ଜଗନ୍ନାଥ ଷ୍ଟିଲ ବିରୁଦ୍ଧରେ ତେଜିଲା ଆନ୍ଦୋଳନ

0 2

୮ ଦଫା ଦାବିନେଇ ରାସ୍ତାରୋକ କଲେ  ଶତାଧିକ ପୁରୁଷ ଓ ମହିଳା

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ନିକଟସ୍ଥ ଉଲିବୁରୁ ଗ୍ରାମରେ  ଅବସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଆଜି ଶତାଧିକ ପୁରୁଷ ଓ ମହିଳା ୮ ଦଫା ଦାବି ନେଇ କାରଖାନା ରାସ୍ତା ଅବରୋଧ କରିଛନ୍ତି। ଉଲିବୁରୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କମ୍ପାନୀ ସରଳ ଗ୍ରାମବାସୀଙ୍କୁ ପ୍ରତାରଣା କରିଛି ଏବଂ ସ୍ଥାନୀୟ ଅଞ୍ଚଳର ସବୁଜ  ପରିବେଶକୁ ଦୂଷିତ କରିଛି। କାରଖାନାର ବର୍ଜ୍ୟବସ୍ତୁ ଅସୁରକ୍ଷିତ ଭାବରେ ଥିବାରୁ ଏହା ଉଡିଯାଇ ଆଖପାଖ ଅଞ୍ଚଳର ଚାଷଜମି ଉପରେ ଜମା ହେଉଛି। ଯାହାଦ୍ୱାରା ଏ ସବୁ ଜମିରେ ଚାଷ ସମ୍ଭବ ହେଉନାହିଁ। ସେହିପରି ଉଲିବୁରୁ ଓ ଆଖପାଖ ଗ୍ରାମରୁ ବଡ଼ବିଲକୁ ସଂଯୋଗ କରୁଥିବା ଏକମାତ୍ର କଚ୍ଚା ରାସ୍ତାକୁ କମ୍ପାନୀ କଞ୍ଚାମାଲ ଏବଂ ସ୍ପଞ୍ଜ ଆଇରନ ଓ ପିଲେଟ ପରିବହନ ନିମନ୍ତେ ଉପଯୋଗ କରୁଥିବାରୁ ଶହ ଶହ ଟ୍ରକ ଦିନ ରାତି ଚାଲୁ ରହିଛି। ଏହି ରାସ୍ତା ଟ୍ରକ ଦ୍ୱାରା ସବୁବେଳେ ଜାମ ରହୁଥିବାରୁ ଗ୍ରାମବାସୀ ଅହେତୁକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏପରିକି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ମଧ୍ୟ ବ୍ୟାହତ ହେଉଛି। ସେହିପରି ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି ନଦେଇ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ଅବହେଳା କରୁଥିବାର ଅଭିଯୋଗ କରିଛନ୍ତି କିଛି ସ୍ଥାନୀୟ ବାସିନ୍ଦା। ଯେ ପର୍ଯ୍ୟନ୍ତ ୮ ଦଫା ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଥିବା ବେଳେ କୌଣସି ଅଘଟଣକୁ ଏଡେଇବା ପାଇଁ ପୋଲିସ ତରଫରୁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ। ବଡ଼ବିଲ ଏସ ଡି ପି ଓ ଦିଲୀପ ବାଘ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିକୁ ଅନୁଧ୍ୟାନ କରୁଥିବା ଜଣାପଡିଛି। ତେବେ ବଡ଼ବିଲ ଅଞ୍ଚଳରେ ପ୍ରଥମଥର ପାଇଁ ପୋଲିସ ତରଫରୁ ଅବଶ୍ୟକସ୍ଥଳେ ଆନ୍ଦୋଳନକାରୀଙ୍କ ଉପରେ ପାଣି ମାଡ଼ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଏକ  ବାହନ ଆନ୍ଦୋଳନ ସ୍ଥାନରେ ଥିବା ଦେଖିବାକୁ ମିଳିଥିଲା। ରାସ୍ତାରୋକ ଆନ୍ଦୋଳନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଜଣା ପଡିନାହିଁ।

Leave A Reply

Your email address will not be published.