ଶ୍ରୀରସିକରାଜ ମନ୍ଦିରରେ କାର୍ତ୍ତିକ ବ୍ରତ ଓ ଗୋବିନ୍ଦ ଦାମୋଦର ପୂଜା ଆରମ୍ଭ

12

ସ୍ୱର୍ଗତ ନକ୍ଷତ୍ରମାଳା ପରିଚ୍ଛାଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ କୃପାଳୁ ସଂକୀର୍ତ୍ତନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର କାର୍ତ୍ତିକ ମାସର ଶୁଭାରମ୍ଭ ଅବସରରେ ଐତିହ୍ୟସମ୍ପନ୍ନ ଶ୍ରୀରସିକରାଜ ମନ୍ଦିର (ପରିଚ୍ଛା ମଠ) ପରିସରରେ କାର୍ତ୍ତିକ ବ୍ରତ ତଥା ମାସବ୍ୟାପୀ ଗୋବିନ୍ଦ ଦାମୋଦର ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି। ଆଜି ପ୍ରତ୍ୟୁଷରୁ ବ୍ରହ୍ମମୁହୂର୍ତ୍ତରେ ସ୍ଥାନୀୟ ଅଞ୍ଚଳର ବହୁ ବୟୋଜ୍ୟେଷ୍ଠା , ମହିଳା ଓ ଶ୍ରଦ୍ଧାଳୁ ଭକ୍ତ ଏକତ୍ରିତ ହୋଇ ପାରମ୍ପରିକ ରୀତିମତେ ପୂଜାର୍ଚ୍ଚନା ଓ ଦୀପଦାନ କରିଥିଲେ।
​ଏହି ଶୁଭ ଅବସରରେ ଏହି ପୂଜାର ମୁଖ୍ୟ ପ୍ରେରଣାଦାତ୍ରୀ ତଥା ପରମ ଭକ୍ତିପରାୟଣା ସ୍ୱର୍ଗତ ନକ୍ଷତ୍ରମାଳା ପରିଚ୍ଛାଙ୍କ ସ୍ମୃତିଚାରଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତାଙ୍କରି ମାର୍ଗଦର୍ଶନ ଓ ପରମ୍ପରାକୁ ବଜାୟ ରଖି ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ବାସନ୍ତୀ ଚୌଧୁରୀ ନିଷ୍ଠାର ସହ ପରିଚାଳନା କରିଆସୁଛନ୍ତି।
​ପୂଜାର୍ଚ୍ଚନା ପରେ ପ୍ରାତଃକାଳରେ ସେଠାରେ ଥିବା ‘ବାଳ-ମୁକୁନ୍ଦ କେନ୍ଦ୍ର’ ଆନୁକୂଲ୍ୟରେ ଏବଂ ବିଶିଷ୍ଟ ଶିଶୁପ୍ରେମୀ ଶ୍ରୀ ସତ୍ୟନାରାୟଣ ଆପଟ୍ଟଙ୍କ ପ୍ରତିନିଧିତ୍ୱରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଶୁ ଓ ଭକ୍ତମାନଙ୍କ ଦ୍ୱାରା ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ରଚିତ ଭାବପୂର୍ଣ୍ଣ ‘ରାଧାଗୋବିନ୍ଦ ଗୀତ’ ତଥା ଦିବ୍ୟ ହରିନାମ ସଂକୀର୍ତ୍ତନ ପରିବେଷଣ କରାଯାଇ ସମଗ୍ର ପରିବେଶକୁ ଭକ୍ତିମୟ କରି ଗଢ଼ିତୋଳା ଯାଇଥିଲା।
​ଏହି ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମର ପୁରୋଧା ଶ୍ରୀ ହରେ ରାମ କୃଷ୍ଣ ଚୌଧୁରୀ ତଥା ମଠ ପରିଚାଳକ ତଥା ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ ମୂରଲୀଧର ପରିଚ୍ଛା ସୁଚାରୁ ରୂପେ ପରିଚାଳନା କରୁଛନ୍ତି। ଆଗାମୀ ଏକ ମାସ ପର୍ଯ୍ୟନ୍ତ ଏହି ମଠ ପରିସରରେ ନିରନ୍ତର ଭଜନ , ସଂକୀର୍ତ୍ତନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.