ମହିମା ଧର୍ମର କୋଟି କୋଟି ଶ୍ରଦ୍ଧାଳୁଙ୍କ ସମେତ ସମଗ୍ର ଓଡିଶା ଓ ସମଗ୍ର ସନ୍ଥ ସମାଜ ପାଇଁ ଅପମାନ : ବିଜେପି

0 1

 ସନ୍ଥ କବି ଭୀମ ଭୋଇ ହେଉଛନ୍ତି ଗର୍ବ ଓ ଗୌରବ ଏବଂ ମହିମା ଧର୍ମର ଶ୍ରେଷ୍ଠ ପ୍ରଚାରକ

 ପୁସ୍ତକରେ ଭୀମ ଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଲେଖାକୁ ଦଳ ପକ୍ଷରୁ ଘୋର ନିନ୍ଦା

ଭୂବନେଶ୍ୱର / ସମ୍ବଲପୁର : ସନ୍ଥ କବି ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକ କେଦାର ମିଶ୍ରଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ଶନିବାର ରେଢାଖୋଲ ଥାନାରେ ଏତଲା ଦିଆଯାଇଛି । ସମ୍ବଲପୁର ଜିଲ୍ଲା ସଭାପତି ଗରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରି ନାୟକ, ସମ୍ବଲପୁର ଜିଲ୍ଲା ପରିଷଦ ଚେୟାରମେନ ରାଧେଶ୍ୟାମ ବାରିକ, ରେଢାଖୋଲର ବିଜେପି ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ରେଢାଖୋଲ ଏନଏସିର ପୂର୍ବତନ ଉପାଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ, ଶିବ ନରାୟାଣ ସାହୁ, ରାମାନୁଜ ମହାପାତ୍ର, ଅଶ୍ୱିନୀ ମାଝୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତାଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଛି ।

ସନ୍ଥ କବି ଭୀମ ଭୋଇ ହେଉଛନ୍ତି ସମଗ୍ର ଓଡିଆ ଜାତି ପାଇଁ ଗର୍ବ ଓ ଗୌରବ । ଗରିବ ଘରେ ଜନ୍ମିତ  ଭୀମ ଭୋଇ ଜନ୍ମରୁ ଅନ୍ଧ ଥିଲେ । ତାଙ୍କୁ ଦିବ୍ୟଜ୍ଞାନ ମିଳିବା ପରେ ସେ ମହିମା ଧର୍ମର ପ୍ରଚାରପ୍ରସାର କରିଥିଲେ, ଯାହା ଆଜିର ଦିନରେ ଓଡିଶା ସମେତ ଅନେକ ରାଜ୍ୟରେ ଧାର୍ମିକ ମାନ୍ୟତା ପାଇପାରିଛି । ମହିମା ଧର୍ମର ଅନୁଗାମୀ ମାନଙ୍କ ପାଇଁ ଭୀମ ଭୋଇ ହେଉଛନ୍ତି ଭଗବାନ ସଦୃଶ ବୋଲି ଏହି ଏତଲାରେ ଉଲ୍ଲେଖ କରାଯାଇଛି ।

ମାତ୍ର ଓଡିଶାର ଜଣେ ଲେଖକ କେଦାର ମିଶ୍ର ତାଙ୍କର ଲିଖିତ ପୁସ୍ତକ ‘ଭୀମ ଭୋଇ ଆଣ୍ଡ ହିଜ୍ ଫିମେଲ୍ କନସର୍ଟସ’ରେ ଭୀମ ଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଥିଲା ବୋଲି ଉଲ୍ଲେଖ କରିଛନ୍ତି । ଭୀମ ଭୋଇ ତାଙ୍କ ଯୁବ ସମୟରେ ଜଣେ ଲେଡି କିଲର ଥିଲେ ବୋଲି ଶ୍ରୀ ମିଶ୍ର ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ତାଙ୍କ ଚରିତ୍ର ଉପରେ ଅତ୍ୟନ୍ତ ଅରୁଚିକର, ମିଥ୍ୟା ଓ ମହିମା ଧର୍ମକୁ ନିଚ୍ଚା ଦେଖାଇବା ପାଇଁ ଶ୍ରୀ ମିଶ୍ର ଘୃଣିତ ପ୍ରୟାସ କରିଛନ୍ତି । ଏହା ମହିମା ଧର୍ମର କୋଟି କୋଟି ଶ୍ରଦ୍ଧାଳୁଙ୍କ ସମେତ ସମଗ୍ର ଓଡିଶା ପାଇଁ ଓ ସମଗ୍ର ସନ୍ଥ ସମାଜ ପାଇଁ ଅପମାନ । ଜଣେ ଅନ୍ଧ ସନ୍ନ୍ୟାସଙ୍କ ପ୍ରତି ଏପରି ଅରୁଚିକର ଲେଖା ଆଦୈା ଗ୍ରହଣୀୟ ନୁହେଁ ବୋଲି ଏତଲାରେ ଉଲ୍ଲେଖ କରାଯିବା ସହ ଏହାକୁ ବିଜେପି ତରଫରୁ ଘୋର ନିନ୍ଦା କରାଯାଇଛି ।

ଏହା ମହିମା ଧର୍ମ, ଭୀମ ଭୋଇ ଓ ସମଗ୍ର  ଓଡିଆ ସମାଜ ବିରୋଧରେ ଚାଲିଥିବା ଏକ ଷଡଯନ୍ତ୍ରର ପ୍ରମାଣ । ଏଭଳି ଷଡଯନ୍ତ୍ରରେ ବିଦେଶ ସଂସ୍ଥା ବିଶେଷ ଭାବରେ ଭାରତ ବିରୋଧୀ ଶକ୍ତିମାନଙ୍କର ସଂପୃକ୍ତ ରହିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ଘଟଣାର ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି 

 

Leave A Reply

Your email address will not be published.