ପୌର କାର୍ଯ୍ୟାଳୟର ଦାୟିତ୍ବହୀନତାକୁ ଦାୟୀ କରି ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0 2

 କୋଭିଡ ମାମଲା ବୃଦ୍ଧି ନେଇ ଚିନ୍ତିତ ବ୍ରଜରାଜନଗରବାସୀ

ଝାରସୁଗୁଡା :- ( ସୁବାଷ ସାହାରେ ) ବ୍ରଜରାଜନଗରରେ କୋଭିଡ – 19 ମାମଲା ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ଭୀଷଣ ଚିନ୍ତାର ବିଷୟ ପାଲଟିଛି। ଗୋଟିଏ ଦିନରେ ୧୯ଟି ନୂଆ ମାମଲା ସାମନାକୁ ଆସିବା ପରେ ସମସ୍ତ ଜନସାଧାରଣ ଭୟଭୀତ ହୋଇ ପଡ଼ିଛନ୍ତି। ବିଶେଷ କରି ଯେଉଁ ପରିବାରରେ ୧୦ ବର୍ଷରୁ କମ ଶିଶୁ ବା ବୃଦ୍ଧ ଓ ବୃଦ୍ଧା ଅଛନ୍ତି, ସେମାନଙ୍କ ପାଇଁ ଏହା ଏକ ସଙ୍କଟପୂର୍ଣ୍ଣ ପରିସ୍ଥିତି ବୋଲି ସେମାନେ ଅନୁଭବ କରୁଛନ୍ତି। ମାତ୍ର ଏସବୁର କାରଣ ଭାବରେ ଏମାନେ ପୌର କାର୍ଯ୍ୟାଳୟର ଭୁଲ ନୀତି ଓ ପଦକ୍ଷେପକୁ ଦାୟୀ କରି ଆଜି ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରବାସୀ ମାନଙ୍କୁ ପୌର ପ୍ରଶାସନ ହୋମ କ୍ବାରେନ୍ଟାଇନରେ ରଖିବା ନିଷ୍ପତ୍ତିକୁ ସାଧାରଣ ଜନତା ତୀବ୍ର ବିରୋଧ କରୁଛନ୍ତି। 

ବିକ୍ଷୋଭର କାରଣ ବିଷୟରେ ପ୍ରଶ୍ନ କରିବା ମାତ୍ରେ ଜଣେ ବିକ୍ଷୋଭକାରୀ କ୍ଷୋଭ ପ୍ରକାଶ କରି ତୀବ୍ର ପ୍ରତିକ୍ରିୟା ଦେଇ କହିଲେ, ‘ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ କ୍ବାରେନ୍ଟାଇନ୍ କେନ୍ଦ୍ରଗୁଡ଼ିକ ଖୋଲିଛନ୍ତି। ମାତ୍ର ପୌର ପ୍ରଶାସନ ସେମାନଙ୍କୁ ସେହି କେନ୍ଦ୍ରରେ ରଖିବା ପରିବର୍ତ୍ତେ ହୋମ କ୍ବାରେନ୍ଟାଇନରେ ରଖି ବିପଦକୁ ଟାଣୁଛନ୍ତି। ହୋମ କ୍ବାରେନ୍ଟାଇନରେ ରହୁଥିବା ସଂକ୍ରମିତ ଲୋକେ କୌଣସି ନିୟମ ପାଳନ କରୁନାହାଁନ୍ତି ଏବଂ ଅବାଧରେ ବୁଲାବୁଲି କରୁଛନ୍ତି। ଏଥିପାଇଁ ବ୍ରଜରାଜନଗର ଅଞ୍ଚଳରେ କୋଭିଡ – 19 ସଂକ୍ରମିତ ସଂଖ୍ୟା ଅନେକ ଵୃଦ୍ଧି ପାଉଛି।’ ସୂଚନାଯୋଗ୍ୟ ଯେ ବିକ୍ଷୋଭକାରୀମାନେ ପ୍ରବାସୀ ମାନଙ୍କୁ କ୍ବାରେନ୍ଟାଇନ୍ କେନ୍ଦ୍ରଗୁଡ଼ିକରେ ରଖିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.