ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା:ଯୋଗ ଦେଲେ ୩୦ଟି ନିଯୁକ୍ତିକାରୀ ସଂସ୍ଥା 

0

ବାଲେଶ୍ୱର,(ଉଜ୍ଜ୍ୱଳ କର ): ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି  ସ୍ଥାନୀୟ ନୋସି ବିଜନେସ ପାର୍କ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ନିମାଇଁ ଚରଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପ୍ରକଳ୍ପ ନିର୍ଦ୍ଦେଶକ  ଶ୍ରୀ ରାମଚନ୍ଦ୍ର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ବର୍ତମାନ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ପ୍ରଭୂତ ସୁ୍ଯୋଗ ରହିଥିବା ବେଳେ ସେଥିପାଇଁ ପରିବର୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ଯୁବକଯୁବତୀମାନେ ନୂତନ ଦକ୍ଷତା ହାସଲ କରିବା ସହ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ପିଡି ଶ୍ରୀ ଜେନା କହିଥିଲେ । ବିଭିନ୍ନ କାରଣରୁ ନିଜର ପାଠପଢା ସମ୍ପୂର୍ଣ୍ଣ କରିପାରି ନ ଥିବା ଯୁବକଯୁବତୀମାନଙ୍କୁ ମାଗଣାରେ ଦକ୍ଷତା ଭିତିକ ପ୍ରଶିକ୍ଷଣ ଓ ନିଯୁକ୍ତି ପ୍ରଦାନ ଲାଗି ଏହି ମେଳା ମାଧ୍ୟମରେ ଯେଉଁ ପ୍ରୟାସ କରାଯାଉଛି ତାହାର ଲାଭ ଉଠାଇବା ଲାଗି ସେ ପରାମର୍ଶ ଦେଇଥିଲେ । ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଏଥିରେ ଯୋଗ ଦେଇ ନିଯୁକ୍ତି ମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରି ନିଯୁକ୍ତି ମେଳାରେ ଭାଗ ନେବାକୁ ଆସିଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କର ସ‘ଳତା ନିମନ୍ତେ କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ, ମଣିଷ ନିଜେ ବଂଚି ପରିବାରକୁ ବଂଚାଇବା ପାଇଁ ଆୟ ପନ୍ଥା ନିହାତି ଆବଶ୍ୟକ ତେଣୁ ନିଜକୁ ଯେତେ ଉପଯୁକ୍ତ କରିପାରିବେ ସେତିକି ଉପାର୍ଜନକ୍ଷମ ହୋଇପାରିବେ ବୋଲି କହିବା ସହ ଏହି ମେଳାର ଲାଭ ଉଠାଇବାକୁ ଯୁବକଯୁବତୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନିଯୁକ୍ତି ମେଳାରୁ କର୍ମ ସଂସ୍ଥାନ ପାଇ ସ‘ଳତା ହାସଲ କରିଥିବା ଦୁଇ ଯୁବ ରୋଲ ମଡେଲ ଶ୍ରୀ ଅଜିତ କୁମାର ପ୍ରଧାନ ଓ ଶ୍ରୀ ପ୍ରଶାନ୍ତ କୁମାର ବେହେରା ତାଙ୍କ ଅଭିଜ୍ଞତା ବଖାଣିଥିଲେ । ପରେ ତାଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ସକାଳ ୧୦ଘଟିକାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ଜିଲ୍ଲାର ୧୨ଟି ବ୍ଲକର ୧୧୨୭ଜଣ ଯୁବକଯୁବତୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିବା ବେଳେ ୪୮୫ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ୪୩୭ଜଣଙ୍କୁ ତାଲିମ ପରେ ନିଯୁକ୍ତି ଏହିପରି ଭାବେ ମୋଟ ୯୨୨ଜଣଙ୍କୁ ମନୋନୀତ କରାଯାଇଥିଲା । ଏହି ନିଯୁକ୍ତି ମେଳାରେ ମୋଟ ୧୯ଟି ପ୍ରତ୍ୟକ୍ଷ ନିଯୁକ୍ତିକାରୀ ସଂସ୍ଥା ଓ ୧୧ଟି ଟ୍ରେନିଂ ପାର୍ଟନର ଅଂଶଗ୍ରହଣ କରିଥିଲେ । ନିଯୁକ୍ତି ମେଳା ଲାଗି ଜିଲ୍ଲାର ସମସ୍ତ ବ୍ଲକ ସମେତ ଅନ୍ୟାନ୍ୟ ଅଂଚଳରେ ସଚେତନତା ସୃଷ୍ଟି କରାଯାଇଥିଲା । ନିଯୁକ୍ତି ମେଳା ପରିଚାଳନା ଏବଂ ଆଇନ ଶୃଙ୍ଖଳାକୁ ବ୍ୟବସ୍ଥିତ କରିବା ପାଇଁ  ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.