ସ୍କୁଲକୁ ଯିବାକୁ ଚାହୁଁନଥିଲା, ଘରେ ବାଧ୍ୟ କଲେ ବୋଲି ନିଜକୁ ଜାଳିଦେଲା 

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରିବାର ପକ୍ଷରୁ ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର  ଛାତ୍ରର ଜୀବନ ବଞ୍ଚାଇବାରେ  ସଫଳ ହୋଇ ପାରିନଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡିଛି  ଛାତ୍ର ଜଣଙ୍କ ବିଦ୍ୟାଳୟ ଯିବାକୁ ମନା କରିବାରୁ ଘରଲୋକ ତାକୁ ବାଧ୍ୟ କରିଥିଲେ । ଫଳରେ ସେ  ଘରେ କବାଟ ବନ୍ଦ କରି ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବଡ଼ସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତର କରାଇବାକୁ ପରାମର୍ଶ ଦେଇଥିଲେ ।  ଏହାପରେ ବାରିପଦା ପିଆରଏମ ସରକାରୀ ମେଡିକାଲ ଓ ହସ୍ପିଟାଲରେ  ପହଞ୍ଚିବାର କିଛି ସମୟ ବ୍ୟବଧାନରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକ ଜଣକ  ପଶୁଦା ଗ୍ରାମର ନବୀନ ମାର୍ଣ୍ଡିଙ୍କ ପୁଅ କାଳିଦାସ ମାର୍ଣ୍ଡି(୧୩) ବୋଲି ଜଣାପଡିଛି ।

 

Leave A Reply

Your email address will not be published.