ପ୍ରଥମେ ୧୫ ବର୍ଷରେ ୧୦ ଲକ୍ଷ ଘରକୁ ଦୁଇ ବର୍ଷରେ ଦଶ ଲକ୍ଷ କହିବା ପରେ ଏବେ ପୁଣି ଆଉଥରେ ମିଛ କହି ୧୫ ଲକ୍ଷ ୫୦ ହଜାର କହିଛନ୍ତି
ଏକ ବର୍ଷରେ ୫ ଲକ୍ଷ ୫୦ ହଜାର ନିର୍ମାଣ କଥା ମିଥ୍ୟା ତଥ୍ୟ
୨୦୧୯ ସୁଦ୍ଧା ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ କହିବା କେବଳ ମିଛ ପ୍ରତିଶୃତି
୨୦୧୧ ସାମାଜିକ ଜନଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ୫୬ ଲକ୍ଷ ପରିବାର କଚ୍ଚା ଘର ଥିଲା । ରାଜ୍ୟରେ ଏବେ ୪୦
ଲକ୍ଷ ରୁ ଅଧିକ ପରିବାର କଚ୍ଚା ଘରେ ରହୁଛନ୍ତି ।
କୃଷକ କଲ୍ୟାଣ ନୁହେଁ ଓଡିଆ ଚାଷୀ ଦେଶରେ ସବୁଠୁ ଗରୀବ
ଗତ ୪ଟି ନିର୍ବାଚନରେ ଜଳସେଚନକୁ ନେଇ ଦେଇଥିବା ପ୍ରତିଶ୍ରୁତି ଅଧା ପୂରଣ ହୋଇନାହିଁ
୩୯ ପ୍ରତିଶତ ଘରେ ପହଂଚି ନାହିଁ ବିଜୁଳି

ଭୁବନେଶ୍ୱର(ଚକ୍ରଧର ମାଝି) : ମହାମହିମ ରାଜ୍ୟପାଳଙ୍କ ପାଟିରେ ରାଜ୍ୟ ସରକାର ଗୁଡାଏ ମିଛ କହି ନିଜର ବିଫଳତାକୁ ଘୋଡାଇବାର ହୀନ ପ୍ରୟାସ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ତଥ୍ୟର ସୌଦାଗର ଅଭିଯୋଗ ରାଜ୍ୟପାଳଙ୍କ ବକ୍ତବ୍ୟ ପାଇଁ ସମୟ ଉପଯୋଗୀ ପ୍ରତିକ୍ରିୟା ହେବ ବୋଲି ସେ କହିଛନ୍ତି । ଗତ ବର୍ଷ ବଜେଟ ଅଧିବେଶନ ବେଳେ ରାଜ୍ୟ ସରକାର ୧୫ ବର୍ଷରେ ନିର୍ମାଣ ହୋଇଥିବା ୧୦ ଲକ୍ଷ ଘରକୁ ଦୁଇ ବର୍ଷରେ ନିର୍ମାଣ କରିଥିବା କହି ମିଥ୍ୟାକୁ ରାଜ୍ୟପାଳଙ୍କ ପାଟିରେ କୁହାଇଥିଲେ । ଏହି ବର୍ଷ ମଧ୍ୟ ସମାନ ଭାବରେ ରାଜ୍ୟପାଳଙ୍କ ପାଟିରେ ସମୁଦାୟ ୧୫ଲକ୍ଷ ୫୦ ହଜାର ଘର ନିର୍ମାଣ ହୋଇଥିବା କଥା କୁହାଇଛନ୍ତି ରାଜ୍ୟ ସରକାର ଯାହା ଆଉ ଏକ ମିଛ । ୨୦୧୭-୧୮ ଆର୍ଥୀକ ବର୍ଷରେ ରାଜ୍ୟ ସରକାର ପକ୍କା ଘର ନିର୍ମାଣ ପାଇଁ ଟଙ୍କାଟିଏ ଦେଇ ନଥିବା ବେଳେ କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୧୦୦କୋଟି ବ୍ୟୟ ବରାଦ ହୋଇଥିଲା ଯେଉଁଥିରେ ୨ ଲକ୍ଷ ୬୦ ହଜାର ଘର ନିର୍ମାଣ ହୋଇପାରିବ । ବଜେଟରେ ନିଜସ୍ୱ ଯୋଜନାରେ ଅର୍ଥ ନଦେଇ କେନ୍ଦ୍ରୀୟ ଯୋଜନାରେ ଘର ନିର୍ମାଣ କରି ଏହାର ଭୁଲ ତଥ୍ୟକୁ ରାଜ୍ୟପାଳଙ୍କ ପାଟିରେ କୁହାଇବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
