ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ଏବଂ ସହରାଂଚଳର ଶକ୍ତିକେନ୍ଦ୍ରରେ ବିଜେପି ପାଳନ କରିବ ଉକ୍ରଳ ଦିବସ : ବସନ୍ତ ପଣ୍ଡା
ଭାଷା ଓ ସଂସ୍କୃତିର ପୁନଃଜାଗରଣ କରିବା ପାଇଁ ଆଗାମୀ ଉତ୍କଳ ଦିବସ ଅବସରରେ ଓଡିଆ ଭାଷା ଓ ସଂସ୍କୃତିର ପୁର୍ନଜାଗରଣ କରିବା ପାଇଁ ବିଜେପିର ପ୍ରତ୍ୟେକ ସକ୍ରିୟ ସଦସ୍ୟମାନେ ସଂକଳ୍ପ ନେବେ
ଓଡିଆ ଭାଷାକୁ ମାନ୍ୟତା ପ୍ରଦାନ ଲାଗି ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମସ୍ତ ମହାପୁରୁଷମାନଙ୍କୁ ସ୍ମରଣ କରାଯିବ
ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ପଦେକ୍ଷପ ନିଆଯାଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଭୁବନେଶ୍ୱରରୁ ଚକ୍ରଧର ମାଝି : ଓଡିଆ ଭାଷା ଓ ସଂସ୍କୃତିର ପୁର୍ନଜାଗରଣ କରିବା ପାଇଁ ଆଗାମୀ ଉକ୍ରଳ ଦିବସ ଅବସରରେ ବିଜେପିର ପ୍ରତ୍ୟେକ ସକ୍ରିୟ ସଦସ୍ୟମାନେ ସଂକଳ୍ପ ନେବେ । ଏଥି ସହ ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ଜୋନ ଏବଂ ସହରାଚଂଳର ଶକ୍ତିକେନ୍ଦ୍ରମାନଙ୍କରେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ । ଏହି କାର୍ଯ୍ୟକ୍ରମରେ ବିଜେପିର ଦଳୀୟ ନେତା, କାର୍ଯ୍ୟକର୍ତା ଏବଂ ନୂତନ ପିଢୀର ଯୁବକମାନେ ଯୋଗଦାନ କରିବେ । ରାଜ୍ୟର ଭାଷା ଓ ସଂସ୍କୃତିର ବିକାଶ ଦିଗରେ ଯୁବପିଢୀଙ୍କୁ ଏକାଠୀ କରି ନୂତନ ଓଡିଶା ଗଠନ କରିବା ସହ ରାଜ୍ୟକୁ ବିକାଶର ପଥରେ ଆଗେଇ ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
‘ଓଡିଶା’ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ପରିଗଣିତ ହୋଇଛି । ଭାଷା ବିନା ଗୋଟିଏ ଜାତିର ଇତିହାସ, ସଂସ୍କୃତି ଓ ଐତିହ୍ୟ ସଂର୍ପକରେ ଜାଣିବା ଅସମ୍ଭବ । ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଏହା ଦା୍ୱରା ଓଡିଆ ଭାଷା ଓ ସଂସ୍କୃତିର ଉନ୍ନତି ହୋଇପାରିବ । କିନ୍ତୁ ଆଜି ଓଡିଆ ଭାଷା ଓ ସଂସ୍କୃତିର ଅବକ୍ଷୟ ହୋଇଛି । ଯୁବପିଢୀମାନଙ୍କ ଦ୍ୱାରା ସମୟାନୁକ୍ରମେ ଓଡିଆ ଭାଷା ପ୍ରତି ଆଦର କମିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଆଜି ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଠିକ୍ ଢଙ୍ଗରେ ଓଡିଆ କହି ପାରିଲେ ନାହିଁ । ସେହିପରି ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ପଦେକ୍ଷପ ନିଆଯାଇନାହିଁ । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ଓଡିଆ ବିଭାଗରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମନରେ ଆଗ୍ରହ ବଢାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁନାହାଁନ୍ତି । ସିଟ୍ ଖାଲି ଥିଲେ ମଧ୍ୟ ନିଯୁକ୍ତି ନଥିବା କାରଣରୁ ଶିକ୍ଷିତ ଯୁବକ ଯୁବତୀମାନେ ଓଡିଆ ବିଭାଗରେ ନାମ ଲେଖାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି । ଓଡିଆ ବିଭାଗରେ ଶିକ୍ଷକ ଏବଂ ଅଧ୍ୟାପକ ନାହାଁନ୍ତି । ରାଜ୍ୟ ସରକାର କେବଳ ଭାଷା ସୁରକ୍ଷା ନିୟମ କରିଛନ୍ତି । କିନ୍ତୁ ସେ ନିୟମକୁ ଆଜି ପର୍ଯ୍ୟନ୍ତ ପାଳନ କରିପାରିନାହାଁନ୍ତି । ଏବେ ବି ସରକାରୀ କାର୍ଯ୍ୟାଳୟ ଗୁଡିକରେ ଇଂରାଜୀ ଭାଷାରେ କାର୍ଯ୍ୟ କରାଯାଉଛି । ଏହା ସଂପୂର୍ଣ୍ଣରୂପେ ମାତୃଭାଷା ପ୍ରତି ଅପମାନ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ବଂଚାଇ ରଖିବା ପାଇଁ କବିସୂର୍ଯ୍ୟ ବଳଭଦ୍ର ରଥ, ଗୋପବନ୍ଧୁ ଦାସ, ଉପେନ୍ଦ୍ର ଭଂଜ, ଭକ୍ତ କବି ମଧୁସୂଦନ ଦାଶ, ବଳରାମ ଦାସ, ଜଗନ୍ନାଥ ଦାସ, ପୁରୁଷୋତମ ଦେବ, ଶାରଳା ଦାସ, ଭୀମ ଭୋଇ, ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗୈାରୀ ଶଙ୍କର ରାୟଙ୍କ ସମେତ ଅନେକ କବି ଓ ଲେଖକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଓଡିଆ ଭାଷାର ସୁରକ୍ଷା ସହ ସ୍ୱତନ୍ତ୍ର ଓଡିଶା ଗଠନରେ ପାରଳା ମହାରାଜା କୃଷ୍ନଚନ୍ଦ୍ର ଗଜପତି, ଶ୍ରୀ ରାମଚନ୍ଦ୍ର ଭଞ୍ଜ, ବାମଣ୍ଡା ରାଜା ସୁଢଲ ଦେବ ପ୍ରମୁଖଙ୍କୁ ଉକ୍ରଳ ଦିବସ ଅବସରରେ ବିଜେପି କାର୍ଯ୍ୟକର୍ତାମାନେ ସ୍ମରଣ କରିବା ସହ ସେମାନଙ୍କ ଯଶକୁ ଜନମାନସରେ ପହଂଚାଇବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଉକ୍ରଳ ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସମସ୍ତ ସ୍ଥାନରେ ସଫଳ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।