ଚେୟାର ପାଇଁ ଚାଲିଛି ସଂଗୀତ ଚୌକି, ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ନେବା ବାକି 

0

ସମୀର ନହେଲେ ପୃଥ୍ୱୀରାଜ : ଏଥର ଉପକୂଳକୁ ସଭାପତି ପଦ ନିଶ୍ଚିତ

ଭୁବନେଶ୍ୱର( ଶାସକ ପ୍ରଶାସକ): ବିଜେପିର ରାଜ୍ୟ ସଭାପତି ପଦ ଲଗାତାର ଭାବେ ପଶ୍ଚିମ ଓଡିଶା ହାତରେ ରହି ଆସିଥିବା ବେଳେ ଚଳିତ ଥର କିନ୍ତୁ ଉପକୂଳ ହାତକୁ ଆସିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି | ନିର୍ବାଚନ ହେବାର ସମ୍ଭାବନା ନାହିଁ, ଆପୋଷ ବୁଝାମଣା ଆଧାରରେ ବର୍ତ୍ତମାନ ଦଳର ରାଜ୍ୟ ଉପସଭାପତି ଥିବା ତଥା ଗଣମାଧ୍ୟମରେ ଦଳର ଚେହେରା ପାଲଟିଥିବା ବରିଷ୍ଠ ନେତା  ସମୀର ମହାନ୍ତି ଓ ସାଧାରଣ ସମ୍ପାଦକ ତଥା ଜନାଦୃତ ଚେହେରା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଂକ ସୁପୁତ୍ର ପୃଥ୍ଵୀରାଜ ହରିଚନ୍ଦନଙ୍କ ମଧ୍ୟରୁ କେହି ଜଣେ ସଭାପତି ପଦ ମଣ୍ଡନ କରିବା ନିଶ୍ଚିତ | ଆଉ ମୋଟାମୋଟି ଭାବେ ଦୁଇ ଜଣ ଯାକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଡ଼ ଲିଷ୍ଟରେ ଥିବା ଯୋଗୁ ଏହି ଦୁଇ ଜଣଙ୍କ ଭିତରୁ କାହାକୁ ମନାଇ ନାମାଙ୍କନ ପତ୍ର ଦାଖଲ କରାଯିବାରେ ଦଳ ପାଇଁ କିଛି ଅସୁବିଧା ହୋଇନପାରେ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି | 

ମୋଟାମୋଟି ଭାବେ କହିବାକୁ ଗଲେ ସଭାପତି ପଦ ପାଇଁ ଦୁଇଜଣ ଯାକ ସାମର୍ଥ୍ୟ ରଖନ୍ତି | ଅଭିଜ୍ଞତା ବି ଅଛି, ଦଳ ପାଇଁ ଲଗାତାର ସଂଘର୍ଷ କରିଛନ୍ତି ଆଗଧାଡ଼ିରେ ରହି | ଉଭୟ ବି ଛାତ୍ର ସମୟରୁ ରାଜନୀତିରେ ଜଡିତ | ବିଭିନ୍ନ ସମୟରେ ସାଙ୍ଗଠନିକ ଦାୟିତ୍ୱରେ ରହି ଉଭୟେ ବେଶ ଅଭିଜ୍ଞତା ହାସଲ କରିଛନ୍ତି ! ଶ୍ରୀ ହରିଚନ୍ଦନ ଜନତା ଦଳରେ ଛାତ୍ର ସଂଗଠନର ରାଜ୍ୟ ସଭାପତି ଥିଲେ ଓ ରାଜ୍ୟବ୍ୟାପୀ ଛାତ୍ର ସଂଗଠନ ସହ ଜଡିତ ଥିଲେ | ସେ ଦଳ ତରଫରୁ କର୍ପୋରେଟର, ବିଧାୟକ ଓ ସଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଲଢ଼ି ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି | ଜଣେ ଓଜସ୍ୱିନୀ ବକ୍ତା ଭାବେ ପରିଚିତ ଶ୍ରୀ ହରିଚନ୍ଦନ ବିଜେପିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସୁପୁତ୍ର | ଦଳରେ ବିଭିନ୍ନ ପଦ ପଦବୀରେ ରହି ଅଭିଜ୍ଞତା ବି ଯଥେଷ୍ଟ ହାସଲ କରିଛନ୍ତି | 

