ଜହର ସୂଅ କବଳରେ ଜୀବନ

0

 ଜହର ସୂଅ କବଳରେ ଜୀବନ 

ବ୍ରାହ୍ମଣୀ ଏବଂ ଏହାର ଉପନଦୀ ଓ ଶାଖାନଦୀର ଜଳ ବହୁ ମାତ୍ରାରେ ପ୍ରଦୂଷିତ

ଭୁବନେଶ୍ୱର : ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ତାହାର ଉପନଦୀ ଓ ଶାଖାନଦୀଗୁଡ଼ିକର ଜଳ ବହୁ ମାତ୍ରାରେ ପ୍ରଦୂଷିତ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା କରାଯାଉଥିବା ପରୀକ୍ଷଣରୁ ଜଣାପଡ଼ୁଛି ଯେ ଅନ୍ୟୁନ  ୨୮ଟି ସ୍ଥାନରେ ଏହି ନଦୀଗୁଡ଼ିକର ଜଳ ବ୍ୟବହାର ଉପଯୋଗୀ ନୁହେଁ । ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହା ସ୍ୱୀକାର କରିଛନ୍ତି । 

ଶଙ୍ଖ ଓ କୋଏଲ୍ ନଦୀ ଝାଡ଼ଖଣ୍ଡରୁ ବାହାରି ରାଉରକେଲା ନିକଟବର୍ତ୍ତୀ ବେଦବ୍ୟାସଠାରେ ମିଶି ବ୍ରାହ୍ମଣୀ ନଦୀ ସୃଷ୍ଟି ହୋଇଛି । ବ୍ରାହ୍ମଣୀ ଅନ୍ୟୁନ ୬ଟି ଜିଲ୍ଲାର ବ୍ୟାପକ ଅଞ୍ଚଳରେ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି । ୨୦୧୭ରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଦ୍ୱାରା ବ୍ରାହ୍ମଣୀ ନଦୀ ସମୂହର ୪୧ଟି ସ୍ଥାନରେ କରାଯାଇଥିବା ନିୟମିତ ପରୀକ୍ଷଣରୁ ଜଣାପଡ଼ିଛି ଯେ ୪ଟି ସ୍ଥାନରେ ବାୟୋକେମିକାଲ୍ ଆଣ୍ଟିଜେନ  ଡିମାଣ୍ଡ ଓ ଟୋଟାଲ୍ କୋଲିଫର୍ମର ମାତ୍ରା ଅଧିକ ରହିଥିବା ବେଳେ ଗୋଟିଏ ସ୍ଥାନରେ କେବଳ ବାୟୋକେମିକାଲ ଆଣ୍ଟିଜେନ  ଡିମାଣ୍ଡ ଓ ୨୩ଟି ସ୍ଥାନରେ କେବଳ ଟୋଟାଲ୍ କୋଲିଫର୍ମ ଯୋଗୁ ନଦୀର ଜଳ ସର୍ବନିମ୍ନ ବ୍ୟବହାର ପାଇଁ ଆବଶ୍ୟକ “ଗ’ ଶ୍ରେଣୀ ଠାରୁ ଖରାପ ରହୁଛି । 

ବ୍ରାହ୍ମଣୀ ନଦୀ ସମୂହରେ ରାଉରକେଲା, ତାଳଚେର, ଢେଙ୍କାନାଳ, ଯାଜପୁର ଓ ଭୁବନ ସହରାଞ୍ଚଳରୁ ନିର୍ଗତ ନର୍ଦ୍ଧମା ଜଳ ମିଶୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନା, ଅନୁଗୁଳରେ ନାଲ୍କୋ ସ୍ମେଲଟର୍ ଓ ତାପଜ ବିଦୁ୍ୟତ୍ କେନ୍ଦ୍ର, ଭୂଷଣ ଷ୍ଟିଲ୍, କଣିହାଁର ତାରଚେର ସୁପର୍ ଥର୍ମାଲ୍, ନବଭାରତ ସମେତ କଳିଙ୍ଗନଗରରେ ଥିବା ବହୁ କାରଖାନାର ବର୍ଜ୍ୟ ଜଳ ବିଶୋଧିତ ହୋଇ ବ୍ରାହ୍ମଣୀ ନଦୀ ସମୂହରେ ମିଶୁଛନ୍ତି । ସୁକିନ୍ଦା ଅଞ୍ଚଳର ୧୦ଟି କ୍ରେମାଇଟ୍ ଖଣି ସମେତ ତାଳଚେର ଅଞ୍ଚଳର କୋଲିଆରି ଅଞ୍ଚଳର ବିଶୋଧିତ ବର୍ଜ୍ୟ ଜଳ ଏହି ନଦୀ ସମୂହରେ ପଶୁଛି । 

