ତାମିଲନାଡୁରୁ ଗାଁରେ ଆସି ପହଁଚିଲା  ତ୍ରିନାଥଙ୍କ ମରଶରୀର 

0

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ଖୋଳଖାଳି ଗ୍ରାମ ପଞ୍ଚାୟତ, ବେଠିଆ ବୋରଦା ଗ୍ରାମର ତ୍ରିନାଥ ମହାରଣା (୭୬)ଙ୍କ ମରଶରୀର ତାମିଲନାଡୁରୁ ନିଜ ଗ୍ରାମ ବେଠିଆ ବରଦାରେ ୨୫ ତାରିଖ ସକାଳେ ପହଞ୍ଚିଥିବା ଜଣାପଡିଛି। ଘଟଣା କ୍ରମରେ ସ୍ବର୍ଗତ ତ୍ରିନାଥ ମହାରଣାଙ୍କ ସମେତ ୧୬ ଜଣ ଓଡ଼ିଆ ଶ୍ରମିକ ତାମିଲନାଡୁର ଥିରୁଭେଲୁର ଜିଲ୍ଲାର  ଭାରତୀୟ ପୁଲଭେରୀସେର୍ସ ସିଟିକଟ ଇଣ୍ଡଷ୍ଟ୍ରିଆଲ ପାର୍କ,ପ୍ଲଟ ନଂ ୧୧/୨ ର ଫ୍ୟାକ୍ଟେରୀ ରେ କାମ କରୁଥିଲେ। ଲକ ଡାଉନ ଯୋଗୁଁ କାମ ନମିଳିବା ଯୋଗୁଁ ଚାଲି ଚାଲି ପ୍ରାୟ ୧୫ କି.ମି. ଆସିବା ପରେ ସେହି ୧୬ ଜଣଙ୍କୁ ଥିରୁଭେଲୁର ଜିଲ୍ଲା ମାଦରପଟମ ଥାନା ପୋଲିସ ଅଟକାଇ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ। ସମସ୍ତେ ନିଜ ନିଜ ଗ୍ରାମକୁ ଆସିବା ପାଇଁ ରେଜିଷ୍ଟ୍ରେସନ ମଧ୍ୟ କରିଥିଲେ। ପୋଲସରା ଓ ଜଗନ୍ନାଥପ୍ରସାଦ ବ୍ଲକର ୪ ଜଣ ଥିବା ବେଳେ ଅନ୍ୟ ସମସ୍ତ ୧୨ ଜଣ ବୁଗୁଡା ଅଞ୍ଚଳର ଅଟନ୍ତି। ସେମାନଙ୍କୁ ବୁଗୁଡା ବ୍ଲକକୁ ଫେରାଇ ଆଣିବାକୁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ହଲେ ୨୪ ତାରିଖ ଭୋର ପ୍ରାୟ ସାଢ଼େ ୫ ଘଣ୍ଟା ସମୟରେ ତ୍ରିନାଥ ମହାରଣା କେନ୍ଦ୍ର ବାହାରକୁ ଗଲାବେଳେ ଝୁଣ୍ଟି ପଡିଯାଇଥିଲେ। ଅଚେତ ଅବସ୍ଥାରେ ତ୍ରିନାଥଙ୍କୁ ମେଡିକାଲକୁ ନିଆଯାଇଥିଲା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ମାଦରପଟମ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସେଠାରୁ ସ୍ବର୍ଗତ ତ୍ରିନାଥଙ୍କ ଶବ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ତ୍ରିନାଥଙ୍କ ନିଜ ଗ୍ରାମ ବେଠିଆ ବୋରଦା ଅଣାଯାଇଥିଲା। ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବେଠିଆବୋରଦାରେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ସହ ଖୋଳଖାଳି ପଞ୍ଚାୟତର ସମିତି ସଭ୍ୟ ବିବେକାନନ୍ଦ ବାରିକ ଯାଇଥିବା ବେଳେ ଶବ ସଂସ୍କାର ପର୍ଯ୍ୟନ୍ତ ରହି ସହଯୋଗ କରିଥିଲେ। ତ୍ରିନାଥଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଫସି ରହିଥିବା ଅନ୍ୟ ୧୫ ଜଣଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।

Leave A Reply

Your email address will not be published.