ଜାରି ହେଲା ଲକ୍‌ଡାଉନ-୪ର ମାର୍ଗଦର୍ଶୀକା, ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲାରହିବ ଦୋକାନ

0 1

ଅବକାରୀ ବିଭାଗର ନିର୍ଦ୍ଦେଶାନାମା ପରେ ଖୋଲିବ ମଦ ଦୋକାନ, ବସ୍‌ ଚଳାଚଳକୁ ଅନୁମତି

ବାରିପଦା,(ଦିଲ୍ଲୀପ ମହାନ୍ତି) :-  କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ-୪ ନିମନ୍ତେ ମାର୍ଗଦର୍ଶୀକା ଜାରି କରିବା ପରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଜିଲ୍ଲାପାଇଁ ବିଭିନ୍ନ ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ନିୟମ ଅନୁସାରେ ଜିଲ୍ଲାରେ ସକାଳ ୭ରୁ ଦିନ ୨ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିପାରିବ। ଔଷଧ ଦୋକାନ ୨୪ଘଣ୍ଟା ଖୋଲା ରହିପାରିବ। ଜିଲ୍ଲା ମଧ୍ୟରେ ବସ୍‌ ଚଳାଚଳକୁ ଅନୁମତି ପ୍ରଦାନ କରାଯାଇଛି। ମଦ ଦୋକାନ ଖୋଲିବା ନିମନ୍ତେ କୁହାଯାଇଛି। ମାତ୍ର ଏଥିନିମନ୍ତେ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାନାମା ଜାରି କରାଯିବ। ସେହିପରି ବିବାହ ନିମନ୍ତେ ମାତ୍ର ୫୦ଜଣ, ଶବ ସତ୍କାର କ୍ଷେତ୍ରରେ ୨୦ଜଣ ଉପସ୍ଥିତ ରହିବାକୁ ନିୟମ କରାଯାଇଛି। ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଲାଗୁହୋଇଥିବା ବ୍ୟାନ୍‌ କିନ୍ତୁ ଜାରିରହିବ। ଏହି ସମୟ‌ ମଧ୍ୟରେ ଜରୁରୀ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କୁ ଛାଡି ଅନ୍ୟକେହି ବାହାରେ ବୁଲିପାରିବେ ନାହିଁ। ସେହିପରି ୧୦ବର୍ଷରୁ କମ୍‌ ଶିଶୁ, ପ୍ରସୂତୀ ମହିଳା ଏବଂ ୬୫ବର୍ଷରୁ ଅଧିକ ବୟସ୍କମାନେ ମଧ୍ୟ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅସ୍ଥାୟୀ ମେଡିକାଲ୍‌ କେନ୍ଦ୍ର(ଟିଏମ୍‌ସି)ର ୫୦ ମିଟର ଦୂରତା ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ ଭାବେ ଘୋଷଣା କରାଯାଇଛି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏକାଥରେ ଗୋଟିଏ ଦୋକାନ ଭିତରକୁ ୫ଜଣରୁ ଅଧିକ ପ୍ରବେଶ କରିପାରିବେ ନାହିଁ। ସେହିପରି ୬ଫୁଟ୍‌ ଦୂରତାର ସାମାଜିକ ଦୂରତା ବଜାୟ ରଖିବାକୁ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସର୍ବସାଧାରଣସ୍ଥାନ ଓ ସାଧାରଣ ପରିବହନ କ୍ଷେତ୍ରରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍‌ଖା, ତମ୍ବାକୁ ଖାଇବା ଏବଂ ମଦ ପିଇବାକୁ ବାରଣ କରାଯାଇଛି। ଏହାସହିତ ପୂର୍ବ ଲକ୍‌ଡାଉନରେ ଥିବା ବିଭିନ୍ନ ପ୍ରତିବନ୍ଧକ ଯେପରି ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ଜିମ୍‌, ସପିଂ ମଲ୍‌, ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ, ଧାର୍ମିକ ଅନୁଷ୍ଠାନ ଆଦି ବନ୍ଦ ରହିବ। ହୋଟେଲ୍‌‌ଗୁଡ଼ିକ କେବଳ ପାର୍ସଲ୍‌ ଦେଇପାରିବେବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.