ପ୍ରଭାରୀ ଅରୁଣ ସିଂଙ୍କ ପ୍ରଥମ ଓଡିଶା ଗସ୍ତ :ଭୁବନେଶ୍ୱରରେ ରାଜ୍ୟ ବିଜେପି ତରଫରୁ ବ୍ୟାପକ ସ୍ୱାଗତ 

0 2

 ନାଗରିକତା ସଂଶୋଧନ ଆଇନ ପାଇଁ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅଭିନନ୍ଦନ 

 ଡିସେମ୍ବର ମାସ ସୁଦ୍ଧା ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ 

ଭୁବନେଶ୍ୱର, (ଶାସକ ପ୍ରଶାସକ) ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ବିଜେପିର ପ୍ରଭାରି ଶ୍ରୀ ଅରୁଣ ସିଂହ ଆଜି ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି । ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସାଂସଦ ଶ୍ରୀ ସିଂହଙ୍କୁ ଭୁବନେଶ୍ୱର ବିମାନ ବନ୍ଦରଠାରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନ ବନ୍ଦରରେ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୃଥିରାଜ ହରିଚନ୍ଦନ, ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଦଳିୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳର ନେତା ପ୍ରଦିପ୍ତ ନାଏକ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଦି ପ୍ରମୁଖ ଅଭିନନ୍ଦନ ଜଣାଇଥିଲେ ।

ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରେ ନିର୍ଯ୍ୟାତନାର ଶୀକାର ହୋଇଥିବା ସଂଖ୍ୟାଲଘୁ ସଂପ୍ରଦାୟର ଶରଣାର୍ଥୀ ମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୟନ ହେଲା, ସେଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ଶ୍ରୀ ସିଂହ ଅଭିନନ୍ଦନ ଜଣାଇଛନ୍ତି । ଏହି ଦକ୍ଷେ ଭାରତର ଇତିହାସରେ ସ୍ୱର୍ଣାକ୍ଷରରେ ଲେଖାଯିବ । ଏହି ଆଇନ ପାରିତ ହେବା ପରେ ସେମାନଙ୍କର ଜୀବନରେ ଖୁସି ଆସିବ, ସେମାନେ ନାଗରିକତ୍ୱ ପାଇବେ ବୋଲି ଶ୍ରୀ ସିଂହ କହିଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା, ସମସ୍ତଙ୍କ ପ୍ରୟାସରେ ସର୍ବସମ୍ମତି କ୍ରମେ ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମି ଠାରେ ମନ୍ଦିର ନିର୍ମାଣ ପାଇଁ ମାର୍ଗ ପ୍ରସ୍ତୁତ ହେବା ପରେ ଏବେ ନାଗରିକତା ସଂଶୋଧନ ବିଲ ପାରିତ ହୋଇ ପାରିଛି । ଏହା ଦ୍ୱାରା ଏହି ଶରଣାର୍ଥୀ ମାନଙ୍କୁ ଲାଭ ମିଳିବ ବୋଲି ଶ୍ରୀ ସିଂହ କହିଛନ୍ତି ।

ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବିଷୟରେ ଶ୍ରୀ ସିଂହ କହିଛନ୍ତି ଯେ, ଡିସେମ୍ବର ମାସ ସୁଦ୍ଧା ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବ | ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକ ମତଦାତା ସୂଚୀ ତିଆରି କରା ଯାଇଥାଏ । ଏଥିରେ ସମସ୍ତ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟ ମାନେ ରହିଥାନ୍ତି । ଏହି ମତଦାତା ସୂଚୀର ସଦସ୍ୟମାନେ ରାଜ୍ୟ ସଭାପତି ବାଛିଥାନ୍ତି । ବିଜେପି ହେଉଛି ଏକ ମାତ୍ର ରାଜନୈତିକ ଦଳ ଯେଉଁ ଠାରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି । ବିଜେପିର ରାଜ୍ୟ ସଭାପତି କିଏ ହେବ ତାହା ଏବେ ଠାରୁ କହି ହେବ ନାହିଁ । ଏହି ମତଦାତା ସୂଚୀରେ ଥିବା ମତଦାତା ମାନେ ସ୍ଥିର କରିବେ ବୋଲି ଶ୍ରୀ ସିଂହ କହିଛନ୍ତି ।

 

Leave A Reply

Your email address will not be published.