
ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ, ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ୨୦୦୯ ସାଧାରଣ ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ମଙ୍ଗରାଜ ପୂର୍ବାହ୍ଣ ୧୦ଟା ସମୟରେ ଏୟାରପୋର୍ଟ ଛକସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରାରେ ଆସି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନବୀନ ନିବାସ ଠାରେ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ମାନସ ମଙ୍ଗରାଜଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ “ମାନସ ମଙ୍ଗରାଜ ଆଜି ଦଳରେ ସାମିଲ ହୋଇଥିବାରୁ ମୁଁ ବହୁତ ଆନନ୍ଦିତ । ଦଳ ଅଧିକ ଶକ୍ତିଶାଳୀ ହେବାରେ ତାଙ୍କ ଯୋଗଦାନ ସହାୟକ ହେବ । ଏହି ଅବସରରେ ମୁଁ ମାନସଙ୍କ ସହିତ ତାଙ୍କ ସମର୍ଥକଙ୍କୁ ସ୍ୱାଗତ ଜଣାଉଛି ।”
ଅନ୍ୟପକ୍ଷରେ ମାନସ ମଙ୍ଗରାଜ କହିଥିଲେ ଯେ ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛି । ମୁଖ୍ୟମନ୍ତ୍ରୀ ଯାହା ମୋତେ କାର୍ଯ୍ୟ ଦେବେ ସବୁ କାର୍ଯ୍ୟ କରିବାକୁ ମୁଁ ପ୍ରସ୍ତୁତ ଅଛି । ମୁଁ ବିଧାୟକ ହେବା ପାଇଁ ଆସିନାହିଁ, ଦଳକୁ କିପରି ଅଧିକ ସଂଗଠିତ କରାଯାଇପାରିବ ସେଥିପାଇଁ ଦଳକୁ ଆସିଛି ବୋଲି ଶ୍ରୀ ମଙ୍ଗରାଜ କହିଥିଲେ । ଶ୍ରୀ ମଙ୍ଗରାଜଙ୍କ ସହ ଚିଲିକା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପବିତ୍ର ହରିଚନ୍ଦନ, ବାଣପୁର ବ୍ଲକ କାର୍ଯ୍ୟକାରୀ ସଭାପତି ସୁଦାମ ଚରଣ ବାରିକ, ସାଧାରଣ ସଂପାଦକ ଅକ୍ଷୟ କୁମାର ମାଳି, ଖୋର୍ଦ୍ଧା ଜିଲ୍ଲା ସଂପାଦକ ସୌରୀ ଦାସଙ୍କ ସମେତ ୧୫୦୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।
ଏହି ଯୋଗଦାନ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଦଳର ସାଧାରଣ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧୃବ ସାହୁ, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ଉପଦେଷ୍ଟା ସଂଜୟ ବାବୁ, ସାଂଗଠନିକ ସଂପାଦକ କୁମାର ଜଗତବଲ୍ଲଭ ମହାରଥାଙ୍କ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।