ବିଲୁଆଖାଇ ନଦୀ ପଠାରେ ଅଖା ଭିତରୁ ମିଳିଲା ଯୁବତୀଙ୍କ ଶବ

0

ଜଗତସିଂହପୁର:(ରମେଶ ମହାନ୍ତି):- ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ନୂଆପାରି ନିକଟସ୍ଥ ବିଲୁଆଖାଇ ନଦୀ ପଠାରୁ ଅଖା ଭିତରେ ବନ୍ଧା ହୋଇ ପଡିଥିବା ଜଣେ ଯୁବତୀଙ୍କ ଶବ ମିଳିଛି । ଯୁବତୀଙ୍କ ନାଁ ନିହାରିକା ପାତ୍ର ଓ ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ। ତେବେ ସେ କଟକର ଏକ ଘରୋଇ ନର୍ସିଂହୋମ୍ ରେ ନର୍ସ ଭାବେ କାମ କରୁଥିଲେ ।

ଗତ ୮ ତାରିଖ ଦିନ ଜଣେ ଯୁବକ ସହ ଦିନ ୪ଟା ବେଳେ ସେ ନର୍ସିଂହୋମ୍ ଛାଡିଥିଲେ । ୯ତାରିଖ ଦିନ ସେ ଡ୍ୟୁଟିକୁ ନଆସିବାରୁ କଟକ ଏମ ଏମ ମେଡିକେୟାର ନର୍ସିଂହୋମ୍ ପକ୍ଷରୁ ମଧୁପାଟଣା ଥାନାରେ ନିଖୋଜ ରିପୋର୍ଟ ଦିଆଯାଇଥିଲା । ପୋଲିସ ସଂପୃକ୍ତ ଯୁବକ କିଶୋର ଚନ୍ଦ୍ର ବାରିକଙ୍କୁ ଡାକି ପଚରାଉଚରା କରିଥିଲା। ୮ତାରିଖ ଦିନ ୪ଟା ବେଳେ ତାଙ୍କ ସହ ବାହାରକୁ ଯାଇଥିବା ନିହାରିକାଙ୍କୁ ସେ ପୁଣି ନର୍ସିଂହୋମ୍ ରେ ଛାଡିଯାଇଥିଲେ ବୋଲି କହିଥିଲେ ।ତେବେ ମଙ୍ଗଳବାର ବିଲୁଆଖାଇ ନଦୀ ପଠାରୁ ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ନିହାରିକାଙ୍କ ଶବ ମିଳିଛି । ଏହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ନିହାରିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖୋର୍ଦ୍ଧାରୁ ନିହାରିକାଙ୍କ ପରିବାରଲୋକ ଜଗତସିଂହପୁରରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି । ଘଟଣା ସଂପର୍କରେ ଉଭୟ ଜଗତସିଂହପୁର ଓ କଟକ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.