ଭଏସ୍ କଲ୍ରୁ ଫାଇଦା ଉଠାଇବାକୁ ବିଜେପିର ଉଦ୍ୟମ: ବିଜେଡି On Feb 22, 2018 23 Share ଭୁବନେଶ୍ୱର : ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଭଏସ୍ କଲ୍ରୁ ଫାଇଦା ଉଠାଇବାକୁ ବିଜେପି ଉଦ୍ୟମ କରିଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ସନ୍ଧ୍ୟାରେ ବିଜେଡି ଆପତ୍ତି କରିଛି । ବିଜେଡିର ଏକ ପ୍ରତିନିଧି ଦଳ ପକ୍ଷରୁ ପ୍ରଦତ୍ତ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ବିଜେପି ପ୍ରେରତି ଏହି ଭଏସ୍ କଲ୍ରେ ଜାଣିଶୁଣି ବିଜେଡି ସପକ୍ଷରେ ଥିବା ଭୋଟର୍ମାନଙ୍କୁ ବିଭ୍ରାନ୍ତ କରାଇବା ଉଦ୍ୟମ ହୋଇଛି । ମୋବାଇଲ୍ ନମ୍ବର ୧୭୨୫୩୦୬୩୨୦ ଓ ୧୭୨୫୩୦୬୧୨୪ ଏବଂ ଅନ୍ୟ କେତେକ ନମ୍ବରରୁ ମୁଖ୍ୟମନ୍ତ୍ରୀଙ୍କ ଭଏସ୍ କଲ୍ ପଠାଇ ବିଜେପୁର ଉପ-ନିର୍ବାଚନରେ ସରକାରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ବିଜେପି ଉଦ୍ୟମ ଚଳାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିରୋଧରେ କେତେକ ଅସମ୍ମାନଜନକ ମନ୍ତବ୍ୟ ରହିଛି, ଯାହା ବିଜେଡିକୁ ସମର୍ଥନ କରୁଥିବା ଭୋଟରମାନଙ୍କୁ ନିରୁତ୍ସାହିତ ଓ ହତୋତ୍ସାହିତ କରିବାକୁ ଉଦ୍ଧିଷ୍ଟ । ଏଥିରେ ମଧ୍ୟ ବିଜେପି ସପକ୍ଷରେ ଭୋଟ ପାଇଁ ପ୍ରବର୍ତ୍ତା ଯାଇଛି, ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରେ । ଏପରି ଆପତ୍ତିଜନକ ଓ ମାନହାନି ସୂଚକ ମନ୍ତବ୍ୟ ଲାଗି ରାଷ୍ଟ୍ରୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ ନିଆଯାଇନଥିବା ଆଶଙ୍କା ପ୍ରକାଶ କରି ବିଜେଡି କହିଛି ଯେ ତଦ୍ଧ୍ୱାରା ଆଚରଣ ବିଧି ଆଇନ୍ର ପାରା-୨ ଉଲ୍ଲଂଘନ କରାଯାଇଛି । ସାଇବର ଆଇନ୍, ନିର୍ବାଚନ ଆଇନ୍ ଓ ଅପରାଧିକ ଆଇନ୍ ବ୍ୟବସ୍ଥା ଅନୁଯାୟୀ ଭଏସ୍ କଲ୍ ଯାଞ୍ଚ କରିବା ସହ ତୁରନ୍ତ ଏହାର ପ୍ରସାରଣ ବନ୍ଦ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବିଜେଡି ଅନୁରୋଧ କରିଛି । ଆଜି ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡି ପ୍ରତିନିଧି ଦଳରେ ବିଜେଡି ସାଧାରଣ ସଂପାଦକ ତଥା ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଡେପୁଟି ମେୟର କେ. ଶାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 23 Share FacebookTwitterGoogle+ReddItWhatsAppPinterestEmail