ଡେଙ୍ଗୁ, ମ୍ୟାଲେରିଆ ଓ କୋଭିଡ୍-୧୯ ନିରାକରଣ ସମ୍ପର୍କିତ ବୈଠକ

0 1

ଚମ୍ପୁଆ,(ଶାସକ ପ୍ରଶାସକ) : ବଡ଼ବିଲ ପୌରପାଳିକା ଅଂଚଳରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ମହାମାରୀ କରୋନା (କୋଭିଡ୍-୧୯)  ନିରାକରଣ ସମ୍ପର୍କିତ ଏକ ବୈଠକ ପୌରପାଳିକା ସଭାଗୃହଠାରେ ଅନୁଷ୍ଠିତ  ହୋଇଯାଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ ବୈଠକରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେର. କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ମେଡିକାଲ ଅଫିସର ଡାକ୍ତର ଫକୀର ମୋହନ ନାଏକ ଏବଂ ଡା. ସୌଭାଗ୍ୟ ରଂଜନ ସାମଲଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ କମ୍ପାନୀର କର୍ମକର୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ବୈଠକରେ ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ଯେ, ଆଗକୁ ବର୍ଷା ଦିନ ଆସୁଛି ତେଣୁ ଏବେଠାରୁ  ଡେଙ୍ଗୁ ଓ ମ୍ୟାଲେରିଆ ପ୍ରତି ସତର୍କ ରହିବା ସହ ପରିମଳ ଓ ନାଳ ନର୍ଦ୍ଧମା ସଫାସୁତୁରା କରି ମଶା ଧୂଆଁ, ବ୍ଲିଚିଂ ପାଉଡର୍ ପକାଇବାକୁ ନିର୍ଦ୍ଦେଶ  ଦେଇଥିଲେ । ଏହାସହ ବର୍ଷା ଦିନରେ ଖଣି ଓ ଶିଳ୍ପ ସଂସ୍ଥା ନିଜର କର୍ମଚାରୀ କଲୋନିଗୁଡ଼ିକୁ ସଫା କରିବା ଏବଂ କୌଣସି ସ୍ଥାନରେ ପାଣି ଜମିବାକୁ ନ ଦେବାକୁ ପରାମର୍ଶ ଦେଇଥିଲେ । ଖୁବଶୀଘ୍ର ଘରକୁ ଘର ବୁଲି ଅଙ୍ଗନୱାଡ଼ି କର୍ମୀମାନେ ସ୍ୱାସ୍ଥ୍ୟ ସର୍ବେକ୍ଷଣ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ସ୍ୱଚ୍ଛ ସାଥୀ, ସୁପରଭାଇଜର ଓ ବିଭିନ୍ନ ବେସରକାରୀ ସଙ୍ଗଠନର କର୍ମକର୍ତା ପ୍ରମୁଖ ୱାର୍ଡକୁ ୱାର୍ଡ ବୁଲି ଲୋଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଏବଂ ମହାମାରୀ କୋଭିଡ୍-୧୯ ସଂକ୍ରାନ୍ତରେ ସଚେତନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ମଶାଧୂଆଁ ପ୍ରୟୋଗ, ବ୍ଲିଚିଂ ପାଉଡର୍, ମଶାମରା ଔଷଧ ସିଂଜନ କାର୍ଯ୍ୟକୁ ଯଥାଶୀଘ୍ର ଆରମ୍ଭ କରିବାକୁ ଜିଲ୍ଲାପାଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସ୍ଥାନୀୟ ବିଭିନ୍ନ କମ୍ପାନୀ ତଥା କର୍ପୋରେଟ୍ ସଂସ୍ଥା ଏହି ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିବାକୁ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ସେହିପରି ମହାମାରୀ କୋଭିଡ-୧୯ କବଳରୁ ସ୍ଥାନୀୟ ବାସିନ୍ଦା କିଭଳି ସୁରକ୍ଷିତ ରହିବେ ସେ ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବିଦେଶ ତଥା ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ, ସମସ୍ତେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ତ୍ରିବେଣୀ ଆର୍ଥ ମୁଭର୍ସ, ଓଏମ୍ଡିସି, ରୁଙ୍ଗ୍ଟା, ଏସେଲ୍ ମାଇନିଂ, କେ.ଏନ୍ ରାମ, ଆଲୁୱାଲିଆ, ଜିନ୍ଦଲ୍, ଏସ୍.ଏନ୍ ମହାନ୍ତି ଏବଂ ଆର୍ଯ୍ୟନ୍ ଆଇରନ୍ ଏବଂ ଷ୍ଟିଲ୍ କମ୍ପାନୀର ବରିଷ୍ଠ  ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  

Leave A Reply

Your email address will not be published.