ଭିନ୍ନକ୍ଷମଙ୍କୁ ସମ୍ମାନ ଓ ସମର୍ଥନ ଦେବା ସହ ସେମାନଙ୍କ ସମସ୍ୟା ଦୂର କରିବା ଆମ କର୍ତ୍ତବ୍ୟ : ଜିଲ୍ଲାପାଳ 

2

“ସମର୍ଥ” ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ପକ୍ଷରୁ  ସାମୁଦାୟିକ ବିକାଶ କେନ୍ଦ୍ର (ସିସିଡି) ସହଯୋଗରେ “ବିଶ୍ବ ଭିନ୍ନକ୍ଷମ ଦିବସ” ପାଳିତ ହୋଇଯାଇଛି ।

   ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବିଭିନ୍ନ ବର୍ଗର ଶତାଧିକ ସଂଖ୍ୟାରେ ଭିନ୍ନକ୍ଷମ ମାନଙ୍କ ଏକ ସଚେତନତା ଶୋଭାଯାତ୍ର ସ୍ଥାନୀୟ ଗୁଣ୍ଡିଚାବାଡି ପଡିଆ ଠାରୁ ବାହାରି ହାତରେ ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ସବୁ ଧରି ନଗର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାଟିକୁ ସିସିଡିର ମୁଖ୍ୟ ଜଗନ୍ନାଥ ରାଜୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

     ଏହାପରେ ସିସିଡି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ସଭା ଅନୁଷ୍ଠିତ  ହୋଇଥିଲା ।    ଏହି ସଭା କାର୍ଯ୍ୟକ୍ରମରେ କେନ୍ଦ୍ରର ମୁଖ୍ୟ ଜଗନ୍ନାଥ ରାଜୁ ସଭାପତିତ୍ୱ କରି ଭିନ୍ନକ୍ଷମ ମାନେ ଜଣକ ଉପରେ ନିର୍ଭରଶୀଳ ନ ହୋଇ ସେମାନଙ୍କ ଦକ୍ଷତା ଓ ନେତୃତ୍ୱର ବିକାଶ କିଭଳି ହୋଇପାରିବ ଏବଂ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟରେ ସେମାନେ  କିଭଳି ସାମିଲ ହୋଇ ପାରିବେ , ସେ ଦିଗରେ ସିସିଡି ପ୍ରୟାସ ଜାରି ରଖିଛି ବୋଲି କହିଥିଲେ ।

    ଜିଲ୍ଲାପାଳ ଅନୁପମ ଶାହା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ସମ୍ମାନ ଓ ସମର୍ଥନ ଦେବା ସହ ସେମାନଙ୍କ ସମସ୍ୟା ଦୂର କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ସହାୟକ ହେବା ହିଁ ଏହି ଦିବସ ପାଳନ କରିବାର ମୂଳ ଲକ୍ଷ ବୋଲି କହିଥିଲେ ।

http://www.youtube.com/watch?v=u9rWtjsSfA8 

ଜିଲ୍ଲା ସମାଜ କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ପରିଚାଳିକା ଯଶୋବନ୍ତି ବେହେରା ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କାର୍ଯ୍ୟକ୍ରମ ପରିଚାଳିକା ଶିବାନୀ ପାଣିଗ୍ରାହୀ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ଓ ସେମାନଙ୍କ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।  ଭିନ୍ନକ୍ଷମ ମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ନିଜକୁ ଭାଙ୍ଗି ନ ପଡି ମନୋବଳ ଦୃଢ଼ କରି ନିଜେ କିଛି କରବା ପାଇଁ ଚେଷ୍ଠିତ ହେବା ଉପରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ ।  ସମର୍ଥ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ମହାରଣା ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇ ସମର୍ଥ ଅନୁଷ୍ଠାନ ଭିନ୍ନକ୍ଷମ ମାନଙ୍କ ପ୍ରତି କିଭଳି ସବୁ କାର୍ଯ୍ୟକ୍ରମ ଜାରି ରଖିଛି , ତାହା କହିଥିଲେ ।

   ଅନ୍ୟମାନଙ୍କ ମଧ୍ୟରେ  କାନାଡିୟାନ ମହିଳା ଓ ସିସିଡି ଅନୁଷ୍ଠାନର ପଦ୍ମାରାଜ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଭଲ ଆତ୍ମନିର୍ଭରଶୀଳ ହୋଇଥିବା ୨ଜଣ ଭିନ୍ନକ୍ଷମ ବ୍ୟକ୍ତି ଖମାରି ସାହି ଗ୍ରାମର ସୀମାଞ୍ଚଳ ନାୟକ ଏବଂ କିତିଙ୍ଗି ଗ୍ରାମର ଗୋପୀନାଥ ବେହେରାଙ୍କୁ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା ।  ସେହିଭଳି ପ୍ରାୟ ୨୦ ଜଣଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସିସିଡି ପକ୍ଷରୁ ୨୦ ହଜାର ଟଙ୍କା ଲେଖାଏଁର ଆର୍ଥିକ ସହାୟତା ଚେକ୍ ଆକାରରେ  ପ୍ରଦାନ କରାଯାଇଥିଲା।   ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ତପନ ପାଣିଗ୍ରାହୀଙ୍କ ସମେତ ସିସିଡି ଅନୁଷ୍ଠାନର ମୃତ୍ୟୁଞ୍ଜୟ ପାଇକ ପ୍ରମୁଖ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.