ଏହି ନଦୀଜଳ ପ୍ରଦୂଷଣ ସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ ବାରମ୍ବାର ସମ୍ପୃକ୍ତ ପୌରସଂସ୍ଥାମାନଙ୍କୁ ପରାମର୍ଶ ଦେବା ସହିତ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ଗୃହ, ନଗର ଉନ୍ନୟନ, ଜନସ୍ୱାସ୍ଥ୍ୟ ବିଭାଗ ଆଦିକୁ ପଦକ୍ଷେପ ନେବା ଲାଗି ବାରମ୍ବାର ଅନୁରୋଧ କରୁଛନ୍ତି । ଏହାସତ୍ତେ୍ୱ ବି ବ୍ରାହ୍ମଣୀ ନଦୀ ସମୂହର ଜଳରାଶି ପ୍ରଦୂଷଣ ମୁକ୍ତ ହୋଇପାରୁନାହିଁ । ବ୍ରାହ୍ମଣୀରେ ମିଶିବା ପୂର୍ବରୁ ରାଉରକେଲା ନିକଟରେ ତାହାର ଉପନଦୀ ଶଙ୍ଖ ଓ କୋଏଲ୍ର ଜଳ ବେଶ୍ ପ୍ରଦୂଷିତ । ପାନପୋଷ, ରାଉରକେଲା, ବଣାଇଗଡ଼, ସମଲ, ତାଳଚେର, ମଣ୍ଡାପାଲ, ଢେଙ୍କାନାଳ, ଧର୍ମଶାଳା, ପଟ୍ଟାମୁଣ୍ଡାଇ ଆଦି ନିକଟରେ ବ୍ରାହ୍ମଣୀର ଜଳ “ଗ’ ବର୍ଗଠାରୁ ମଧ୍ୟ ତଳେ ଅଛି । 

ବ୍ରାହ୍ମଣୀର ଅନ୍ୟତମ ଶାଖା ନଦୀ ମନ୍ଦିରା, ଖରସୁଅାଁ, ବଡ଼ଝୋର, ଗଣ୍ଡାନାଳ, ଲିଙ୍ଗିରା, ରାମିଆଳ, ଗଙ୍ଗାରୁନାଳ, ସିଙ୍ଗଡ଼ାଜୋର, ଟିକିରା, କାରୋ ଆଦି ନଦୀର ଜଳ ବିଞ୍ଝାରପୁର, ଆଳି, ମାର୍ଥାପୁର, ଅନୁଗୁଳ, କଣିହାଁ, ବଡ଼ବିଲ ପ୍ରଭୃତି ସ୍ଥାନରେ ବି “ଗ’ ବର୍ଗଠାରୁ ନିମ୍ନରେ ଥିବା ସରକାରଙ୍କ ପକ୍ଷରୁ ସ୍ୱୀକାର କରାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ “କ’ ଏବଂ “ଖ’ ବର୍ଗର ଜଳ ପାନୀୟ ଉପଯୋଗୀ ହୋଇଥିବା ବେଳେ “ଗ’ ବର୍ଗ ଭୁକ୍ତ ଜଳକୁ ଉପଯୁକ୍ତ ବିଶୋଧନ ପରେ ପାନୀୟ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ବ୍ରାହ୍ମଣୀ ନଦୀକୁ ଏଭଳି ଦୂରବସ୍ଥାରୁ ରକ୍ଷା କରାନଗଲେ ତାହା କ୍ରମଶଃ ଏକ ନର୍ଦ୍ଧମାରେ ପରିଣତ ହେବ ବୋଲି ବିଧାୟକ ଶ୍ରୀ ରାୟ ଆଶଙ୍କା ବ୍ୟକ୍ତ କରିଛନ୍ତି । 

 

Leave A Reply

Your email address will not be published.