ମୋବାଇଲ ନ ଦେବାରୁ ବ୍ଲେ୍ଲଡରେ ବେକକୁ ଆକ୍ରମଣ, ଅଭିଯୁକ୍ତ ଚମ୍ପଟ

0

 

ବଡବିଲ,(ଚିତରଂଜନ କର)-  କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ରାଜ୍ୟ ରାଜପଥର ଷ୍ଟେଟ ବ୍ୟାଙ୍କ ନିକଟରେ ମଙ୍ଗଳବାର ରାତି ରେ ଜଣେ ଦୁର୍ବୃତଙ୍କୁ ମୋବାଇଲ ନ ଦେବାରୁ ବ୍ଲେଡ ସାହାଯ୍ୟରେ ଯୁବକଙ୍କ ବେକକୁ ଆକ୍ରମଣ କରି ଚମ୍ପଟ ହୋଇଥିବା ଘଟଣା ଅଂଚଳରେ ବେଶ ଆଲୋଚନା ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଡବିଲ ସହର ମୂଖ୍ୟ ରାସ୍ତାର ଷ୍ଟେଟବ୍ୟାଙ୍କ ମୂଖ୍ୟ ଶାଖା ନିକଟରେ । ସୁଚନା ଅନୁଯାୟୀ, ଟାଟା ହଟିଂ ନିକଟରେ ରହୁଥିବା ଅଶୋକ ଚାତାର ନାମକ ଯୁବକ ମଙ୍ଗଳବାର ରାତି ପ୍ରାୟ ୮ ଟା ବେଳେ ଷ୍ଟେଟ ବ୍ୟାଙ୍କ ଆଡକୁ ନିଜ ମୋବାଇଲ ଯୋଗେ କଥା ହୋଇ ଯାଉଥିଲେ । ଅଶୋକଙ୍କ ସହ ତାଙ୍କର ଅନ୍ୟ ଜଣେ ସାଙ୍ଗ ମଧ୍ୟ ଥିଲେ । ରାସ୍ତାରେ ଲୋକମାନଙ୍କ ଚଳପ୍ରଚଳ ମଧ୍ୟ ଥିଲା । ଏହି ସମୟରେ ହଠାତ ଜଣେ ଅଚିହ୍ନା ଯୁବକ ଅଶୋକଙ୍କ ନିକଟକୁ ଆସି କଥାହେବାକୁ ମୋବାଇଲ ମାଗିଥିଲେ । ତେବେ ମୋବାଇଲରେ ବାଲାନ୍ସ କମ୍ଥିବା କହି ଅଶୋକ ମୋବାଇଲଟି ଦେବାକୁ ଅସହମତ ହୋଇଥିଲେ । ଏଥିରେ ସେହି ଅଚିହ୍ନା ଯୁବକ ଜଣକ ଅଶୋକଙ୍କ ହାତରୁ ମୋବାଇଲଟିକୁ ଛଡାଇନେବାକୁ ଉଦ୍ୟମ କରିଥିଲେହେଁ ବିଫଳ ହେବାରୁ ପକେଟରୁ ଏକ ଧାରୁଆ ବ୍ଲେଡ ବାହାର କରି ଅଶୋକଙ୍କ ବେକକୁ ଆକ୍ରମଣ କରି ଚମ୍ପଟ ମାରିଥିଲେ । ତେବେ ଅଶୋକଙ୍କୁ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ବଡବିଲଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ଅଶୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଥିବା ଜଣାପଡିଛି । ଖବର ପାଇ ପୋଲିସ ବୁଧବାର ଦିନ ଚିକିତ୍ସାଧିନ ଅଶୋକଙ୍କୁ ପଚରା ଉଚରା କରି ତଦନ୍ତ ଆରମ୍ଭ କରିଛି ହେଲେ ଏଯାଏଁ ଦୁର୍ବୃତଙ୍କର କୌଣସି ସୁରାକ ମିଳିପାରିନାହିଁ ।

Leave A Reply

Your email address will not be published.