ସେହିପରି ବରିଷ୍ଠ ନେତା, ଦଳର ଉପସଭାପତି ତଥା ଅନେକ ସମୟରେ ଦଳର ପ୍ରଭାବୀ ମୁଖପାତ୍ର  ଭାବେ କାର୍ଯ୍ୟ କରି ଆସିଥିବା ସମୀର ମହାନ୍ତି ବିଭିନ୍ନ ସମୟରେ ଦଳର ପଦ ପଦବୀରେ ରହି ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ରହି ସାଙ୍ଗଠନିକ ଦକ୍ଷତା ପ୍ରମାଣିତ କରିଛନ୍ତି | ବିଜେପି ବିଜେଡି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ଠାରେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ | ତାପୂର୍ବରୁ  ଦଳ ତରଫରୁ କର୍ପୋରେଟର ଭାବେ ନିର୍ବାଚନ ଲଢ଼ି ସେ ବିଜୟୀ ହୋଇଥିଲେ | ୨୦୦୯ ପରେ  ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କ ନାମ ଚର୍ଚା ହୁଏ ଓ ତାହା ଚର୍ଚ୍ଚାରେ ରହିଯାଏ | ଏପରିକି ଲୋକସଭା ଆସନ ପାଇଁ ତାଙ୍କ ନାମ ବି ନିଷ୍ଫଳ ଚର୍ଚା ହୁଏ | ଟିକେଟରୁ ବଂଚିତ ହେବ ସତ୍ତ୍ୱେ ସେ ଦଳର ରାଜ୍ୟବ୍ୟାପୀ ପ୍ରଚାର ଅଭିଯାନ ତଥା ୠଣନୀତି ପ୍ରସ୍ତୁତିରେ ନିଜକୁ ସାମିଲ କରିଆସିଛନ୍ତି | ଦଳର ସାଙ୍ଗଠନିକ କାର୍ଯ୍ୟ ସହ  ସେ ନିଜକୁ ପ୍ରତ୍ୟକ୍ଷ ଭାବେ ଜଡିତ ରହିଥାନ୍ତି | ଏବେ ବି ଦଳର ଉପସଭାପତି ଭାବେ ତାଙ୍କ ଦାୟିତ୍ୱ ସମ୍ପାଦନ  କରୁଥିବା ବେଳେ ଗୋଲୋକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ସେ ବି ଦଳ ପାଇଁ ଜଣେ ପ୍ରମୁଖ  ଚର୍ଚିତ ଚେହେରା ପାଲଟି ଯାଇଛନ୍ତି | 

ତେଣୁ ଏହି ଦୁଇ ଦମଦାର ଦାବିଦାରଙ୍କ ଭିତରେ ଏବେ ଆପାତତଃ  ସଂଗୀତ ଚୌକି ଚାଲିଛି ସଭାପତି ପଦ ପାଇଁ | ଖାଲି  ଦଳ ଭିତରେ ଚାଲିଥିବା ସଂଗୀତ ଚୌକିରେ ଗୀତ ସରିବା ବେଳକୁ କିଏ ଚେୟାରରେ ବସୁଛି ତାହା ଦେଖିବାକୁ ବାକି | ତଥାପି ଓଡିଶା ବିଜେପିର ବହୁମାନ୍ୟ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହା ଚୂଡାନ୍ତ  କରିବା ପାଇଁ ବେଶୀ କଷ୍ଟ ହେବନାହିଁ, ଆଉ ସେ ଦକ୍ଷତା ତାଙ୍କ ପାଖରେ ରହିଛି  | ଅବଶ୍ୟ ବିଜେପି ରାଜନୀତି ଯାହା ସେଥିରେ କେହି ଜଣେ  ନିର୍ବାଚିତ ପ୍ରତିନିଧି  ଡାର୍କ ହର୍ଷ ହୋଇ ଯେ ପଶି ନଆସିବ ତାହା  କହି ହେବନି | ହେଲେ ଦଳର ଜାତୀୟ ରାଜନୀତିର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତଥା ଦଳର ଜାତୀୟ ସ୍ତରର ସଙ୍କଟ ମୋଚକ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ରାଜ୍ୟ ସଭାପତି ଚୂଡାନ୍ତ କରିବା କିଛି ବଡ଼କଥା ହେବ ନାହିଁ | ଦଳର ବରିଷ୍ଠ ନେତାମାନଙ୍କ ସହ ଏଠି ନେଇ ବିଚାର ବିମର୍ଷ ସାରଥିଲେ ମଧ୍ୟ ଯିଏ ନାମାଙ୍କନ ପତ୍ର ଦାଖଲ କରିବେ ତାହା ଧର୍ମେନ୍ଦ୍ରଙ୍କ ସବୁଜ ସଂକେତରେ ହେବ ବୋଲି ନେତା ଜଣକ ପ୍ରକାଶ କରିଛନ୍ତି | 

Leave A Reply

Your email address will not be published.