କୃଷି ଓ କୃଷକର ବିକାଶ ତାଙ୍କ ସରକାରଙ୍କର ପ୍ରାଥମିକତା ରାଜ୍ୟପାଳଙ୍କ ପାଟିରେ ସରକାରୀ ମିଛକୁ ହିଁ କୁହାଯାଇଛି । ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟରେ କୃଷି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୭୦ ପ୍ରତିଶତ ଲୋକ ନିର୍ଭର କରୁଥିବା ବେଳେ ଏହି କ୍ଷେତ୍ରର ରୋଜଗାରକୁ ଯୋଗଦାନ ମାତ୍ର ୧୫ ପ୍ରତିଶତ । ଏହା ଓଡିଆ କୃଷକଙ୍କ ଦାରିଦ୍ର୍ୟକୁ ପ୍ରମାଣ କରୁଥିବା ବେଳେ ୧୮ ବର୍ଷରେ କୃଷକର ଆଶା ଧୂଳିସାତ ହୋଇଛି । ଏହା ନିରାଟ ସତ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଜଳସେଚନ ପାଇଁ ୪ଟି ନିର୍ବାଚନ ଇସ୍ତାହାରରେ ବିଜୁ ଜନତା ଦଳ ଯାହା ପ୍ରତିଶୃତି ଦେଇଥିଲା ତାହା ପୁରଣ ହୋଇଥିଲେ ଏତେବେଳକୁ ରାଜ୍ୟରେ ୯୦% ଜମିରେ ଜଳସେଚନ ହୋଇଯିବା କଥା ହେଲେ ଜଳସେଚନ ଏବେ ସୁଦ୍ଧା ୩୫% ରେ ଠପ ହୋଇଯାଇଛି । ହେଲେ ସେ ବିଷୟରେ ରାଜ୍ୟପାଳ ମହୋଦୟ କିଛି କହିନାହାନ୍ତି । କେବଳ କିଛି ଆଡି ବନ୍ଧ ନିର୍ମାଣ ହେବ କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇଛନ୍ତି । “ମୋ ସରକାର ଅବିଳମ୍ବେ ରାଜ୍ୟରେ ଜଳସେଚିତ ଅଂଚଳ ବୃଦ୍ଧି ନିମନ୍ତେ ପ୍ରତିଶୃତିବଦ୍ଧ” ବୋଲି ରାଜ୍ୟପାଳ ମହୋଦୟଙ୍କ ପାଟିରେ ସରକାର କହିଥିଲା ବେଳେ ଏବେ ମାତ୍ର ଓଡିଶାର ୩୫ ପ୍ରତିଶତ ଜମିକୁ ଜଳସେଚନ ପହଂଚିଛି । ଓଡିଶାର ସିଂହ ଭାଗ କୃଷି ଜଳସେଚନ ନୁହେଁ ବର୍ଷା ଉପରେ ନିର୍ଭରଶୀଳ । ଏହା କି ପ୍ରକାର କୃଷକ ମାନଙ୍କର ମଙ୍ଗଳକାରୀ ସରକାର ବୁଝା ପଡୁ ନାହିଁ ।
ବିଜେପି ଶାସିତ ରାଜ୍ୟମାନଙ୍କରେ କୃଷକ ମାନଙ୍କୁ ବିନା ସୁଧରେ କୃଷି ଋଣ ଯୋଗାଇ ଦିଆ ଯାଉଥିବା ବେଳେ ସିଂହ ଭାଗ କେନ୍ଦ୍ର ସରକାରଙ୍କ ରିହାତିକୁ ମିଶାଇ କୃଷକଙ୍କୁ ଏକ ପ୍ରତିଶତରେ ଋଣକୁ ରାଜ୍ୟ ସରକାରଙ୍କର ମିଛ ସଫଳତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଓଡିଶାର ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ସର୍ବଦା ଗୁଣାତ୍ମକ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇଦେବାକୁ ମୋ ସରକାର ଅବିରତ ଉଦ୍ୟମ କରିଆସୁଛନ୍ତି ବୋଲି ରାଜ୍ୟପାଳଙ୍କ ପାଟିରୁ କୁହାଇଥିବା ବେଳେ ଆଜି ବି ରାଜ୍ୟରେ ୪୧% ପରିବାରରେ ବିଜୁଳି ପହଂଚି ନାହିଁ । ଖରାଦିନ ହେଲେ ହାଣ୍ଡି ମାଠିଆ ଧରି ମା- ମାଉସୀ ମାନେ ଗାଁ ଦାଣ୍ଡରେ ପିଇବା ପାଣି ପାଇଁ ଦହଗଂଜ ହେଉଛନ୍ତି । ଏହାକୁ ସ୍ୱୀକାର ନ କରି ଗାଁ- ଗରୀବ- ମହିଳାଙ୍କ ବିକାଶ କଥା କହିବା ହାସ୍ୟାସ୍ପଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।