ପୁରୀ,୧୭/୧୦-ଓଡ଼ିଶାର ଜଣାଶୁଣା ଲେଖକ, କବି, ପ୍ରାବନ୍ଧିକ, ସ୍ତମ୍ଭକାର ,ନାଟ୍ୟକାର ଓ ଆଇନଜୀବୀ ଭଗବାନ ଦାଶଙ୍କ ପରଲୋକ ହୋଇଯାଇଛି । ପୁରୀ ଗୁଣ୍ଡିଚା ବିହାର ବାସଭବନ ଠାରେ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ୧୯୫୨ ମସିହା ଫେବୃଆରୀ ୪ ତାରିଖ ପୁରୀଜିଲ୍ଲା ଚନ୍ଦନପୁର ନିକଟସ୍ଥ ବିଜୟ ରାମଚନ୍ଦ୍ରପୁର (କୋରଙ୍ଗା) ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ତାଙ୍କର ପ୍ରବନ୍ଧ ଲେଖିବା ଆଗ୍ରହ ରହିଥିଲା । ଜୀବନର ଶେଷ ପର୍ଯ୍ୟନ୍ତ ସମାଜର ମୁଲ୍ଯବୋଧ ଓ ସାମାଜିକ ସ୍ଥିତି ସମ୍ପର୍କରେ ସ୍ତମ୍ବକାର ଭାବେ ବିଭିନ୍ନ ଖବରକାଗଜରେ ତାଙ୍କ ଲେଖା ପ୍ରକାଶିତ ହୋଇଛି । ସେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅଧିକାରୀ ଭାବେ ଚାକିରି କରି ଅବସର ନେଇଥିଲେ । ସାହିତ୍ଯ ସାଧନା, କବିତା, ଗଳ୍ପ,ପ୍ରବନ୍ଧ ଓ ସମ୍ବ ରଚନା ମାଧ୍ୟମରେ ଜନତାଙ୍କୁ ସଚେତନ କରୁଥିଲେ । ତାଙ୍କ କବିତା ସଂକଳନ ସମୟର ସ୍ବରଲିପି, ସମର୍ପଣ, ଗଳ୍ପ ସଙ୍କଳନ ସମୟ ସବୁ ବଦଳାଇ ଦିଏ ଓ ପ୍ରବନ୍ଧ ସଙ୍କଳନ ଜାଣିଲେ ଜିଣିବ ଆଦି ଉଚ୍ଚ ଲେଖା ଯୋଗୁ ସମାଜରେ ଆଦୃତ ହୋଇଥିଲେ । ତାଙ୍କ ଲେଖା ଦୈନିକ ଖବରକାଗଜ ସମାଜ , ଧରିତ୍ରୀ ପ୍ରଗତିବାଦୀ, ପ୍ରମେୟ , ଅମୃତଦୁନିଆ, ତୀର୍ଥକ୍ଷେତ୍ର, ସମ୍ବାଦ, ଅନେକ ସୂଚନା, ଶାସକ ପ୍ରଶାସକ ଓ ଅପରାହ୍ନ ଖବରକାଗଜରେ ବିଭିନ୍ନ ଲେଖା, କବିତା, ପ୍ରବନ୍ଧ ଆଦି ପ୍ରକାଶ ପାଉଥିଲା । ସେ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ , ସମାଜସେବୀ ଓ ସୁସଂଗଠକ ଭାବେ ପରିଚିତ ଥିଲେ । ତାଙ୍କ ପିତା ସ୍ବର୍ଗତ ରଘୁନାଥ ଦାଶ ଜଣେ ସୁନାମଧନ୍ୟ ଶିକ୍ଷକ ଥିବାବେଳେ ମାତା ତାରାମଣି ଦାଶ ଧର୍ମପରାୟଣା ଗୃହିଣୀ ଥିଲେ । ତାଙ୍କର ଦୁଇଝିଅ ଓ ଏକମାତ୍ର ପୁତ୍ର ସନ୍ତାନ ରହିଛନ୍ତି । ବାସଭବନ ଠାରେ ଧର୍ମପତ୍ନୀ ଶଙ୍କୁନ୍ତଳା ଦାଶ,ବୋହୁ ସୁସ୍ମିତା ରଥ, ନାତି ଆଦିତ୍ଯ ଦାଶ, ଡକ୍ଟର ସିଦ୍ଧିପ୍ରିୟ ମିଶ୍ର, ନାତୁଣୀ ଅଦିତି ଆଦ୍ଯାଶା ମହାପାତ୍ର, ଝିଅ ରଶ୍ମିରେଖା ଦାଶ, ସ୍ମୃତିରେଖା ଦାଶ, ଜ୍ୱାଇଁ ସୁରେନ୍ଦ୍ର କୁମାର ମହାପାତ୍ର ,ଭାଇ ଲିଙ୍ଗରାଜ ଦାଶ,ଭଣଜା ସ୍ରୃଷ୍ଟି ରଞ୍ଜନ ମିଶ୍ର, ବନ୍ଧୁ ପରିବାର , ଆତ୍ମୀୟସ୍ବଜନ, କବି, ସାହିତ୍ୟିକ,ବ୍ଯାଙ୍କ କର୍ମଚାରୀ ସାମ୍ବାଦିକ ଓ ଆଇନଜୀବୀଙ୍କ ସମେତ ଆଖପାଖ ଅଞ୍ଚଳର ବୁଦ୍ଧଜୀବୀ ମାନ୍ଯଗଣ୍ଯ ବ୍ଯକ୍ତିମାନେ ଶେଷ ଦର୍ଶନ କରିଥିଲେ । ପୁତ୍ର ଚନ୍ଦନ କୁମାର ଦାଶ ମୁଖାଗ୍ନି ଦେଇଥିଲେ । ବନ୍ଧୁ ବାନ୍ଧବ,କୁଟୁମ୍ବ, ସାଙ୍ଗସାଥୀଙ୍କ ସମେତ ଗ୍ରାମ କୋରଙ୍ଗା ଓ ପୁରୀ ସହର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖଦ ସମୟ ରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଧାର୍ଯ୍ୟ ଓ ସାହାସ ଦିଅନ୍ତୁ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶାସକ ପ୍ରଶାସକ ପରିବାର ପକ୍ଷରୁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରାଯାଇଛି ।