୨୭ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସ୍ତରୀୟ  ପ୍ରକଳ୍ପ ପ୍ରତିଯୋଗିତା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭାକକ୍ଷ ଠାରେ ୨୭ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

    ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ ଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ  ସାତ୍ମିକ କୁମାର ପଟ୍ଟନାୟକ ଏଥିରେ ଯୋଗଦେଇ “ଏକ ସ୍ୱଚ୍ଛ ସବୁଜ ଓ ସୁସ୍ଥ ରାଷ୍ଟ୍ର ଗଠନ ସକାଶେ ବିଜ୍ଞାନ , ପ୍ରଯୁକ୍ତି ବିଦ୍ୟା ଓ ଅନ୍ୱେଷ୍” ବିଷୟ ବସ୍ତୁକୁ ଆଧାର କରି ନିଜର ଆଞ୍ଚଳିକ ସମସ୍ୟାକୁ ଅନୁଧ୍ୟାନ କରି ଏବଂ ଏ ସଂପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ବୈଜ୍ଞାନିକ ପ୍ରଣାଳୀରେ ତାହାର ସମାଧାନ କରିବା ହେଉଛି  ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

     ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃଷକେତୁ ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରି ଆଞ୍ଚଳିକ ସମସ୍ୟାର ସମାଧାନ କରିବା ଏହିଭଳି କାର୍ଯ୍ୟକ୍ରମ ଦ୍ବାରା ନିଶ୍ଚିତ ସମ୍ଭବ ହୋଇ ପାରିବ ବୋଲି କହିଥିଲେ ।

    ଅବସର-ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବାଲାନନ୍ଦ ରଥ , ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସଂଯୁକ୍ତା ପାତ୍ର ଓ ନିବେଦିତା ମାଝି  ପ୍ରମୁଖ  ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ ।

    ଏହି ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୫୭ ଟି ପ୍ରକଳ୍ପ ଏଠାରେ  ଉପସ୍ଥାପନ କରିଥିଲେ । ଏମାନଙ୍କ ମଧ୍ୟରୁ ୫ ଟି ପ୍ରକଳ୍ପ ବିଚାରକ ମାନଙ୍କ ଦ୍ବାରା ଏଠାରେ ମନୋନୀତ ହୋଇ ପୁରସ୍କୃତ ହେବା ସହ  ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମଧ୍ୟ ମନୋନୀତ ହୋଇଥିଲେ ।

   ଯେଉଁ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଈଁ ସେମାନଙ୍କ ପ୍ରକଳ୍ପ ଦ୍ବାରା ମନୋନୀତ ହୋଇଛନ୍ତି , ସେମାନେ ହେଲେ ରାୟଗଡ ବ୍ଲକ ଅନ୍ତର୍ଗତ କରଡା ସିଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ଜିତେନ୍ଦ୍ର ଶବର , ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର  ଛାତ୍ର ସାଇ ସରୋଜ ଶବର ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅଭିଜିତ ପାଢ଼ୀ , ପାରଳାଖେମୁଣ୍ଡି ସ୍ଥିତ  ସତ୍ୟ ନାରୟଣ ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ରାଜେଶ୍ବରୀ ସ୍ବାଇଁ ଏବଂ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲିସାରାଣୀ ପାଢ଼ୀ ପ୍ରମୁଖ  ମନୋନୀତ ହୋଇଥିଲେ।

   ସମସ୍ତ କାର୍ଯ୍ୟକ୍ରମକୁ  ଜିଲ୍ଲା ବିଜ୍ଞାନ ଏକାଡେମୀର ସଂଯୋଜକ ବାଳକୃଷ୍ଣ ମାଝି , ବରିଷ୍ଠ ଶିକ୍ଷକ ବି. ବୃନ୍ଦାବନ ରାଓ ଏବଂ ସୁଲତା ଶୁଭଦର୍ଶନୀ ପ୍ରମୁଖ ପରିଚାଳନା କରିଥିଲେ।

 

Leave A Reply

Your email address will not be published.