଧନୁ ପାଲବଣି ଶୀତଳ ଭଣ୍ଡାର ନିକଟ ଏକ ବ୍ୟବାସାୟୀଙ୍କ ନିକଟରେ ଲେବର ଭାବେ  କାର୍ଯ୍ୟ କରୁଥିଲେ । ଘରଦ୍ୱାର ନଥିବାରୁ ପାଲବଣି ଅଞ୍ଚଳର ସୁରଜ ସୋରେନ ଧନୁ ସିଂକୁ ରାତିରେ ଶୋଇବା ପାଇଁ ନିଜ ଘର ବାରଣ୍ଡାରେ ଆଶ୍ରା ଦେଇଥିଲେ। ତେବେ  ଧନୁ  ୪-୫ ଦିନ ହେବ ଅସୁସ୍ଥ ରହିଥିଲେ । ଗତକାଲି ବିଳମ୍ବିତ ରାତିରେ ବାହାରକୁ ଉଠିଥିବା ସମୟରେ ଧନୁକୁ ଡାକ ପକାଇଥିଲେ ମଧ୍ୟ କୌଣସି ଉତ୍ତର ଆସିନଥିଲା । ନିକଟକୁ ଯିବା ପରେ ଧନୁର ମୃତ୍ୟୁ ହୋଇଥିବାର ଜାଣିବାକୁ  ପାଇଥିଲେ ।  ଆଜି ସକାଳେ  ଏ ବାବଦରେ ଵାରିପଦା ଟାଉନ ଥାନାରେ ଲିଖିତ ଭାବେ ଜଣାଇଥିଲେ । ଏହାପରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି  ଶବ ପୋତି ଦେବାକୁ କହିଥିଲେ ବୋଲି ସୁରଜ କହିଛନ୍ତି । ସେହିପରି ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥରେ ଟ୍ରଲିରେ ଏକ ଶବ ବୁହାଯାଉଥିବାର ଦୃଶ୍ୟ ଦେଖି କିଛି ଲୋକ ଶବକୁ ଅଟକ ରଖିବା ସହ ପୋଲିସକୁ ଫୋନ କରିଥିଲେ। ତେଣୁ ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ନିଜ ଖର୍ଚ୍ଚରେ ଏକ ଆମ୍ବୁଲାନ୍ସ ପଠାଇ ମୃତଦେହକୁ ମଶାଣିକୁ ନେବାରେ ସାହାଯ୍ୟ କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ପୁଲିସ ଧନୁ ସିଂର ଶବ ବ୍ୟବଚ୍ଛେଦ କରାଇଲେ ନାହିଁ କାହିଁକି । ମାନବୀୟ ଦାୟିତ୍ୱ ତୁଲାଇଥିଲେ ବି ଆଇନଗତ ଦାୟିତ୍ୱ କୁ ପୋଲିସ ଭୁଲି ଯାଇଛି କେମିତି ବୋଲି ଲୋକମାନେ ପ୍ରଶ କରିଛନ୍ତି |  ପୁଣି ମୃତକଙ୍କ  ପରିଚୟ ଓ ଠିକଣା ବା ମୃତ୍ୟୁର କାରଣ ଖୋଜିବା ବଦଳରେ ନେଚ୍ୟୁରାଲ ଡେଥ ବୋଲି ଧରି ନେଲେ କିପରି ।

Leave A Reply

Your email address will not be published.