ବାଲେଶ୍ୱରରୁ ଉଜ୍ଜ୍ୱଳ କର : ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଜେପି ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ଫୋକସ କରାଯାଉଛି । ଏହିକ୍ରମରେ ଚିଟ୍ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ନେଇ ଜିଲ୍ଲା ବିଜେପି ଅଣ୍ଟା ଭିଡ଼ିଥିବା ଲକ୍ଷ୍ୟ କରାଯାଇଛି । ଦଳର ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କୁ ଭେଟି ହାଇଟେକ୍ ରିଜିଓନାଲ କୋ-ଅପରେଟିଭ୍ ସଂସ୍ଥା ଦ୍ୱାରା ଜିଲ୍ଲାରେ ହୋଇଥିବା ଠକେଇ ସମ୍ପର୍କରେ ଅବଗତ କରିଛନ୍ତି । ଜିଲ୍ଲାର ଗରିବ ଲୋକଙ୍କ କଷ୍ଟାର୍ଜିତ କୋଟି କୋଟି ଟଙ୍କାକୁ ସଂସ୍ଥାର ମୁଖ୍ୟ ଅର୍ଜୁନ ଚରଣ ଦାସ ଲୁଟି ନେଇଥିବା ସେମାନେ ଆରୋପ ଉଠାଇଛନ୍ତି । ଏନେଇ ତୁରନ୍ତ ଏକ କମିଟି ଗଠନ ପୂର୍ବକ ଜମାକାରୀଙ୍କୁ ଚିହ୍ନଟ ସହ ଠକ ସଂସ୍ଥାର ମାଲିକ ତଥା ଅନ୍ୟାନ୍ୟ ପଦାଧିକାରୀଙ୍କ ଗିରଫ ପାଇଁ ସେମାନେ ଦାବି କରିଛନ୍ତି । କେବଳ ହାଇଟେ୍ କୋ-ଅପରେଟିଭ୍ ସଂସ୍ଥା ନୁହେଁ ବରଂ ଜିଲ୍ଲାରୁ ଠକି ନେଇଥିବା ଅନ୍ୟାନ୍ୟ ସଂସ୍ଥାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି । ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଦଳ ତୀବ୍ର ଆନେ୍ଦାଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଦଳ ପକ୍ଷରୁ ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ବିଜେପି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଜମାକାରୀ ଉପସ୍ଥିତ ଥିଲେ ।