ଭୁବନେଶ୍ୱର – ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇନ୍କୁ ତା ବାଟରେ ଯିବାକୁ କହି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ତଦନ୍ତକୁ ବାଟବଣା କରିବାକୁ ହୀନ ପ୍ରୟାସ କରୁଛନ୍ତି ବୋଲି କୋରାପୁଟ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ କୃୃଷ୍ଣଚନ୍ଦ୍ର ଶଗରିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି କୋର୍ଟ ତତ୍ତ୍ୱାବଧାନରେ ଏସ୍ଆଇଟି ଘୋଷଣା ଫେବୃୟାରୀ ୭ ତାରିଖରେ କରି ଏଥିପାଇଁ ହାଇକୋର୍ଟ ପାଖକୁ ଆଜି ପର୍ଯ୍ୟନ୍ତ ଅନୁରୋଧ ପତ୍ରଟିଏ ନ ପଠାଇବା ମୁଖ୍ୟମନ୍ତୀଙ୍କ ଅସଲ ଉଦେ୍ଧଶ୍ୟକୁ ପଦାରେ ପକାଇ ଦେଇଛି । ଏହି ଗଣଦୁର୍ଷ୍କମ ଘଟଣାରେ ଏଡିଜି ଏଚଆରପିସି, ଡିଜି ପୋଲିସ୍, କ୍ରାଇମବ୍ରାଞ୍ଚ, ଷ୍ଟେଟ ଫରେନସିକ ଲ୍ୟାବ ବିରୁଦ୍ଧରେ କୁନ୍ଦୁଲି ପୀଡ଼ିତା ନିଜେ ଓ ତାଙ୍କ ପରିବାରର ଅଭିଯୋଗ ଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଏସଆଇଟିରେ କେଉଁ କେଉଁ ଅଧିକାରୀମାନେ ରହିବେ ଓ ଡିଜି ପୋଲିସ୍, ଏଡିଜି ହୁ୍ୟମାନରାଇଟସ୍ ପ୍ରୋଟେକସନ୍ ସେଲ, କ୍ରାଇମ୍ବ୍ରାଞ୍ଚ, ଷ୍ଟେଟ ଫରେନ୍ସିକ୍ ଲ୍ୟାବ ବିରୁଦ୍ଧରେ ତଦନ୍ତ କରିବେ । ଏଥିରେ ସ୍ୱଚ୍ଛତା ରହିବା ସମ୍ଭାବନା କେତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଜଣାଇବେକି? ଏସଆଇଟି ତଦନ୍ତ ଘୋଷଣାର ବାରଦିନ ବିତିଯାଇଥିଲେ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଏ ସମ୍ବନ୍ଧରେ ନିବେଦନ ନ କରିବାର କାରଣ କଣ?
ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏସ୍ଆଇଟି ନାଁରେ ତଦନ୍ତକୁ ବିଲମ୍ବିତ କରି କେବଳ କାଳପୋଷଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ଶ୍ରୀ ଶଗରିଆ ଅଭିଯୋଗ କରିଛନ୍ତି । ଶୀଘ୍ର ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାର ସୁପାରିଶ ନ କଲେ ମଧ୍ୟ ମାମଲା ନ୍ୟାୟାଳୟରେ ବିଚରାଧିନ ଥିବାରୁ ଆଇନଗତ ଲଢେ଼ଇ ସହ ସେ ଜନତା ଦରବାରରେ ଦୁଷ୍କର୍ମ ପୀଡ଼ିତାଙ୍କ ନ୍ୟାୟ ପାଇଁ ସଂଗ୍ରାମ କରିବେ ବୋଲି ଶ୍ରୀ ଶଗରିଆ କହିଛନ୍ତି ।