ସୁଡାର  ୨୦ତମ ବୋର୍ଡ ବୈଠକ : ସହରାଞ୍ଚଳ ମହିଳାଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ପ୍ରତାପ ଜେନା 

0

ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟର ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକୁ ଅଧିକ ଶକ୍ତିଶାଳୀ କରାଯିବ । ସେମାନେ ଯେଭଳି ରୋଜଗାରକ୍ଷମ ସହିତ ଆତ୍ମନିଭଶୀଳ ହେବେ ସେଥିପାଇଁ ପଦକ୍ଷେପ ଗ୍ରହଣ ଲାଗି ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ପାନୀୟଜଳ ଓ ଆଇନ୍‍ମନ୍ତ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଛନ୍ତି । 

ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା)ର ୨୦ତମ ପରିଚାଳନାମଣ୍ଡଳୀ ବୈଠକରେ ସଭାପତିତ୍ୱ କରି ଶ୍ରୀ ଜେନା ଏଭଳି ପରାମର୍ଶ ଦେବା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ  ଦ୍ୱାରା ଉତ୍ପାଦିତ ସାମଗ୍ରୀ ଯେଭଳି ବଜାରରେ ପ୍ରତିଦ୍ୱନ୍ଦିତା କରିପାରିବ ତାହା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି । ବିଶେଷକରି ପୌରସଂସ୍ଥା ଗୁଡିକରେ ଗଠନ କରାଯାଇଥିବା ଏସ୍‍ଏଚ୍‍ଜିର ମହିଳାମାନେ ଯେଭଳି ବଜାର ଚାହିଦା ଅନୁଯାୟୀ ଅତ୍ୟାଧୁନିକ ପଦ୍ଧତିରେ ସାମଗ୍ରୀମାନ  ଉତ୍ପାଦନ କରି ତାହାକୁ ଜାତୀୟ ଓ ଆର୍ନ୍ତଜାତୀୟ ବଜାରରେ ପହଞ୍ଚାଇପାରିବେ ସେଥିଲାଗି ସେମାନଙ୍କୁ ସମସ୍ତ ପ୍ରକାର ଜ୍ଞାନକୌଶଳ ଓ ସହାୟତା ଯୋଗାଇ ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ, ପୌର ପ୍ରଶାସକ ସଂଗ୍ରାମଜିତ ନାୟକ, ସ୍ୱତନ୍ତ୍ର ସଚିବ ତଥା ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ କାନୁନ୍‍ଗୋ, ସୁଡାର ଅତିରିକ୍ତ ନିର୍ଦ୍ଦେଶକ  ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ପରିଚାଳନାମଣ୍ଡଳୀର ସଦସ୍ୟବୃନ୍ଦ ଏବଂ ବରିଷ୍ଠ  ଅଧିକାରୀମାନେ ଉପସ୍ଥିତ ଥିଲେ । 

ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଏନ୍‍ୟୁଏଲ୍‍ଏମ୍‍, ଏସ୍‍ଏମ୍‍ଆଇଡି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଜରିଆରେ ସହରାଞ୍ଚଳରେ ବିଭିନ୍ନ ପ୍ରକାର ସେବା ଯୋଗାଣ, ଜଳ ସାଥି, ସ୍ୱଚ୍ଛ ସାଥି ଓ ସ୍ୱଚ୍ଛ ସୁପରଭାଇଜର ମୁତୟନ, ଦକ୍ଷତା ବିକାଶ ତାଲିମ, ବିଭିନ୍ନ ପ୍ରକାର ଆତ୍ମନିଯୁକ୍ତି ଯୋଜନା, ଦକ୍ଷତା ବିକାଶ, ଷ୍ଟ୍ରିଟ୍‍ ଭେଣ୍ଡରମାନଙ୍କୁ ସହାୟତା ଏବଂ ସୁରକ୍ଷିତ ଖାଦ୍ୟ ଜୋନ୍‍, ସହରର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତା ବଜାୟ ରଖିବା, ବାସହୀନମାନଙ୍କ ସଂକ୍ରାନ୍ତରେ ସର୍ବେକ୍ଷଣ ଓ ସେମାନଙ୍କୁ ଆଶ୍ରୟ ପ୍ରଦାନ ଲାଗି ଆଶ୍ରୟସ୍ଥଳୀ ଗୁଡିକର ଉନ୍ନତିକରଣ, ଲୋକଙ୍କୁ ସଚେତନ କରିବାଲାଗି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆହାରକେନ୍ଦ୍ର ଗୁଡିକର ଉନ୍ନତି ବିଧାନ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥି ସହିତ ୨୦୧୯-୨୦ ବର୍ଷର ବଜେଟ୍‍କୁ ପରିଚାଳନାମଣ୍ଡଳୀ ଅନୁମୋଦନ କରିଥିଲା ।

 

 

 

 

 

 

Leave A Reply

Your email address will not be published.