କେନ୍ଦୁଝର ଜିଲ୍ଲା ର ଦାବିକୁ ମାନିଲାନି ରେଳ ମନ୍ତ୍ରାଳୟ

0

 

ରେଳ ବଜେଟ୍‍ ନେଇ କେନ୍ଦୁଝର ବିକାଶ ପରିଷଦ ଅସନ୍ତୁଷ୍ଟ

ଭୁବନେଶ୍ୱର : ଚଳିତ ରେଳ ବଜେଟ୍‍ରେ କେନ୍ଦୁଝରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଥିବା ନୂତନ ପ୍ରସ୍ତାବ ମଧ୍ୟରୁ ଗୋଟିକୁ ହେଲେ ରେଳ ମନ୍ତ୍ରାଳୟ ଗ୍ରହଣ କରିଥିବାରୁ ଭୁବନେଶ୍ୱର ଠାରେ ଥିବା କେନ୍ଦୁଝର ବିକାଶ ପରିଷଦ ଘୋର ଅସନ୍ତୋଷ ବ୍ୟକ୍ତ କରିଛି । ପରିଷଦର ଆବାହକ ଡମ୍ବରୁଧର ଘଣା କହିଛନ୍ତି ଯେ ରେଳବଜେଟ୍‍ ଆଗତ ପୂର୍ବରୁ ରାଜ୍ୟ ସରକାର କେତେ ଗୁଡିଏ ପ୍ରସ୍ତାବ ଦେଇଥିଲେ । ଏଥି ମଧ୍ୟରେ କେନ୍ଦୁଝର ଜିଲ୍ଲା ପାଇଁ ବି ନୂତନ ପ୍ରସ୍ତାବ ସବୁ ଥିଲା । 

ଏହି ନୂତନ ପ୍ରସ୍ତାବ ଗୁଡିକ ମଧ୍ୟରେ ପୁରୀ-ବଡବିଲ୍‍ ଇଣ୍ଟରସିଟି ଏକ୍ସପ୍ରେସ୍‍କୁ ଟାଟା ପର୍ଯ୍ୟନ୍ତ ସମ୍ପ୍ରସାରଣ, ରାଉରକେଲା-ବଡବିଲ-କେନ୍ଦୁଝର ଡିଏମ୍‍ୟୁ ଚଳାଚଳ, ଚମ୍ପୁଆ-ଆନନ୍ଦପୁର-ଯାଜପୁର ନୂତନ ରେଳଲାଇନ୍‍ ଓ ବରସୁଆଁ-ବାଂଶପାଳ-ବଡବିଲ୍‍ ନୂତନ ରେଳ ଲାଇନ୍‍ ଆଦି ଥିଲା । ହେଲେ ଏଥିରୁ ଗୋଟିକୁ ହେଲେ ବି କେନ୍ଦ୍ର ସରକାର ମଞ୍ଜୁର କଲେନାହିଁ । କେନ୍ଦୁଝର ଭଳି ଖଣିଜପୂର୍ଣର୍ ଜିଲ୍ଲାରୁ ଭାରତୀୟ ରେଳବାଇ ବିପୁଳ ପରିମାଣର ରାଜସ୍ୱ ପାଉଥିବାବେଳେ ନୂତନ ପ୍ରକଳ୍ପଟିଏ ମଞ୍ଜୁର ନକରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ଘଣା କହିଛନ୍ତି । ରେଳ ବଜେଟ୍‍ରେ କେନ୍ଦୁଝର ପାଇଁ ଯେତିକି ଅର୍ଥ ମିଳିଛି ତାହା କେବଳ ପୁରୁଣା ପ୍ରକଳ୍ପ ଗୁଡିକ ପାଇଁ ଦିଆଯାଇଛି । ସେହିଭଳି ବିକାଶ ପରିଷଦ ପକ୍ଷରୁ ୨୦୧୨ ମସିହାରୁ ପୁରୀ-ବଡବିଲ୍‍ ଇଣ୍ଟରସିଟିର ନାଁ ତାରିଣୀ ଏକ୍ସପ୍ରେସ୍‍ କରିବାପାଇଁ ଦାବି କରାଯାଇ ଆସୁଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । କେନ୍ଦୁଝରବାସୀଙ୍କ ସ୍ୱାଭିମାନକୁ ଦୃଷ୍ଟିରେ ରଖି ତୁରନ୍ତ ଇଣ୍ଟରସିଟିର ନାମ ତାରିଣୀ ଏକ୍ସପ୍ରେସ୍‍ କରିବାପାଇଁ ଅନୁରୋଧ କରାଯାଇଛି । 

Leave A Reply

Your email address will not be published.