କୃଷକର ଆୟ ବହୁ ଗୁଣିତ କରିବା ଲକ୍ଷ୍ୟରେ ପାଣି ପଂଚାୟତମାନେ କାର୍ଯ୍ୟକରନ୍ତୁ : ଓ଼ଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ

0

ଭୁବନେଶ୍ୱର(ଶାସକ ପ୍ରଶାସକ):ଆମ ରାଜ୍ୟ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ଚାଷୀ ଓ ଚାଷର ଉନ୍ନତିକୁ ଆମର ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଛନ୍ତି । କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ୨୦୦୨ ମସିହା ପାଣି ପଂଚାୟତ ଆଇନ୍, ୨୦୦୩  ଏବଂ ୨୦୦୮ରେ ଏଥି ସଂପର୍କିତ ପ୍ରଣୀତ ନିୟମାବଳୀ ଅନୁସାରେ ପାଣିପଂଚାୟତ ଗଠନ କରାଯାଇଛି ଓ ଏହି ପ୍ର୍ରକ୍ରିୟା ଚାଲୁ ରହିଛି । ଅନେକ କ୍ଷେତ୍ରରେ ଚାଷୀମାନେ ପାଣିପଞ୍ଚାୟତ ମାଧ୍ୟମରେ ଉପକୃତ ହେଉଥିବା ବେଳେ  ଏହାକୁ ଅଧିକ କ୍ରିୟାଶୀଳ କରିବା ପୂର୍ବକ ଉପଯୋଗ କରି  ଚାଷୀମାନଙ୍କର ଆୟକୁ ୨ଗୁଣ ଏବଂ ବହୁଗୁଣିତ କରିବା ଲକ୍ଷ୍ୟ ନେଇ ସବୁ ପାଣି ପଂଚାୟତର ସଦସ୍ୟମାନେ  ଯତ୍ନବାନ ହେବା ଉଚିତ ବୋଲି ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଆହ୍ୱାନ ଜଣାଇଛନ୍ତି । 

