ଏପଟେ ସଚିବଙ୍କ ଆହାର, ସେପଟେ ବ୍ୟବସ୍ଥାକୁ ପାହାର(Pls see Video)

2

ପିଆରଏମ୍ ମେଡିକାଲ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ବାପାମା ନାହାନ୍ତି

  • ଗୋଟିଏ ପଟେ ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ହସ୍ପିଟାଲ ଆହାର କେନ୍ଦ୍ରରେ ଭୋଜନ
  • ଅନ୍ୟପଟରେ ଖାଦ୍ୟ ପରଷିବା ଦାୟିତ୍ବରେ ଥିବା ମହିଳା କର୍ମଚାରୀ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଭିଡିଓ ଭାଇରାଲ
  • ଔଷଧ ବଣ୍ଟନ କେନ୍ଦ୍ରରେ କର୍ମଚାରୀ ଅଭାବ ଓ ଔଷଧ ଗୋଦାମ ଗୃହରେ ସ୍ଥାନାଭାବକୁ ନେଇ ଅସନ୍ତୋଷ ପ୍ରକାଶ

ବାରିପଦା,(ଦିଲ୍ଲୀପ ମହାନ୍ତି ): ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ୍) ମେଡିକାଲ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଆଜି ଜଳସମ୍ପଦ ବିଭାଗ ସଚିବ ତଥା ପିଆରଏମ୍ ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାର ୨ୟ ଥର ପାଇଁ ହସ୍ପିଟାଲ ଗସ୍ତରେ ଆସି ହସ୍ପିଟାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହିତ ଔଷଧ ଗୋଦାମ ଗୃହ ଓ ଔଷଧ ବଣ୍ଟନ କେନ୍ଦ୍ର ବୁଲି ଦେଖିଥିଲେ। ରୋଗୀସେବାକୁ ନେଇ ଶ୍ରୀ କୁମାର ସନ୍ତୋଷ ପ୍ରକାଶ କରିଥିବା ବେଳେ ଔଷଧ ବଣ୍ଟନ କେନ୍ଦ୍ରରେ ମାତ୍ର ଜଣେ କର୍ମଚାରୀ ଔଷଧ ଦେଉଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ଏଠାରେ ଆଉ ଜଣେ କର୍ମଚାରୀ ନିୟୋଜିତ କରିବାକୁ ଶ୍ରୀକୁମାର ପରାମର୍ଶ ଦେଇଥିଲେ। ସେହିପରି ଔଷଧ ଗୋଦାମ ଗୃହ ପରିଦର୍ଶନ ସମୟରେ ଏଠାରେ ଥିବା ସ୍ଥାନାଭାବକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏମିତି କମ୍ ସ୍ଥାନରେ ଔଷଧ ରଖିବାକୁ ସେ ନାପସନ୍ଦ କରିଥିଲେ। ଏଥିନିମନ୍ତେ ତୁରନ୍ତ ନୂତନ ସ୍ଥାନ ଦେଖି ଗୋଦାମ ଗୃହ ନିମିତ୍ତ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ପରେ ଶ୍ରୀ କୁମାର ହସ୍ପିଟାଲ ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହିତ ମିଶି ଭୋଜନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ସିଡିଏମ୍ଓ ଡ. ପି କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଆଜି ସୁରେନ୍ଦ୍ର କୁମାର ଗସ୍ତ ଦିନ ହସ୍ପିଟାଲର ଖାଦ୍ୟ ବଣ୍ଟନ ଦାୟିତ୍ବରେ ଥିବା ଜଣେ ମହିଳା କର୍ମଚାରୀ ଚିକିତ୍ସାଧୀନ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଭିଡିଓ ଭାଇରାଲ୍ ହୋଇଛି। ହସ୍ପିଟାଲରେ ଖାଦ୍ୟ ଦେବା ଦାୟିତ୍ବରେ ଥିବା ଏକ ଘରୋଇ ସଂସ୍ଥାର ଏହି ମହିଳା କର୍ମଚାରୀ ଏଠାରେ ଖାଦ୍ୟ ବଣ୍ଟନ ଦାୟିତ୍ବରେ ଅଛନ୍ତି। ମାତ୍ର କୌଣସି କାରଣରୁ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ସେ ଇଞ୍ଜେକ୍ସନ ଦେଉଥିବାର ଭିଡିଓ ଆଜି ସାମ୍ନାକୁ ଆସିଛି। ଏହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ୍ ରହିଥିବା ବେଳେ ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହି ଭିଡିଓଟି କିଛି ଦିନ ତଳର ଭିଡିଓ ବୋଲି ଜଣାପଡ଼ିଛି। ଉକ୍ତ ରୋଗୀ ମଧ୍ୟ ଡିସଚାର୍ଜ ହୋଇ ହସ୍ପିଟାଲରୁ ଚାଲି ଯାଇଥିବାର ଜଣାପଡିଛି । ମାତ୍ର ଜଣେ ଖାଦ୍ୟ ବଣ୍ଟନକାରୀ ମହିଳା କିପରି ୱାର୍ଡ ମଧ୍ୟରେ  ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଢେଙ୍କାନାଳରେ ଏପରି ଘଟଣା ଘଟିବା ପରେ  ଏବେ ପିଆରଏମ୍ଏଭଳି ଭିଡିଓ ଭାଇରାଲ୍ ହେବା ରୋଗୀସେବାକୁ ନେଇ ପ୍ରଶ୍ନ ଉଠିଛି। ବାରିପଦା ପିଆରଏମ୍ ମେଡିକାଲରର ରୋଗୀସେବାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ୨ୟ ଗସ୍ତକୁ ନେଇ ସ୍ପଷ୍ଟ ହୋଇଛି। ମାତ୍ର ୱାର୍ଡ ମଧ୍ୟକୁ ଯାଇ ଉକ୍ତ ମହିଳା କର୍ମଚାରୀ କିଭଳି ଇଞ୍ଜେକ୍ସନ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହିଭଳି ଥରେ ଘଟିଛି ନା ବାରମ୍ବାର ଘଟୁଛି ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ତେବେ କର୍ମଚାରୀ ଅଭାବରୁ ପିଆରଏମ୍ ଏଭଳି ଘଟଣା ଘଟୁଥିବା ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.