ଚେୟାର ଅଛି, ହେଲେ ଗୋଡ ଭାଙ୍ଗିଯାଇଛି On Mar 29, 2018 19 Share ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଚେୟାର ସବୁ ଅଚଳ : କେଉଁଠି ପ୍ରଫେସର ନାହାନ୍ତି ଭୁବନେଶ୍ୱର, ୨୯ା୦୩: ଓଡ଼ିଆ ଭାଷାର ବିକାଶ ତଥା ପ୍ର·ର ପ୍ରସାର ପାଇଁ ରାଜ୍ୟ ସରକାର ନୂଆଦିଲ୍ଲୀର ଜବାହରଲାଲ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଅର୍ଥ ଖର୍ଚ୍ଚ କରି ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା କରିଥିବା ବେଳେ ଓଡ଼ିଶାରେ କିନ୍ତୁ ଯେଉଁ ଅଳ୍ପ କେତୋଟି ଚେୟାର ବିଶ୍ୱବିଦ୍ୟାଳୟ ସ୍ତରରେ କରାଯାଇଥିଲା ତାହା ଅଚଳ ହୋଇ ପଡ଼ିରହିଛି । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ କେଉଁ ବିଶ୍ୱବିଦ୍ୟାଳୟରେ କେଉଁ କେଉଁ ବିଭାଗରେ କେବେଠାରୁ ଚେୟାରମାନ ଅରାତିଷ୍ଠା କରାଯାଇଥିଲା ଏବଂ ସେଥିରୁ କେଉଁ ଚେୟାର କାହିଁକି ଅଚଳ ଅବସ୍ଥାରେ ପଡ଼ିଛି ଓ ଏଥିରେ ଏବେ କେତେଜଣ ଶିକ୍ଷକ ଅଛନ୍ତି ସେ ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟ ପଚାରିଥିବା ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ କେବଳଉତ୍କଳ ବିଶ୍ୱବିଦ୍ୟାଳୟରେ ୫ଟି ଚେୟାର ପ୍ରତିଷ୍ଠା କରାଯାଇଥିଲା । ଏଥିରୁ ଏବେ କୌଣସି ଚେୟାର କାର୍ଯକ୍ଷମ ନ ଥିବା ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ । ସମାଜ କଲ୍ୟାଣ ପାଣ୍ଠି ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ଆର୍ଥିକ ସହାୟତା କ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସତ୍ୟବାଦୀ ଚେୟାର ଓ ଆର୍ତ୍ତବଲ୍ଲଭ ମହାନ୍ତି ଚେୟାର ପ୍ରତିଷ୍ଠା କରାଯାଇଥିଲା । ଉଭୟ ଚେୟାର ପାଇଁ ଜଣେ ଜଣେ ଲେଖାଏଁ ପ୍ରଫେସର ଥିଲେ । ତେବେ ସେମାନଙ୍କ ଅବସର ପରେ ଏହି ଦୁଇଟି ଚେୟାରରେ ପୁନଃନିଯୁକ୍ତି ହୋଇନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଉଲ୍ଲେଖ କରିଥିବା ବେଳେ ଏଥିରେ ପୁଣି ନିଯୁକ୍ତି ଦିଆଯିବ କି ନାହିଁ ସେ ସଂକ୍ରାନ୍ତରେ ନିରବ ରହିଛନ୍ତି । ସେହିପରି ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୫ ଲକ୍ଷ ଟଙ୍କା ଅନୁଦାନ ଓ ନୂଆଦିଲ୍ଲୀର ସିଏସ୍ଆଇଆର୍ର ୭ ଲକ୍ଷ ଟଙ୍କା ସହାୟତାରେ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗରେ କଳିଙ୍ଗ ଜେବିଏସ୍ ହାଲଡେନ୍ ଚେୟାର ପ୍ରତିଷ୍ଠା କରାଯାଇଥିଲା । ଏଥିରେ ଜଣେ ପ୍ରଫେସର ୨୦୧୨ ପର୍ଯ୍ୟନ୍ତ ଥିଲେ । ୬ ବର୍ଷ ଧରି ଏହି ଚେୟାରଟି ଫାଙ୍କା ପଡ଼ିଛି । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ବିଶ୍ଳେଷଣାତ୍ମକ ଓ ପ୍ରୟୋଗତ୍ମକ ଅର୍ଥନୀତି ବିଭାଗରେ ୧୯୮୦ ମସିହାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଚେୟାର୍ ପ୍ରତିଷ୍ଠା ହୋଇଥିଲା । ଏହି ଚେୟାରରେ ଜଣେ ପ୍ରଫେସର ଓ ଦୁଇଜଣ ରିସର୍ଚ୍ଚ ଆସୋସିଏଟ୍ କାର୍ଯ୍ୟ କରୁଥିଲେ । ୨୦୦୦ ମସିହାଠାରୁ ଏହି ଚେୟାର ଅଚଳ ହୋଇଯିବା ପରେ ୨୦୦୩ରୁ ଷ୍ଟେଟ୍ ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ପ୍ରତ୍ୟାହାର କରିନେଇଛନ୍ତି । ଏହି ବିଭାଗରେ ୧୯୮୨ ମସିହାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୨୫ ଲକ୍ଷ ଟଙ୍କା ଅନୁଦାନରେ ଆର୍ବିଆଇ ଚେୟାର ପ୍ରତିଷ୍ଠା । ଏଥିରେ ଜଣେ ପ୍ରଫେସର, ଜଣେ ଗବେଷଣା ଅଧିକାରୀ ଓ ତିନିଜଣ ଗବେଷଣା ସହକାରୀ ରହିବାର ବ୍ୟବସ୍ଥା ଥିଲା । ୨୦୧୧ ମସିହାରୁ ଏହି ଚେୟାର୍ ଅଚଳ ଅବସ୍ଥାରେ ଥିବା କଥା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ ଥିଲେ ମଧ୍ୟ ଏହାକୁ କେବେ ପୁନଃ ସଚଳ କରାଯିବ ସେ ସଂକ୍ରାନ୍ତରେ କୌଣସି ସୂଚନା ନାହିଁ । 19 Share FacebookTwitterGoogle+ReddItWhatsAppPinterestEmail