 ଓ.ଏଲ.ଆଇ.ସି. ଭୁବନେଶ୍ୱର ଡିଭିଜନ ତରଫରୁ ଆୟୋଜିତ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପତ୍ରୀ କହିଛନ୍ତି ଯେ  ସଂପ୍ରତି ରାଜ୍ୟର ସମସ୍ତ ଜିଲ୍ଲାରେ ରାଜ୍ୟ ଜଳ ସଂପଦ ବିଭାଗ ଅଧୀନରେ ବିଭିନ୍ନ ପାଣି ପଂଚାୟତମାନ ଗଠନ କରାଯାଇ ସେଗୁଡିକର କାର୍ଯ୍ୟ ଜାରି ରହିଛି |  ସେଗୁଡିକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ସମସ୍ତ ସହାୟତା ଦେବାକୁ ଉଦ୍ୟମ ଜାରି ରଖିଛନ୍ତି ।  କେତେକ ଅଂଚଳରେ ମହିଳା ପାଣି ପଂଚାୟତ ଗଠନ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତିକରଣ ବାର୍ତା ଓ ଆଭିମୁଖ୍ୟକୁ ପ୍ରମାଣିତ କରିଥିବାରୁ ସେମାନଙ୍କର ଉଦ୍ୟମକୁ ଶ୍ରୀ ପତ୍ରୀ ପ୍ରଶଂସା କରିଥିଲେ । କେବଳ ଭାଷଣ ମାଧ୍ୟମରେ କାର୍ଯ୍ୟକ୍ରମକୁ ସୀମିତ ନରଖି ପାରସ୍ପରିକ ଭାବ ବିନିମୟ ଦ୍ୱାରା ପାଣି ପଂଚାୟତ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ଭୁବନେଶ୍ୱର ଡିଭିଜନ ଅନ୍ତର୍ଗତ ୨୦୦ରୁ ଉର୍ଧ୍ଵ  ଚାଷୀ, ଯେଉଁମାନେ  ଉଭୟ ଖରିଫ ଓ ରବି ଋତୁରେ ଉଠା ଜଳସେଚନ ଜରିଆରେ ଚାଷ ସମୟରେ ନିଜ ଜମିକୁ ପାଣି ପାଇପାରୁଛନ୍ତି, ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଚାଷୀ ଓ ଯୁବ କୃଷକ ବନ୍ଧୁ ସାମିଲ ହୋଇଥିବା ଯୋଗୁ ଶ୍ରୀ ପତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପୁରୁଷଙ୍କ ସମେତ ମହିଳା ଚାଷୀମାନେ ମଧ୍ୟ  ପାଣି ପଂଚାୟତ କାର୍ଯ୍ୟକାରିତା ବେଳେ ରହୁଥିବା ସମସ୍ୟା ଓ ଏହାର ତୁରନ୍ତ ସମାଧାନ, କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜଳସେଚନ କାର୍ଯ୍ୟକ୍ରମ ଦ୍ୱାରା ଚାଷକାର୍ଯ୍ୟ କରି ଚାଷୀମାନେ କିପରି ସଫଳ ଚାଷୀ ହୋଇପାରିବେ, ସେ ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ  କରିଥିଲେ । ଆୟୋଜିତ ସଭାରେ ମହିଳା ଚାଷୀମାନଙ୍କୁ ସେମାନଙ୍କର ମତ ଉପସ୍ଥାପନ କରିବାର ସୁଯୋଗ  ପ୍ରଦାନ କରାଯାଇଥିବାରୁ  ସେମାନେ  ଖୁସି ବ୍ୟକ୍ତ କରିଥିଲେ ।  ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ସଭାରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମାନସ ରଂଜନ ପଟ୍ଟନାୟକ ଓ କୃଷି ବିଭାଗୀୟ ଅଧିକାରୀମାନେ ଯୋଗଦେଇ ପାଣି ପଂଚାୟତ ସମ୍ପର୍କିତ  ଯେଉଁସବୁ ସମସ୍ୟା ରହିଛି, ସେସବୁକୁ ଖୁବ୍ ଶୀଘ୍ର   ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ । ଆଗାମୀ ଦିନରେ ଚାଷକାର୍ଯ୍ୟ କିପରି ସୁଚାରୁରୂପେ କରାଯିବ, କୃଷକମାନେ କେବଳ ଧାନ ନୁହେଁ, ବରଂ  କମ୍ ଜଳ ବ୍ୟବହାର କରି କିପରି ବିଭିନ୍ନ ପନିପରିବା, ଫୁଲ, ଫଳ ଆଦି ଲାଭଦାୟକ ଫସଲ କରି ସେମାନଙ୍କର ଆୟ ୨ଗୁଣରୁ ବହୁଗୁଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନ ପୁରଣ ହୋଇ ପାରିବ, ସେଥିପ୍ରତି ଯୁବ କୃଷକମାନଙ୍କୁ ବିଶେଷ ଭାବେ ଉତ୍ସାହିତ  କରାଯାଇଥିଲା । ଯୁବବର୍ଗ ଅଧିକରୁ ଅଧିକ କୃଷିଶିଳ୍ପକୁ ଆପଣେଇବାକୁ ସଭାରେ ସମସ୍ତେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ସ୍କୁଲ ପିଲାମାନଙ୍କ ଜରିଆରେ ପାଣି ପଂଚାୟତ ସଂପର୍କରେ କୃଷକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ  ଅନୁଷ୍ଠିତ   ବକ୍ତୃତା ପ୍ରତିଯୋଗିତାର  କୃତି  ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରକାଶ ଥାଉକି ଚଳିତ ବର୍ଷ ଜାନୁୂଆରୀ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଂଚାୟତ ପକ୍ଷ ପାଳିତ ହେଉଛି । 

 

Leave A Reply

Your email address will not be published.