ଓଡିଆ କାବ୍ୟ ସାହିତ୍ୟକୁ କବି ସନ୍ତୋଷ ଚୌଧୁରୀଙ୍କ ଅବଦାନ ଅତୁଳନୀୟ

0

 

କବି ସନ୍ତୋଷଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବାରିପଦା/ଦିଲ୍ଲୀପ ମହାନ୍ତି – ଓଡିଆ କାବ୍ୟ ଜଗତକୁ କବି ସନ୍ତୋଷ ଚୌଧୁରୀଙ୍କ ଅବଦାନ ଅତୁଳନୀୟ । ସେ ଥିଲେ ଏକ ଅମ୍ଳାନ ପ୍ରତିଭା । ସେ ପ୍ରତିଭାର କେବେ ଅନ୍ତ ନାହିଁ । ଜଣେ ନିରଳସ ସାହିତ୍ୟ ସାଧକ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଦିବଙ୍ଗତ ପ୍ରତିଭା ବୃଥା ଆତ୍ମ ପ୍ରଶଂସା ଠାରୁ ଦୂରେଇ ରହି ସେ ସଦା ସର୍ବଦା କେବଳ ଆତ୍ମିକ ଓ ଆଧ୍ୟାତ୍ମିକ ଉତ୍ତୋରଣ ପାଇଁ ସାହିତ୍ୟସେବା ବ୍ରତରେ ବ୍ରତୀ ଥିଲେ । ଆଧ୍ୟାତ୍ମ ସାହିତ୍ୟ ଠୁ ଆରମ୍ଭ କରି ଗୀତି କବିତା, ପ୍ରବନ୍ଧ, ଗଳ୍ପ ସାହିତ୍ୟର ସବୁ ବିଭାଗରେ ଲେଖନୀ ଚାଳନା କରିବାରେ ସେ  ସିଦ୍ଧହସ୍ତ ଥିଲେ ବୋଲି ତାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି । ଆମେ ମୟୂରଭଂଜିଆ ସଂଗଠନ ପକ୍ଷରୁ ସ୍ଥାନୀୟ ବାଘଡାରୋଡ ସ୍ଥିତ ମହର୍ଷି ବିଦ୍ୟାଳୟରେ ଆୟୋଜିତ ଏହି ଆଲୋଚନା ଚକ୍ରକୁ ପଣ୍ଡିତ ଭାଗବତ ପଣ୍ଡା ପ୍ରଦୀପ ପ୍ରଜ୍ୱୋଳନ କରି ଉଦ୍ଘାଟନ କରିଥିଲେ । ଉପସ୍ଥିତ ସମସ୍ତେ କବି ସନ୍ତୋଷଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହା ପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ କବି ସନ୍ତୋଷ କୁମାର ଚୌଧୁରୀଙ୍କ ଭଳି ଜଣେ ମୌଳିକ ପ୍ରତିଭାଧାରୀ କାବ୍ୟପୁରୁଷ ସାଂପ୍ରତିକ ସମୟରେ ବିରଳ ବୋଲି କହିଥିଲେ । ଏହା ସହିତ ଶ୍ରୀଯୁକ୍ତ ପଣ୍ଡା କବି ସନ୍ତୋଷଙ୍କ ଦ୍ୱାରା ଓଡିଆ ପଦ୍ୟାନୁବାଦ କରାଯାଇଥିବା ଶ୍ରୀମଦ୍ ଭଗବଦ ଗୀତା ସଂପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ଦିବଙ୍ଗତ ସନ୍ତୋଷଙ୍କର ଅକାଳରେ ମୃତ୍ୟୁ ଯୋଗୁଁ ସେ ଜୀବନର ଲମ୍ବା ଅବଧି ବଞ୍ଚି ନାହାନ୍ତି ସତ ମାତ୍ର ଜୀବନ ରହସ୍ୟର ଗୁଢତତ୍ତ୍ୱକୁ ସେ ମର୍ମେ ମର୍ମେ ଅନୁଭବ କରିପାରିଛନ୍ତି ଶିକ୍ଷାବିତ୍ ରଣଜିତ ମହାନ୍ତ ବୋଲି କହିଥିଲେ । ଏହି ଅବସରରେ ଡା ପାର୍ଥ ସାରଥୀ ଜେନା କବି ସନ୍ତୋଷଙ୍କ ଦ୍ୱାରା ଅନୁବାଦିତ ଗୀତା ଏକ ଅନବଦ୍ୟ କୃତି ବୋଲି ମନ୍ତବ୍ୟ ଦେବା ସହ ଆଜି ପର୍ଯ୍ୟନ୍ତ ଯେତେ ଅନୁବାଦ ହୋଇଛି ଏହା ସର୍ବୋକ୍ରୃଷ୍ଟ ସୃଷ୍ଟି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ  ଦିବାକର ତ୍ରିପାଠୀ, ହିମାଦ୍ରିତନୟା ଚୌଧୁରୀ ପ୍ରମୁଖ ଦିବଙ୍ଗତ ପ୍ରତିଭାଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଆମେ ମୟୂରଭଂଜିଆ ସଂଗଠନର ଆବାହକ ସଞ୍ଜୟ କୁମାର ଚୌଧୁରୀ ପ୍ରାରମ୍ଭରେ ଆଲୋଚନା ଚକ୍ର ବାବଦରେ ସୂଚନା ଦେବା ସହ ଦିବଙ୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ ଜୀଉ, ବଟକୃଷ୍ଣ ପାଢୀ, କଲ୍ୟାଣ କୁମାର ସିହ୍ନା, ସୁଶୀଲ ପାତ୍ର, ପ୍ରଭୁଦାନ ମାର୍ଣ୍ଡି , ଅଭିଷେକ ଯାଦବ, ମୁରଲୀଧର ବେହେରା, ଅଜିତ କୁମାର କବାଟ, କୈବଲ୍ୟ ପ୍ରସାଦ ମହାପାତ୍ର, ସନ୍ତୋଷ ମହାନ୍ତି, ସୁଚରିତା ମହାନ୍ତି, ତପସ୍ୱିନୀ ଦାଶ, ନରସିଂହ ବାରିକ, ଭଗବତୀ ଦାଶ, ଅଚ୍ୟୁତ ପ୍ରସାଦ ମହାପାତ୍ର, ଅମିତାଭ ମିଶ୍ର, ହିମାଂଶୁ ଶେଖର  ଦାସ, ଡଃ ସରୋଜ ନାଏକ, ଡଃ ଶ୍ୟାମ ସୁନ୍ଦର ଦାସ, ଡଃ ଭକ୍ତହରି ମହାନ୍ତ, ପଦ୍ମନାଭ ସାହୁ, ବିବେକାନନ୍ଦ ପାତ୍ର, ଅମ୍ବିକା ମହାନ୍ତି, ସଞ୍ଜୀବ ରାଉତ, ମୀରା ଜେନା, ରେଣୁବାଳା ରଥ, ସତ୍ୟାନନ୍ଦ ଶେଯପଡା, କୃଷ୍ଣଚନ୍ଦ୍ର ଦାସ, ଚିତ୍ତରଂଜନ ମହାନ୍ତଙ୍କ ସମେତ ବହୁ ବୁଦ୍ଧିଜୀବୀ ଏହି ସମାବେଶରେ ଉପସ୍ଥିତ ଥିଲେ ।  ସୂଚନା ଯୋଗ୍ୟ ଯେ, କବି ସନ୍ତୋଷ କୁମାର ଚୌଧୁରୀ ଶୁଭଶଙ୍ଖ ସାହିତ୍ୟ ଅନୁଷ୍ଠାନ  ପ୍ରତିଷ୍ଠା  କରି ଓଡିଆ ଭାଷା ସାହିତ୍ୟର ପରିବୃଦ୍ଧି ପାଇଁ ସେ  ଶଙ୍ଖ ନାମରେ ଏକ ସମ୍ଭ୍ରାନ୍ତ ଋଚିପୂର୍ଣ୍ଣ ସାହିତ୍ୟ ପତ୍ରିକା ପ୍ରକାଶ କରୁଥିଲେ । ‘କବିତା ଦୁଇ ହୃଦୟ’ର କବିତା ସଂକଳନ ତାଙ୍କ କାବ୍ୟ ପ୍ରତିଭାର ପ୍ରଥମ ଅଭିବ୍ୟକ୍ତି ହୋଇଥିବା ବେଳେ ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ତିରୋଧାନରେ ବ୍ୟଥିତ ହୋଇ ସେ ସମୟର ଦୃଶ୍ୟପଟ୍ଟକୁ ସେ  ତାଙ୍କର ଖଣ୍ଡକାବ୍ୟ ‘ଚୁପ୍ ରୁହ ସମ୍ରାଟ ଶୋଇଛନ୍ତି’ ରେ ଅତ୍ୟନ୍ତ ସାବଲୀଳ ଭାବେ ପ୍ରକାଶ କରିଥିଲେ । ସର୍ବୋପରି ଶ୍ରୀମଦ୍ ଭଗବଦ୍ ଗୀତାକୁ ସେ ବଙ୍ଗଳାଶ୍ରୀ ରାଗରେ ତତ୍ଭବ ତତ୍ସମ ଶବ୍ଦରେ ଅତ୍ୟନ୍ତ ସାବଳୀଳ ଭାବେ ଓଡିଆ ପଦ୍ୟାନୁବାଦ କରିଛନ୍ତି । ସେ ବୃତ୍ତିରେ ଜଣେ ଶିକ୍ଷକ ଥିଲାବେଳେ ତାଙ୍କର ପ୍ରବୃତ୍ତି କଳା ସାହିତ୍ୟ ସଂସ୍କୃତି ପ୍ରତି ଉତ୍ସର୍ଗୀକୃତ ଥିଲା । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ଛାତ୍ର ମହଲରେ ଅତ୍ୟନ୍ତ ପ୍ରଶଂସିତ ଓ ପୂଜ୍ୟ ଥିଲେ ।

 

Leave A Reply

Your email address will not be published.