ମାସାର ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ Recent News By SPNEWS On Mar 30, 2018 0 Share ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ଏକ ଅଣରାଜନୈତିକ ଆଦିବାସୀ ଛାତ୍ର ସଙ୍ଗଠନ ମାସା ପକ୍ଷରୁ ଦିଆଯାଇଥିବା ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ ୧୨ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରାର ମିଶ୍ରିତ ପ୍ରଭାବ ଜନସାଧାରଣଙ୍କ ଉପରେ ପ୍ରତିଫଳିତ ହୋଇଥିବାର ପରିଲକ୍ଷିତ ହୋଇଛି । ବାରିପଦା ମୁ୍ୟନିସିପାଲିଟି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କଚେରୀ ଆଦିରେ କାମକାର୍ଯ୍ୟ ସ୍ୱଭାବିକ ଭାବେ ଆରମ୍ଭ ହୋଇଥିବା ବେଳେ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଥିଲା । ହାଟବଜାର, ବ୍ୟବସାୟୀକ ପ୍ରତିଷ୍ଠାନଗୁଡ଼ିକ ଆଂଶିକ ଖୋଲା ରହିଥିବା ବେଳେ ଯାତ୍ରୀ ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇ ଥିଲା । ବାରିପଦା ସହର ଉପକଣ୍ଠ ମଧ୍ୟ ଦେଇଯାଇ ଥିବା ୧୮ ନଂ ଜାତୀୟ ରାଜପଥ ଉପରେ କେବଳ ବାଇକ ଚାଳକମାନଙ୍କ ଯାତାୟତ ବ୍ୟତୀତ ଚାରି ଚକିଆ ଯାନ ଆଦି ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଥିଲା । ଆନ୍ଦୋଳନକାରୀମାନେ ପାଲବଣି, ଦାରୋଗାଡ଼ାହି ଓ ମୁର୍ଗାବାଡ଼ି ଗୋଲେଇ ଆଦିରେ ରାଜପଥକୁ ଅବରୋଧ କରିଥିଲେ । ବ୍ୟାଙ୍କ ସେବାଗୁଡ଼ିକ ପୂର୍ବାହ୍ନ ସାଢେ଼ ୧୧ଟା ପରେ ଅଚଳ ହୋଇପଡ଼ିଥିଲା । ମୟୂରଭଞ୍ଜ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଷ୍ଟାଇପେଣ୍ଡ ଟଙ୍କା ମିଳିବାରେ ବିଳମ୍ବକୁ ନେଇ ବିଭିନ୍ନ ଆଦିବାସୀ ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଉହ୍ଲାଇ ଆସିବାକୁ ବାଧ୍ୟ ହୋଇଛନ୍ତି । ସମସ୍ୟାର ସମାଧାନ ଦାବିରେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନକୁ ମାସା ଓ ମାରିସା ଆଦି ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ଦାବି ଓ ସ୍ମାରକପତ୍ର ଆଦି ପ୍ରଦାନ କରାଯାଇ ଆସୁଥିଲେ ମଧ୍ୟ ପ୍ରଶାସନ ଏଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାରେ ସଫଳ ହୋଇପାରି ନାହାନ୍ତି । ବାରିପଦା ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଫାଟକରେ ମାର୍ଚ୍ଚ ୧୯ରୁ ମାସା ସଂଗଠନର ସମର୍ଥକମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ତାଲା ବନ୍ଦ ଆନେ୍ଦାଳନ । ଆନେ୍ଦାଳନ ୧୦ ଦିନ ଧରି ଚାଲିଆସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବା ଫଳରେ ମାସା ମାର୍ଚ୍ଚ ୨୯ ଗୁରୁବାର ୧୨ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା ଦେଇଥିଲା । ଏହି ବନ୍ଦ ପାଳନର ନେତୃତ୍ୱ ମାସାର ସଭାପତି ଶୁକଲାଲ ମାର୍ଣ୍ଡି ନେଇଥିବା ବେଳେ ଉପସଭାପତି ମୁକେଶ ମାର୍ଣ୍ଡି, ସମ୍ପାଦକ ଆଇଁଠୁ ଟୁଡ଼ୁ, ଦିନେଶ କୁମାର ମୁର୍ମୁ, ପୂର୍ଣ୍ଣ ଚନ୍ଦ୍ର ଟୁଡ଼ୁ, ଯଦୁ ନାଥ ସୋରେନ, ସାଲଗେ ହାଁସଦାଃ, ବିଷ୍ଣୁପ୍ରିୟା ସିଂ, ଶାଙ୍ଖି ମଣି ହାଁସଦାଃ, ମୟ ମଞ୍ଜରୀ ସୋରେନ, ଦାନଗୀ ସୋରେନ, ମାଗରାଇ ନାଏକ, କୁଶାଲ ଟୁଡ଼ୁ, ଲାଲୁ ଟୁଡ଼ୁ, ରାମଦାସ କିସ୍କୁ ପ୍ରମୁଖ ଶତାଧିକ ସଂଗଠନର ସଦସ୍ୟ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଇବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅୱିନାଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା । ଜିଲ୍ଲାରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟକରିଆସୁଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଦେଖାଦେଇଥିବା ଅଚଳାବସ୍ଥାକୁ ଜନସାଧାରଣ ଦାୟୀ କରାଇଛନ୍ତି । ବିଭାଗ ଅଧୀନରେ ଥିବା ଆଦିବାସୀ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ାଠାରୁ ଆରମ୍ଭ କରି ଛାତ୍ରୀ ନିବାସ, ବିଦ୍ୟାଳୟ ପରିଚାଳନାରେ ଅବ୍ୟବସ୍ଥା, ମଧ୍ୟାହ୍ନ ଭୋଜନରେ ଦୁର୍ନୀତି, ଶିକ୍ଷକ ସମସ୍ୟା ଆଦିକୁ ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ବିଭିନ୍ନ ସମୟରେ ପଳାଇ ଆସି ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ଜଣାଉଥିବା ବେଳେ ବର୍ତ୍ତମାନ ସେମାନଙ୍କର ଷ୍ଟାଇପେଣ୍ଡ ଟଙ୍କାକୁ ନେଇ ବନ୍ଦ ପାଳିତ ହୋଇଛି । ପ୍ରକାଶ ଥାଉକୁ, ମାର୍ଚ୍ଚ ୨୮ରେ ଅନ୍ୟ ଏକ ଆଦିବାସୀ ଛାତ୍ର ସଙ୍ଗଠନ ମାରିସା ପକ୍ଷରୁ ମଧ୍ୟ ଷ୍ଟାଇପେଣ୍ଡ ଟଙ୍କା ଦାବିରେ ଦୁଇଘଣ୍ଟିଆ ରାଜପଥ ଅବରୋଧ କରାଯାଇଥିଲା । 0 Share FacebookTwitterGoogle+ReddItWhatsAppPinterestEmail