ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଯାଏ ସଂସ୍କାର ଓ ଆଧ୍ୟାତ୍ମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ଦାବୀ 

2

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭିଏଚପି ନେତା 

ରାଉରକେଲା- ଦେଶରେ ଦିନକୁଦିନ ମାତୃଜାତି ପ୍ରତି ବୃଦ୍ଧି ପାଉଥିବା ଅମାନୁଷିକ ଅତ୍ୟାଚାର ପ୍ରସଙ୍ଗରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ଶାନ୍ତନୁ କୁସୁମ | କେବଳ ସମବେଦନା ଜଣାଇବାରେ ସରକାର ସୀମିତ ନରହି ଏଭଳି ଘୃଣ୍ୟ ଅପରାଧର ମୁଳୋତ୍ପାଟନ ପାଇଁ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଯାଏ ପ୍ରତେକ ଶିକ୍ଷାନୁଷ୍ଠାନରେ ସଂସ୍କାର ଓ ଆଧ୍ୟାତ୍ମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ସେ ଦାବୀ କରିଛନ୍ତି | ତାସହିତ ଦେଶରେ ଅଶ୍ଳୀଳତାକୁ ସମ୍ପୂର୍ଣ୍ଣ ରୂପରେ ନିଷିଦ୍ଧ କରିବା ପାଇଁ ଦାବୀ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଦେଶରେ ଦିନକୁ ଦିନ ମାତୃଜାତି ପ୍ରତି ବୃଦ୍ଧି ପାଉଥିବା ଅମାନୁଷିକ ଅତ୍ୟାଚାର ସମ୍ୱନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବା ସହିତ ଏକ ମାତୃସମ୍ମାନ ରାଷ୍ଟ୍ରରେ ଏଭଳି ଘଟଣା ଦେଶ ପାଇଁ କଳଙ୍କ ଅଟେ ବୋଲି କହିଛନ୍ତି | ପ୍ରଧାନମନ୍ତ୍ରୀଙ୍କୁ ପ୍ରେରଣ କରିଥିବା ଚିଠିରେ କୁସୁମ ଦର୍ଶାଇଛନ୍ତି ଯେ 2012 ଡିସେମ୍ବରରେ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣା ପରେ ମହିଳାଙ୍କ ସୁରକ୍ଷା ପାଇଁ କଠୋର ଆଇନ ପ୍ରଣୟନ କରାଯାଇଥିବା ବେଳେ ଉକ୍ତ ଆଇନ ମହିଳାଙ୍କ ସୁରକ୍ଷା କବଚ ହେବ ବୋଲି କୁହାଯାଇଥିଲା | ହେଲେ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣା କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | 2015 ରେ 34651 ଟି ବଳାତ୍କାର ଘଟଣା ଘଟିଥିବା ବେଳେ 2016 ରେ 38947 ଟି ବଳାତ୍କାର ଘଟଣା ଦେଶରେ ଘଟିଛି | ସେମିତି 2017 ରେ 32558 ଟି ବଳାତ୍କାର ଘଟଣା ଦେଶରେ ଘଟିଛି | ତେଣୁ କେବଳ ଆଇନ ତିଆରିରେ ବ୍ୟସ୍ତନରହି ଦେଶର ପ୍ରତେକ ନାଗରିକଙ୍କୁ ସଂସ୍କାର ସମ୍ପନ କରି ଗଢି ତୋଳିବାକୁ ସରକାର ନୂଆ ଅଭିଯାନ ପ୍ରାରମ୍ଭ କରିବା ଉଚିତ | ସେଥିପାଇଁ ଦେଶରେ ଅଶ୍ଳୀଳତାକୁ ସମ୍ପୂର୍ଣ ରୂପରେ ନିଷିଦ୍ଧ କରିବା ସହିତ ବିଦ୍ୟାଳୟ ରୁ ବିଶ୍ୱବିଦ୍ୟାଳୟ ଯାଏ ସଂସ୍କାର ଓ ଆଧ୍ୟାତ୍ମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ଭିଏଚପି ନେତା କୁସୁମ ଦାବୀ କରିଛନ୍ତି |

Leave A Reply

Your email address will not be published.