ଖଣିଜ ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗିରଫ

ବଡବିଲରୁ ଚିତରଂଜନ କର – କେନ୍ଦୁଝର ଜିଲ୍ଲା ବଡବିଲଥାନା ଠାକୁରାଣୀସ୍ଥିତ କେପି ଏଂଟର ପ୍ରାଇଜେସ ଖଣିରୁ ଖଣିଜ ପରିବହନକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ପୋଲିସ ଶୁକ୍ରବାର ଦିନ ୫ଜଣ ଟ୍ରକ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ବଡବିଲରେ ନବ ନିଯୁକ୍ତ ଏସଡିପିଓ ରାହୁଲ ଜୈନ ଏକ ପ୍ରେସ ମିଟରେ ସୂଚନା ଦେଇ କହିଛନ୍ତି ଯେ, ହିଂସାକୁ ବରଦାସ୍ତ କରାଯିବ ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୫ ତାରିଖ ବିଳମ୍ବିତ ରାତିରେ ଠାକୁରାଣୀ ସ୍ଥିତ କେପି ଏଂଟରପ୍ରାଇଜେସ ଖଣି ନିକଟରେ ଖଣିଜ ପରିବହନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଅଭିଯୋଗକାରୀ ଇମ୍ରାନ ଖାନଙ୍କ ଏତଲାକ୍ରମେ ପୋଲିସ ବଡବିଲ ଥାନା କେଶ ନଂ ୫୧ ଅନୁଯାୟୀ ମରଣାନ୍ତକ ଆକ୍ରମଣ ଓ ମୋବାଇଲ ଲୁଟ ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପିଏଚଡି ରୋଡ ଅଂଚଳର କି୍ରପାଲ ସିଂହ, ଜସପାଲ ସିଂହ, ହରପାଲ ସିଂହ, ଅବତାର ସିଂହ ଏବଂ ବଡବିଲ ଆରଟିଓ ଅପିସ ନିକଟରେ ରହୁଥିବା ରାଜିନ୍ଦର ସିଂହ । ବଡବିଲରେ ଅପରାଧ ମୂଳକ ସମସ୍ୟାର ସମାଧାନ ନେଇ ଏସଡିପିଓ ରାହୁଲ ଜୈନ ବଡବିଲ ଥାନାରେ ଏକ ପ୍ରେସମିଟ କରିଛନ୍ତି । ବଡବିଲରେ ଟ୍ରାଫିକ ସମସ୍ୟା, ଚୋରୀ, ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ, ଦୁର୍ଘଟଣା ଆଦି ଉପରେ ଗଣମାଧ୍ୟମର ପ୍ରତିନିଧିମାନେ ଏସଡିପିଓଙ୍କୁ ଅବଗତ କରାଇଥିଲାବେଳେ ପୋଲିସ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଥିଲେ ରାହୁଲ ଜୈନ । ତେବେ ଜନସାଧାରଣଙ୍କ ସହଯୋଗରେ ଅପରାଧ ହଟିପାରିବ ବୋଲି ଏସଡିପିଓ ଗଣମାଧ୍ୟମକୁ କହବା ସହ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନାହିଁ ଓ ଏହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।