ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ} – ପାଖରେ ସିନା ଧନ ନାହିଁ,ପାଖରେ ସିନା କୋଠା ବାଡ଼ି ନାହିଁ ! ହେଲେ ଦାରିଦ୍ର୍ୟର ସେଇ ଜର୍ଜରିତ ଶରୀର ଭିତରେ କିନ୍ତୁ ଖୁନ୍ଦି ହୋଇଛି ବଡ଼ ହୃଦୟ ଟିଏ | ସେଥିପାଇଁ ତ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ଗାଁରେ ଜଳ ସଙ୍କଟ ଦେଖାଦେଇଛି ସେହି ସମୟରେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ଗାଈଗୋରୁ ମାନଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଆଗଭର ହୋଇଛନ୍ତି ସେ | ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଭାଳୁପାଣୀ ପଞ୍ଚାୟତ ଅନ୍ତର୍ଗତ ଏକ ବଣପାହାଡ଼ ଘେରା ଗାଁ ବନ୍ଧାଭୂଇଁ (କୁଳିତା ସାହି) ର ବାସିନ୍ଦା ହେଉଛନ୍ତି ରମେଶ ଭୋଇ(48) | ସ୍ତ୍ରୀ ଓ ଦୁଇ ପୁଅ ଝୀଅଙ୍କୁ ନେଇ ଦଦରା କୁଡ଼ିଆ ଭିତରେ ତାଙ୍କର ଛୋଟିଆ ସଂସାର | ଖାଲି ସ୍ତ୍ରୀ ଆଉ ପୁଅ ଝୀଅ ନୁହେଁ ତ ତାଙ୍କ ସଙ୍ଗେ ସଙ୍ଗେ ଅଭାବ ଓ ଅଝଟ ବି ଦଦରା କୁଡ଼ିଆ ଭିତରେ ସାଥି ହୋଇ ରହିଛନ୍ତି | ହେଲେ ଦୁଃଖ ଓ ଲୁହର ଏତେ ବଡ଼ ପାହାଡ଼ ତଳେ ଚାପି ହୋଇଯାଇଥିବା ରମେଶଙ୍କ ମନ ଭିତରେ କିନ୍ତୁ ଭରିଛି ଗୋ-ମାତାର ସୁରକ୍ଷାକୁ ନେଇ ଅନେକ ଚିନ୍ତା ଓ ଚେତନା | ମୋଟାମୋଟି ଭାବରେ କହିବାକୁ ଗଲେ ଗୋ-ସେବା ହିଁ ତାଙ୍କ ଜୀବନର ଧେୟ ହୋଇସାରିଛି |ଜଣେ ସ୍ଥାନୀୟ ଗ୍ରାମବାସୀଙ୍କ କହିବାନୁସାରେ ଛୋଟ ବୟସରୁ ହିଁ ଗୋ-ମାତାଙ୍କ ପ୍ରତି ରମେଶର ଅହେତୁକ ଦୁର୍ବଳତା ରହିଥିବା ବେଳେ ପିଲା ଦିନରୁ ହିଁ ଗୋ-ସେବା ପ୍ରତି ରହିଛି ତ୍ୟାଗ ଓ ସମର୍ପଣ ଭାବ | ସେଥିପାଇଁ ଦଦରା କୁଡ଼ିଆ ଭିତରେ ଦାନା ଆଉ କନା ନିଅଣ୍ଟ ଥିଲେ ବି ଘରେ କିଛି ଗାଈଗୋରୁ ରଖି ନିତ୍ୟ ଗୋ-ସେବା କରୁଛନ୍ତି ରମେଶ | ତାଛଡା ଗାଁ ରେ କୌଣସି ଗାଈଗୋରୁଙ୍କ ପ୍ରତି କେହି ନିଷ୍ଠୁରତା ପ୍ରଦର୍ଶନ କଲେ ତଥା ଗାଈଗୋରୁ ମାନେ କଷ୍ଟର ସମ୍ମୁଖୀନ ହେଲେ ଭାବବିହ୍ୱଳ ହୋଇ ଉଠନ୍ତି ରମେଶ ଏବଂ ଏହାର ପ୍ରତିକାର କରିବା ପାଇଁ ସଙ୍ଗେ ସଙ୍ଗେ ଧାଇଁ ଆସନ୍ତି ସେ | ବର୍ତ୍ତମାନ ମାତ୍ରାଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ଗାଁ ର ଜଳଉତ୍ସ ଗୁଡିକ ଶୁଖି ଯାଇଥିବା ଯୋଗୁଁ ଗାଁର ଶହ ଶହ ଗାଈଗୋରୁ ମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ କଥା କହିପାରୁନଥିବା ଏଇ ପ୍ରାଣୀଙ୍କ ଅକୁହା କଥାକୁ ହୃଦୟଙ୍ଗମ କରିବା ସହିତ ତାଙ୍କ କଷ୍ଟକୁ ଲାଘବ କରିବା ପାଇଁ ଆଗଭର ହୋଇଛନ୍ତି ସେ | ସେଥିପାଇଁ ଗାଁ ନଳକୂପରେ ଖରାବେଳ ଟାରେ ଘଣ୍ଟା ଘଣ୍ଟା ଧରି ପାଣିମାରି ଶୋଷରେ ଡହଳ ବିକଳ ହେଉଥିବା ଗାଈଗୋରୁଙ୍କ ତୃଷ୍ଣା ମେଣ୍ଟାଉଛନ୍ତି | ରମେଶଙ୍କ ମତରେ ଗୋ-ମାତା ହେଉଛି ସର୍ବ ଦେବୋମୟୀ ଅର୍ଥାତ 33 କୋଟି ଦେବାଦେବୀଙ୍କ ଅଧିକାରିଣୀ | ତେଣୁ ନିଜ ପାଖରେ ଥିବା ଜୀବନ୍ତ ଠାକୁରାଣୀଙ୍କ ସେବା କରିନପାରିଲେ ମଣିଷ ଜୀବନ ମୂଲ୍ୟହୀନ ହେବା ସ୍ୱାଭାବିକ | ତେଣୁ ଆମେ ସମସ୍ତେ ଗୋ-ସେବା କରି ମୋକ୍ଷପ୍ରାପ୍ତିର ପଥିକ ହେବା ଉଚିତ ବୋଲି ରମେଶ ପ୍ରକାଶ କରିଛନ୍ତି | ଆଜି ଯେଉଁଠି ଦିନକୁ ଦିନ ଗାଈଗୋରୁ ତଥା ପଶୁପକ୍ଷୀଙ୍କ ପ୍ରତି ମଣିଷର ଦୟା ଲୁପ୍ତ ହେବାକୁ ବସିଛି, ସେଠି ରମେଶଙ୍କ ଏଭଳି ଗୋ-ସେବା ତଥା ପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ | ଆଶା କରୁଛି ରମେଶ ଗୋ-ସେବାର ଜଣେ ଏଭଳି ସମର୍ପିତ ସାଧକ ହୋଇ ଆମକୁ ସବୁଦିନ ପ୍ରେରିତ କରୁଥିବେ |
Sign in
Sign in
Recover your password.
A password will be e-mailed to you.
Prev Post