ଆମ୍ବେଦକର  ଯୁବକ ସଂଘ ତରଫରୁ ନୂଆଖାଇ ଭେଟ ଘାଟ

0

ବରଗଡ :- ବରଗଡ଼ ଜିଲ୍ଲାପଦ୍ମପୁର ଉପଖଣ୍ଡ ଫଟାମୁଣ୍ଡା ଗ୍ରାମର ବି ଆର ଆମ୍ବେଦକର  ଯୁବକ ସଂଘ ତରଫରୁ ନୂଆଖାଇ ଭେଟ ଘାଟ ଅନୁଷ୍ଠିତ  ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାରଙ୍କ ସଂଯୋଜନାରେ ଅନୁଷ୍ଠିତ ଷହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଆମ ଦେଶର ବିଭିନ୍ନ ପ୍ରାନ୍ତରେ ନୂଆଁଖାଇ ଭିନ୍ନ ଭିନ୍ନ ରୂପରେ ପାଳନ କରାଯାଉଛି । ଭିନ୍ନ ନାଁରେ ପାଳିତ ହେଉଥିବା ଏହି ପର୍ବ ଏକତା, ସଂହତି ଓ ଭାଇଚାରାର ସନ୍ଦେଶ ଦେଇଥାଏ । ଏହି ପ୍ରସଙ୍ଗରେ ସେ କେରଳରେ ପାଳିତ ହେଉଥିବା ଓନାମ ପର୍ବ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପର୍ବ ପାଳନ ସମୟରେ କୃଷକ, ଶ୍ରମଜୀବୀ, ଦଳିତ ଏବଂ ଆଦିବାସୀଙ୍କ ପ୍ରିୟ ବଳୀ ରାଜାଙ୍କୁ ସ୍ୱାଗତ କରାଯାଇଥାଏ । ପୁରାଣରେ ଭଗବାନ ବାମନ ଅବତାର ହୋଇ ତିନିପାଦ ଭୂମୀ ଦାନ ଆକାରରେ ଗ୍ରହଣ କରିବାକୁ ଯାଇ ମହାଦାନୀ ବଳୀରାଜାଙ୍କୁ ପାଦରେ ଚାପି ଦେଇଥିବା କଥା ଉଲ୍ଲେଖ ରହିଛି । ତେବେ ମହାତ୍ମା ଫୁଲେଙ୍କ ଅନୁସାରେ ଦକ୍ଷିଣ ଭାରତର ଜଣେ ଅନାର୍ଯ୍ୟ ରାଜା ଭାବରେ ବଳୀ ରାଜାଙ୍କ ପ୍ରସିଦ୍ଧି ରହିଥିଲା । ତାଙ୍କୁ ସ୍ମରଣ କରିବା ପାଇଁ ଏହି ପର୍ବ ପାଳନ କରାଯାଉଛି ବୋଲି ସେ କହିଥିଲେ । ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଜୟଶ୍ରୀ ସାହୁ, ମୁଲ ନିବାସୀ ସମତା ପରିଷଦର ଶ୍ରୀପତି କୁମ୍ଭାର, ସାମ୍ବାଦିକ ଉମେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି ଅବସରରେ ପୁରୁଷୋତ୍ତମ କୁମ୍ଭାର, ଲୋକବାଦ୍ୟ ତିଆରି କରୁଥିବା ଶିଳ୍ପୀ ମାଣ୍ଡିଆଢିପାର କର୍ମୁ ସିନ୍ଧୁର, କବି ରାମ ପ୍ରସାଦ ବାଗ, ଲୋକ ଗାୟକ ଅଜିତ ପାଣିଗ୍ରାହୀ, ଜଗବନ୍ଧୁ ସିକା, ଭେଙ୍ଗରାଜପୁରର ପ୍ରସିଦ୍ଧ ଗଣ୍ଡାବଜା ଦଳ, ପଦ୍ମପୁରର ସ୍ୱେଚ୍ଛାସେବୀ ମହନ୍ତ ବାବୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସଭାପତି ନିରୋଜ କୁମ୍ଭାର ସ୍ୱାଗତ ଭାଷଣ ପ୍ରଦାନ ଏବଂ ସଂପାଦକ ଗୋପବନ୍ଧୁ ସିକା ବିବରଣୀ ପ୍ରଦାନ କରିଥିଲେ । ପରେ ବିଳମ୍ବିତ ରାତିଯାଏ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା 

Leave A Reply

Your email address will not be published.