ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ୨୦୧୮ରେ ଅନୁଷ୍ଠିତ ମ୍ୟାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ମାର୍ଚ୍ଚା ୨୦ ମଙ୍ଗଳବାରଠାରୁ ଆରମ୍ଭ ହୋଇଅଛି । ଏଥି ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ, କଦଞ୍ଜିଆ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାରିପଦା ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏହି ପରି ମୋଟ ୩ଟି କେନ୍ଦ୍ରରେ ପରୀକ୍ଷା ଖାତାର ମୂଲ୍ୟାୟନ ପ୍ରାୟ ପୂର୍ବାହ୍ନ ୧୨ଟା ସମୟରୁ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ମଧ୍ୟରେ ବହୁ ଛକାପନ୍ଝା ପରେ ଆରମ୍ଭ ହୋଇଛି । ମଞ୍ଚର କର୍ମକର୍ତ୍ତାମାନେ ପରୀକ୍ଷା କେନ୍ଦ୍ର ର ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ଭିତରୁ କିମ୍ବା ବାହାରୁ କୌଣସି ବ୍ୟକ୍ତିଙ୍କୁ ଯାତାୟତ ଛାଡ଼ି ନ ଥିଲେ । ଜିଲ୍ଲା ପ୍ରଶାସନ ମୂଲ୍ୟାୟନରେ ଅସଯୋଗ ଓ ବାଧା ସୃଷ୍ଟି କରାଉଥିବା ଶିକ୍ଷକମାନଙ୍କୁ ହଟାଇବା ପରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ରାଇରଙ୍ଗପୁର ମୂଲ୍ୟାୟନ କେନ୍ଦ୍ରରେ ୧୮୩ ଜଣ ଶିକ୍ଷକମାନଙ୍କ ମଧ୍ୟରୁ ୧୬୬ ଜଣ, କରଞ୍ଜିଆ କେନ୍ଦ୍ରରେ ୨୪୦ରୁ ୧୬୦ ଓ ବାରିପଦା ଏମପିକେ ସରକାରୀ ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟରେ ସମସ୍ତ ୨୫୯ ଜଣ ଶିକ୍ଷକ ମୂଲ୍ୟାୟନ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପ୍ରକାଶ ଥାଉକି; ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ୧୭୩ ଗୋଟି ପରୀକ୍ଷା କେନ୍ଦ୍ର ମାଧ୍ୟମରେ ମୋଟ ୩୯ ହଜାର ୫୮ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ବସିଥିଲେ ।
