ନବୀନ ବାବୁଙ୍କ ୧୭ ବର୍ଷର ବିକାଶ : ୯୫ ପ୍ରତିଶତରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏଁ ଶିକ୍ଷକ ନାହାନ୍ତି 

0

22-03-18-Dilip-Ray-to-Boycott-BJP-Rally-SAMAYA_1_630_630.jpg - 49.57 kB

୮୫ ପ୍ରତିଶତରୁ ଉର୍ଧ୍ଵ  ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ନାହିଁ

ଭୁବନେଶ୍ୱର/ମାନସୀ ମିଶ୍ର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ  ଥିବା  ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏଁ ଶିକ୍ଷକ ନାହାନ୍ତି । ସେହିପରି ୮୫ ପ୍ରତିଶତରୁ ଉର୍ଧ୍ଵ  ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ନାହିଁ  । ବିଧାୟକ ଦିଲିପ ରାୟ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ତଥ୍ୟରୁ ଏହା ଜଣାପଡ଼ିଛି ।  ମନ୍ତ୍ରୀଙ୍କ ପ୍ରଦତ୍ତ ସୂଚନାନୁଯାୟୀ ଓଡ଼ିଶାରେ ୩୩,୩୯୮ଟି ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ସେଥିରୁ ମାତ୍ର ୧୪୪୮ଟିରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏଁ ଶିକ୍ଷକ ଓ ୪୦୩୨ରେ ପ୍ରତି ଶ୍ରେଣୀ ଲାଗି ବଖରାଏ କରି ଶ୍ରେଣୀଗୃହ ରହିଛି । ସେହିପରି ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିରେ ୧୭,୬୯୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ସେଥିରୁ ୫,୩୭୪ଟିରେ ପ୍ରତି ଶ୍ରେଣୀ ଲାଗି ଜଣେ କରି ଶିକ୍ଷକ ଓ ୫,୮୮୬ଟିରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ସ୍ୱତନ୍ତ୍ର ଘର ରହିଛି । 

ଓଡ଼ିଶାରେ ମୋଟ୍ ୫୧,୦୯୪ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଏଥିରୁ ୯,୯୧୮ଟି ବିଦ୍ୟାଳୟରେ ପ୍ରତି ଶ୍ରେଣୀ ଲାଗି ବଖରାଏ କରି ଶ୍ରେଣୀଗୃହ ଓ ୬,୮୨୨ଟି ସ୍କୁଲରେ ପ୍ରତି ଶ୍ରେଣୀ ଲାଗି ଜଣେ କରି ଶିକ୍ଷକ ଅଛନ୍ତି । ଶିକ୍ଷା ଅଧିକାର ନିୟମାନୁଯାୟୀ  ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା ଅନୁଯାୟୀ  ଶ୍ରେଣୀ କକ୍ଷ ଓ ଶିକ୍ଷକ ବ୍ୟବସ୍ଥା କରାଯାଉଥିବା  ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୫୦,୭୫୨ଟିର ନିଜସ୍ୱ  ଘର ଥିବା ବେଳେ ୪୦,୫୦୭ଟିର ରୋଷଘର ଓ ୧୨,୦୨୮ର ଖେଳ ପଡ଼ିଆ ଅଛି । ଏଥିରୁ  ପ୍ରାୟ ୩୯ ହଜାର ସ୍କୁଲରେ ଖେଳ ପଡ଼ିଆ ଥିବା  ଜଣାପଡ଼ିଛି । ଏହି ସ୍କୁଲଗୁଡ଼ିକ ମଧ୍ୟରୁ ମାତ୍ର ୨,୯୬୫ରେ ପାଇପ୍ ଯୋଗେ ପାନିୟ ଜଳ ଯୋଗାଣ ବ୍ୟବସ୍ଥା ଥିବା ବେଳେ ୧୧,୦୦୭ରେ ସ୍କୁଲରେ ବିଦ୍ୟୁତ ସଂଯୋଗ ରହିଛି । ସେହିପରି ୩୩,୨୧୬ଟି ସ୍କୁଲର ପାଚେରୀ କିମ୍ବା ବାଡ଼ ଥି ବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । 

ପ୍ରତି ଶ୍ରେଣୀ ପାଇଁ ସ୍ୱତନ୍ତ୍ର ଶ୍ରେଣୀ କକ୍ଷ ଓ ଅତି କାମରେ  ଜଣେ କରି ଶିକ୍ଷକ ନ  ରହିବା ଫଳରେ ପ୍ରାଥମିକ ସ୍ତରରୁ ଆମ ରାଜ୍ୟରେ ପିଲାମାନଙ୍କର ପାଠପଢ଼ାର ମୂଳଦୁଆ ଦୁର୍ବଳ ହେଉଥିବା  ଘେନି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଦ୍ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଭିତ୍ତିଭୂମିର ବିକାଶ ସାଙ୍ଗକୁ ପର୍ଯ୍ୟାପ୍ତ ସଂଖ୍ୟକ ଯୋଗ୍ୟ ଶିକ୍ଷକ ନିଯୁକ୍ତି  ଓ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଉପରେ ସରକାର ଧ୍ୟାନ ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.