ଚୋପାଛଡା ଦକ୍ଷତା ବିକାଶ, କାଢ଼ୁଆ ବୈଷୟିକ ଶିକ୍ଷା 

0

ବିପୁଟ୍ ସମେତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ରେ ୨୦୦୦ରୁ ଅଧିକ  ପଦବୀ ଖାଲି

ଚୋପାଛଡା ଦକ୍ଷତା ବିକାଶ, କାଢ଼ୁଆ ବୈଷୟିକ ଶିକ୍ଷା 

ଭୁବନେଶ୍ୱର/ମାନସୀ ମିଶ୍ର : ରାଜ୍ୟର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିରେ ଥିବା ଦୁଇଟି ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨ହଜାରରୁ ଅଧିକ  ପଦବୀ ଖାଲି ପଡ଼ିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଲାଗି ୨୫ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୨୦ଟି ପଦବୀ ଖାଲିପଡ଼ିଛି । ଏହି ବିଶ୍ୱବିଦ୍ୟାଳୟରେ ଜଣେ ହେଲେ ପ୍ରଫେସର ଥିବା ବେଳେ ମାତ୍ର ଜଣେ ସହଯୋଗୀ ପ୍ରଫେସର ଓ ଅନ୍ୟ ୪ ଜଣ ସହକାରୀ ପ୍ରଫେସର ଅଛନ୍ତି । ବିପୁଟ୍ ଓ ଏହାର ଅନୁବନ୍ଧିତ  ୫ଟି ସରକାରୀ ଇଂଜିନିୟରିଂ  କଲେଜ ଲାଗି ମୋଟାମୋଟି ଭାବେ ୫୦୯ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା  ବେଳେ ସେଥିରୁ ୨୩୦ଟି ଏବଂ ଅଣଶିକ୍ଷକ ପଦବୀଗୁଡ଼ିକ ଭିତରୁ ୨୭୯ଟି ଖାଲିପଡ଼ିଛି । 

ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ୧୯ଟି ପ୍ରଫେସର ପଦବୀ ସମେତ ୬୫ଟି ଶିକ୍ଷକ ପଦବୀ ଖାଲି । ଏଠାରେ ବି ବ୍ୟାପକ ସଂଖ୍ୟକ ଅଣଶିକ୍ଷକ ପଦବୀ ଖାଲି ରହିଛି । ସରାଙ୍ଗରେ ଥିବା ଇନ୍ଦିରାଗାନ୍ଧୀ  ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ୧୦ଟି ପ୍ରଫେସର ସମେତ ୬୦ଟି ଶିକ୍ଷକ ଓ ୩୧ଟି ଅଣଶିକ୍ଷକ ପଦବୀ ମଧ୍ୟ ଖାଲିପଡ଼ିଛି । ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଓଡ଼ିଶାରେ ୩୨ଟି ସରକାରୀ ଇଂଜିନିୟରିଂ ସ୍କୁଲ ଓ ପଲିଟେକ୍ନିକ  ସ୍କୁଲ ଥିବା ବେଳେ ସେଥିରୁ ୩୧ଟିରେ ଅଧ୍ୟକ୍ଷ ନାହାନ୍ତି  । ଏଗୁଡ଼ିକରେ ପ୍ରାୟ ୪୦୦ ଶିକ୍ଷକ ପଦବୀ ସମେତ ମୋଟ୍ ୭୪୧ ପଦବୀ ଖାଲି ରହିଛି । 

ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୁଣି ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ୫୦ଟି ସରକାରୀ ଆଇଟିଆଇ ଥିବା  ବେଳେ ସେଥିରୁ ୨୩ଟିରେ ଅଧ୍ୟକ୍ଷ ନାହାନ୍ତି   । ମୋଟାମୋଟି ଭାବେ ଆଇଟିଆଇଗୁଡ଼ିକରେ ୯୪୦ଟି ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦକ୍ଷତା ବିକାଶ ନାରା ଦେଉଥିବା  ବେଳେ ଏହି ବିଭାଗ ଅଧୀନରେ ଥିବା  ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକଂକ୍ଷାନୁଷ୍ଠାନ ଗୁଡ଼ିକରେ ବର୍ଷ ବର୍ଷ ଧରି ୨ହଜାରରୁ ଅଧିକ  ପଦବୀ ଖାଲି ପଡ଼ିବା ଘେନି  ବିଧାୟକ ଶ୍ରୀ ରାୟ ଉଦ୍ବେଗ ପ୍ରକାଶ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଏ ସମସ୍ତ ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବାକୁ ଏକ ବିବୃତ୍ତିରେ ଦାବି କରିଛନ୍ତି । 

Leave A Reply

Your email address will not be published.