ଧର୍ମଶାଳା ମହିଳା ପିଇଓଙ୍କ  ସନ୍ଦେହହଜନକ ମୃତ୍ୟୁ  ପ୍ରସଙ୍ଗ : ସରଜମିନ ତଦନ୍ତ କରିବ ଉଚ୍ଚସ୍ତରୀୟ ବିଜେପି ପ୍ରତିନିଧୀ ଦଳ

0

 ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହହଜନକ ମୃତ୍ୟୁ ହୋଇଛି । ସରକାରୀ କାର୍ଯ୍ୟରେ ଯାଇଥିବା ସ୍ମିତାରାଣୀଙ୍କର ମୃତ ଦେହ ହରିଦାସପୁର ପଂଚାୟତ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରୁ ବାହାରିଛି । ରୂପେଶ ଜଣେ ଠିକାଦାର ହୋଇଥିବାରୁ କିଛି ଶତ୍ରୁତା କାରଣକୁ ସୁପରିକଳ୍ପିତ ହତ୍ୟା ଷଡଯନ୍ତ୍ର ରଚାଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ତେବେ ଏଭଳି ଏକ ସରକାରୀ ମହିଳାଙ୍କ ଶବ ସରପଂଚ ସ୍ୱାମୀଙ୍କ ଘରୁ ବାହାରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । କାହିଁକି ସ୍ମିତାରାଣୀ ଗେଷ୍ଟହାଉସ ଯାଇଥିଲେ? ତାଙ୍କୁ ଗେଷ୍ଟ ହାଉସ ଯିବା ପାଇଁ ସରପଂଚଙ୍କ ସ୍ୱାମୀ ବାଧ୍ୟ କରିଥିଲେ କି? ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର  ରୂପ ଦିଆଯାଉଛି କି ? ସେ ଗେଷ୍ଟହାଉସ ଯିବା ସମୟରେ କିଛି ଅପ୍ରିତିକର ପରିସ୍ଥିତିରେ ସମ୍ମୁଖୀନ ହୋଇଥିଲେ କି ? ଏପରି ଅନେକ ଘଟଣାର ସରଜମିନ ତଦନ୍ତ କରିବା ପାଇଁ ରାଜ୍ୟ ବିଜେପିରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଆସନ୍ତାକାଲି ଯାଜପୁର  ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଗସ୍ତ କରିବ । 

ଏହି ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳରେ ପୂର୍ବତନ ଡିଜି ତଥା  ବିଜେପି ନେତା ପ୍ରକାଶ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ, ଅମୀୟ ମଲ୍ଲିକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ଏବଂ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ପ୍ରମୁଖ ସାମିଲ ହୋଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.