ନିଜକୁ ନାବାର୍ଡର଼୍ ମ୍ୟାନେଜର  ପରିଚୟ ଦେଇ ଠକେଇ : ଅଭିଯୁକ୍ତକୁ ଜେଲ ଓ ଜୋରିମାନା  

0

ବାରିପଦା(ଦିଲୀପ ମହାନ୍ତି )- ବାରିପଦା ଏସଡ଼ିଜେଏମ ସୁମିତ୍ରା ଆଚାର୍ଯ୍ୟ ଆଜି ଏକ ଠକେଇ ମାମଲାର ବିଚାର କରି ଅଭିଯୁକ୍ତ ନକଲି ନାବାଡର଼୍ ମ୍ୟାନେଜର ତଥା ମୋରଡ଼ା ଥାନା ଝିଙ୍କିରିଆ ଗ୍ରାମର ଚିନ୍ତାମଣି ନାୟକଙ୍କ ପୁଅ ପ୍ରଶାନ୍ତ କୁମାର ନାୟକ(୪୮)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଇପିସି ଧାରା ୫୦୬ ଓ ୪୨୦ ଅନୁସାରେ ଦେଢ଼ ବର୍ଷ କାରାଦଣ୍ଡ, ୨ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟରେ ଅଧିକ ଏକ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଅଭିଯୁକ୍ତ ପ୍ରଶାନ୍ତ ନିଜକୁ ନାବାଡର଼୍ ବ୍ୟାଙ୍କର ମ୍ୟାନେଜର ପରିଚୟ ଦେଇ ୫ ଲକ୍ଷ ଟଙ୍କା  ଋଣ କରାଇ ଦେବା ଏବଂ ଉକ୍ତ ଋଣରେ ଦେଢ଼ ଲକ୍ଷ ଟଙ୍କା ସବସିଡ଼ି(ଛାଡ଼)  ସହ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ମୋରଡ଼ା ଥାନା ପୁଟକିଶୋଳ ଅଞ୍ଚଳର ଡ଼ାକ୍ତର ମହାକୁଡ଼ଙ୍କ ନିକଟରୁ ମୋଟ ୮ହଜାର ୫ଶହ ଲେଖାଏଁ ୬ଟି କିସ୍ତିରେ ଟଙ୍କା ନେଇଥିଲା । ପରବର୍ତ୍ତି ସମୟରେ ଡ଼ାକ୍ତର  ମହାକୁଡ଼ ଠକାମୀର ଶିକାର ହୋଇଥିବାର ଜାଣିବାକୁ ପାଇ ଘଟଣାକୁ ନେଇ ୨୦୧୫ ଜୁନ ୨୧ରେ ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ ଏବଂ ଥାନାରେ ପ୍ରଶାନ୍ତଙ୍କ ନାମରେ ୩୯/୨୦୧୫ରେ ମାମଲା ରୁଜୁ ହୋଇଥିଲା । ଆଜି ଉକ୍ତ ମାମଲାରେ ୧୨ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ଦସ୍ତାବିଜକୁ ତନଖି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । 

 

Leave A Reply

Your email address will not be published.