“ବର୍ତ୍ତମାନ ପର୍ଯ୍ୟନ୍ତ ସେଲ କ୍ୟାପ୍ଟିଭ ମାଇନର ଥିଲା , ନିକଟ ଭବିଷ୍ୟତରେ ଏହା ମର୍ଚ୍ଚାଣ୍ଟ ମାଇନରରେ ପରିଣତ ହେବ,” ଧର୍ମେନ୍ଦ୍ର ପ୍ରଧାନ

0 2

ରାଉରକେଲା (ଶାସକ ପ୍ରଶାସକ): “ବର୍ତ୍ତମାନ ପର୍ଯ୍ୟନ୍ତ ସେଲ କ୍ୟାପ୍ଟିଭ ମାଇନର ଥିଲା, ନିକଟ ଭବିଷ୍ୟତରେ ଏହା ମର୍ଚ୍ଚାଣ୍ଟ ମାଇନରରେ ପରିଣତ ହେବ,” ବୋଲି ସେପ୍ଟେମ୍ବର ୨୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଥିଲେ। ମାନ୍ୟବର ମନ୍ତ୍ରୀଙ୍କ ସହିତ ସୁନ୍ଦରଗଡର ମାନ୍ୟବର ସାଂସଦ ତଥା ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ, ଶ୍ରୀ ଜୁଏଲ ଓରାମ, ବିରମିତ୍ରପୁର ମାନ୍ୟବର ବିଧାୟକ, ଶ୍ରୀ ଶଙ୍କର ଓରାମ, ସେଲ ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରୀ ମଞ୍ଚାସୀନ ଥିଲେ। 

ଏହି ସନ୍ଦର୍ଭରେ ଅଧିକ ଉଲ୍ଲେଖ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, “ସେଲ ନିକଟରେ ୭୦ ନିୟୁତ ଟନ ଫାଇନ୍ସ ଓର ମହଜୁଦ ରହିଛି । ସଂଶୋଧିତ ନୀତି ଅନୁସାରେ ଉପରୋକ୍ତ ଫାଇନ୍ସଗୁଡିକୁ ବେନେଫିସିଏସନ ଏବଂ ମୂଲ୍ୟଯୁକ୍ତ କରାଯାଇ ବିକ୍ରି କରାଯାଇପାରିବ, ଯଦ୍ଦ୍ଵାରା ସେଲର ଲାଭାର୍ଜନରେ ବୃଦ୍ଧି ଘଟିବ । ଏହି ପ୍ରୟାସ ଓଡିଶାର ସେକଣ୍ଡରୀ ସେକ୍ଟରରେ ମଧ୍ୟ ଖଣିଜ ପଦାର୍ଥର ଉପଲବ୍ଧତାରେ ବୃଦ୍ଧି ଆଣିବ ।”

ଇସ୍ପାତ ଶିଳ୍ପ ସମ୍ବନ୍ଧରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଥିଲେ ଯେ, “ସାରା ବିଶ୍ଵରେ ଇସ୍ପାତ ବ୍ୟବସାୟ ଏକ ଆହ୍ଵାନମୂଳକ ପର୍ଯ୍ୟାୟ ଦେଇ ଗତି କରୁଛି । ଭାରତୀୟ ଇସ୍ପାତ ଉଦ୍ୟୋଗ ଏହି ପ୍ରତିକୂଳ ସ୍ଥିତିକୁ ଦୃଢତାର ସହିତ ସାମନା କରି ଶକ୍ତିଶାଳୀ ରୂପେ ଉଭା ହେବ, ଏହା ଆମର ମୂଳ ଲକ୍ଷ୍ୟ ରହିଛି । ବିଭିନ୍ନ ପ୍ରୟାସ ଜରିଆରେ ଆମେ ଜାତୀୟ ଅଶୋଧିତ ଇସ୍ପାତର ସାଂପ୍ରତିକ କ୍ଷମତା ୧୪୦ ନିୟୁତ ଟନରୁ ୨୦୩୦ ସୁଧା ୩୦୦ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ ।” 

ମାନ୍ୟବର ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ସେ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରତି ଚାଲୁରହିଥିବା ପ୍ରକଳ୍ପଗୁଡିକର  ସମୀକ୍ଷା କରିଥିଲେ। ଆରଏସପିର ଅବଶିଷ୍ଟ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରାଯିବ ଏବଂ ଜାତୀୟ ଇସ୍ପାତ ନୀତି ଅନୁଯାୟୀ ଏହାର କ୍ଷମତା ସମ୍ପ୍ରସାରିତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ସାମ୍ବାଦିକମାନଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ସୁନ୍ଦରଗଡ ଜିଲ୍ଲା ବିଶ୍ଵ ସ୍ତରୀୟ ଖେଳାଳୀ ସୃଷ୍ଟି କରିବା ନିମନ୍ତେ ପରିଚୟ ଲାଭ କରିଛି । ରାଉରକେଲାକୁ ଏକ କ୍ରୀଡା କେନ୍ଦ୍ର ରୂପେ ଗଢିତୋଳିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ସେ ଅନ୍ୟାନ୍ୟ ବିଷୟ ଯଥା ସେଲ କର୍ମଚାରୀଙ୍କ ମଜୁରୀ ସଂଶୋଧନ, ଇସ୍ପାତ ସହରର ସାଂସ୍କୃତିକ ଦୃଶ୍ୟପଟ୍ଟ ଏବଂ ରାଉରକେଲାରେ ‘ଉଡ଼ାନ’ ଯୋଜନା ଇତ୍ୟାଦି ସମ୍ପର୍କରେ ମଧ୍ୟ ମତ ରଖିଥିଲେ। 

ଏଥିପୂର୍ବରୁ ମାନ୍ୟବର ମନ୍ତ୍ରୀ ବିଭିନ୍ନ ଶ୍ରମିକ ସଂଗଠନ ଓ ଆରଏସପି ଅଧିକାରୀ ସଂଘର ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ ।   ୩୦ ତାରିଖ ପୂର୍ବାହ୍ନରେ ମାନ୍ୟବର ମନ୍ତ୍ରୀ ରାଉରକେଲାରୁ ପ୍ରସ୍ଥାନ କରିଥିଲେ । ତାଙ୍କୁ ରାଉରକେଲା ବିମାନ ବନ୍ଦରଠାରେ ସେଲର ବରିଷ୍ଠ ଅଧିକାରୀମାନେ ଉଚ୍ଛ୍ଵସିତ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

 

 

Leave A Reply

Your email address will not be published.